ଯାଜପୁର: ''ଶିଳ୍ପ କ୍ଷେତ୍ରରେ ଭାରତର ଇସ୍ପାତ ରାଜଧାନୀ ଭାବରେ ଉଭା ହେବ ଯାଜପୁର । ଏଥିପାଇଁ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ଫଳରେ ଅର୍ଥନୈତିକ କ୍ଷେତ୍ରରେ ଯାଜପୁର ଆଗକୁ ବଢ଼ିବା ସହ ବ୍ୟାପକ ନିଯୁକ୍ତି ସୃଷ୍ଟୁି ହେବଟ'' । ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି-୨୦୨୫ ଏବଂ ପଲ୍ଲିଶ୍ରୀ ମେଳାକୁ ଉଦ୍ଘାଟନ କରିବା ଅବସରରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ଯାଜପୁରର ବିକାଶ ପାଇଁ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଶିଳାନ୍ୟାସ କରିବା ଓ ଶ୍ରୀ ଗଣେଶ କରିଛନ୍ତି ।
ଯାଜପୁରକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି:
ଯାଜପୁର ଜିଲ୍ଲା ମହୋତ୍ସବ 'ଯଯାତି-୨୦୨୫'ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜିଲ୍ଲାର ବିକାଶକୁ ଗୁରୁତ୍ୱ ଦେଇ ପ୍ରାୟ ଏକ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ସମୁଦାୟ ୮୨୯ କୋଟି ୭୬ ଲକ୍ଷ ଟଙ୍କାର ୮୩ଟି ପ୍ରକଳ୍ପ ଉଦଘାଟିତ ହୋଇଥିବା ବେଳେ, ୧୭୦ କୋଟି ଟଙ୍କାର ୭୭ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏଥିରେ ୫୦ କୋଟି ଟଙ୍କାରେ ମା’ ବିରଜାଙ୍କ ମନ୍ଦିରର ଉନ୍ନତିକରଣ, ୧୦ କୋଟି ଟଙ୍କାରେ ମନ୍ଦିର ସନ୍ନିକଟ ଧର୍ମଶାଳାର ସମ୍ପ୍ରସାରଣ, ୨୧ କୋଟି ଟଙ୍କାରେ ବିରଜା ଅଗ୍ନେଶ୍ୱର ହାଟର ଉନ୍ନତିକରଣ, ୩୦ କୋଟିରେ ନୂଆ ବସ୍ ଟର୍ମିନାଲ୍ ସମେତ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳ ସମ୍ପଦ, ବିଦ୍ୟୁତ ପରିବହନ, ସଡକ, ସେତୁ, କେନାଲ ଆଦି ଭିତ୍ତିଭୂମି ଓ ପର୍ଯ୍ୟଟନ ପ୍ରକଳ୍ପ ରହିଛି ।
ଯଯାତି ମହୋତ୍ସବ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ:
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀକହିଛନ୍ତି, ମା' ବିରଜାଙ୍କ ପବିତ୍ର ମାଟି ଯାଜପୁର ଜିଲ୍ଲାର ଲୋକମହୋତ୍ସବ ଯଯାତି ମହୋତ୍ସବ–୨୦୨୫ ଏବଂ ପଲ୍ଲିଶ୍ରୀ ମେଳାରେ ଯୋଗଦେବାର ସୌଭାଗ୍ୟ ଲାଭ କଲି । ଏହି ମହୋତ୍ସବରେ ଯୋଗଦେବା ପାଇଁ ସୁଯୋଗ ଦେଇଥିବାରୁ ଯାଜପୁର ଜିଲ୍ଲାର ମୋର ପ୍ରିୟ ଭାଇ ଓ ଭଉଣୀ ମାନଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି । ସାହିତ୍ୟ, ସମୃଦ୍ଧ ଐତିହ୍ୟ, ଜୀବନ୍ତ କଳା ଏବଂ ଗୌରବମୟ ସଂସ୍କୃତିରେ ପରିପୂର୍ଣ୍ଣ ଏହି ମହୋତ୍ସବ ଆମ ରାଜ୍ଯର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ, ଯାହା ପାଇଁ ଯାଜପୁର ଆଜି ସାରା ରାଜ୍ଯରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସାହିତ୍ୟ, ଧର୍ମ, ସଂସ୍କୃତି ପାଇଁ ଏ ମାଟି ଓଡ଼ିଶା ଇତିହାସରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି । ତ୍ୟାଗ ଏବଂ ସମର୍ପଣର ଏ ମାଟିରୁ ଭାରତର ସ୍ଵାଧୀନତା ଆନ୍ଦୋଳନ ସମୟରେ ଦିନେ ଶୁଭିଥିଲା ବିପ୍ଲବର ରଣ ହୁଁଙ୍କାର । ବିପ୍ଲବର ଯଜ୍ଞ ବେଦିରେ ଲମ୍ଫ ଦେଇଥିଲେ ଏଇ ମାଟିର ବୀର ପୁରୁଷ, ସେମାନଙ୍କ ତ୍ୟାଗ ଏବଂ ବଳିଦାନକୁ ସମ୍ମାନ ଜଣାଇବା ସହ ସେମାନଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।"
ଇସ୍ପାତ ରାଜଧାନୀ ହେବ ଯାଜପୁର:
ସେ ଆହୁରି କହିଛନ୍ତି, "ସମ୍ଭାବନାର ଏକ ସୁବର୍ଣ୍ଣକ୍ଷେତ୍ର ଯାଜପୁର ଜିଲ୍ଲାର ବିକାଶକୁ ଲୋକଙ୍କ ସରକାର ଗୁରୁତ୍ଵ ଦେଉଛନ୍ତି । ଜିଲ୍ଲାବାସୀଙ୍କ ସ୍ଵାର୍ଥକୁ ଗୁରୁତ୍ଵ ଦେଇ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରିଡା, ନିଯୁକ୍ତି, ଶିଳ୍ପ ପ୍ରତିଷ୍ଠା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ଯାଜପୁରରେ ଆଜି ସମୁଦାୟ ୮୨୯ କୋଟି ୭୬ ଲକ୍ଷ ଟଙ୍କାର ୮୩ ଟି ପ୍ରକଳ୍ପ ଉଦଘାଟିତ ହୋଇଥିବା ବେଳେ, ୧୭୦ କୋଟି ଟଙ୍କାର ୭୭ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ମହାରାଜ ଯଯାତୀ କେଶରୀ ମେଡ଼ିକାଲ କଲେଜ ଶୁଭ ଉଦଘାଟନ, ୫୦ କୋଟି ଟଙ୍କାରେ ମା’ ବିରଜାଙ୍କ ମନ୍ଦିରର ଉନ୍ନତିକରଣ, ୧୦ କୋଟି ଟଙ୍କାରେ ମନ୍ଦିର ସନ୍ନିକଟ ଧର୍ମଶାଳାର ସମ୍ପ୍ରସାରଣ, ୩୦ କୋଟିରେ ନୂଆ ବସ୍ ଟର୍ମିନାଲ୍, ବ୍ୟାସ ନଗରରେ ପ୍ରାୟ ୭୮ କୋଟି ଟଙ୍କାର ବ୍ୟାସ ନଗରଠାରେ ବ୍ୟାସ ସରୋବର ଓ ଟାଉନ ହଲ, ୨୧ କୋଟି ଟଙ୍କାରେ ବିରଜା ଅଗ୍ନେଶ୍ୱର ହାଟର ଉନ୍ନତିକରଣ ଭଳି ଅନେକ ଲୋକାଭିମୁଖୀ ପ୍ରକଳ୍ପ ପାଇଁ ଘୋଷଣା କରାଯାଇଛି । ଶିଳ୍ପ କ୍ଷେତ୍ରରେ ଭାରତର ଇସ୍ପାତ ରାଜଧାନୀ ଭାବରେ ଉଭା ହେବ ଯାଜପୁର । ଏଥିପାଇଁ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ଫଳରେ ଅର୍ଥନୈତିକ କ୍ଷେତ୍ରରେ ଯାଜପୁର ଆଗକୁ ବଢ଼ିବା ।"