ପାରାଦ୍ବୀପ:ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଗାଁଠୁ ସହର, ସବୁଠି ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ବୋଇତ ବନ୍ଦାଣ ଉତ୍ସବ ପାଇଁ ଉତ୍ସାହର ମାହୋଲ । ପୁରାତନ ନୌବାଣିଜ୍ୟର କଥାକୁ ଉଜ୍ଜିବୀତ ରଖିବା ପାଇଁ ସମୁଦ୍ର, ପୋଖରୀ ଓ ନଦୀର ଆଦି ଜଳାଶୟରେ ଲୋକମାନେ ଡଙ୍ଗା ଭସାଇଥାନ୍ତି । ଏହି ଅବସରରେ ଆଜି ପାରାଦ୍ବୀପ ବନ୍ଦରରେ ମଧ୍ୟ ବୋଇତ ବନ୍ଦାଣ ଉତ୍ସବ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିବା ସହ ପୂର୍ବ ଗୌରବ ଓ ଇତିହାସର ଗାଥାକୁ ମନେ ପକାଇଛନ୍ତି ।
ବୋଇତ ବନ୍ଦାଣ ଉତ୍ସବ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ:
ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ବନ୍ଦର ପକ୍ଷରୁ ଆଜି ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ବୋଇତ ବନ୍ଦାଣ ଉତ୍ସବକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ବୀର ସାଧବ ପୁଅମାନେ ସାହାସିକତାର ସହିତ ଜାଭା, ସୁମାତ୍ରା, ଇଣ୍ଡୋନେସିଆ ଆଦି ଦେଶକୁ ଯାଇ ବାଣିଜ୍ୟ କରିବାରେ ବେଶ ପାରଙ୍ଗମ ଥିଲେ । ଫଳରେ କଳିଙ୍ଗ ରାଜ୍ୟ ବେଶ ସମୃଦ୍ଧ ଥିଲା । ସାଧବ ପୁଅମାନେ ବିଶାଳ ବଙ୍ଗୋପସାଗରକୁ ଅତିକ୍ରମ କରି ଯେଉଁ ଦୁଃସାହସିକ ବାଣିଜ୍ୟ କରୁଥିଲେ ତାହା ସମଗ୍ର ବିଶ୍ୱରେ ବିରଳ ଥିଲା । ଏହାର ସ୍ମୃତିରେ ପ୍ରତ୍ୟେକ ଓଡ଼ିଆ କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସାଇ ପରମ୍ପରାକୁ ମନେ ପକାଇଥାନ୍ତି ।