ଓଡିଶା

odisha

ETV Bharat / state

ହଷ୍ଟେଲରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ, କିପରି ହେଲେ ଗର୍ଭବତୀ? ପୋଲିସର ତଦନ୍ତ - STUDENT DELIVERS BABY

ମାଟ୍ରିକ ପରୀକ୍ଷା ଦେଲେ, ସ୍କୁଲରୁ ଆସିଲା ପରେ ହଷ୍ଟେଲରେ ଜନ୍ମ ନେଲା ଶିଶୁ । ଦଶମ ଶ୍ରେଣୀ ଛାତ୍ରୀ କିପରି ହେଲେ ଗର୍ଭବତୀ?

ହଷ୍ଟେଲରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ
ହଷ୍ଟେଲରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ (ETV Bharat)

By ETV Bharat Odisha Team

Published : Feb 25, 2025, 5:46 PM IST

ମାଲକାନଗିରି: ଆବାସିକ ବିଦ୍ୟାଳୟରେ ଲଜ୍ଜା । ମାଆ ହେଲେ ଦଶମ ଶ୍ରେଣୀ ଛାତ୍ରୀ । ସ୍କୁଲ ହଷ୍ଟେଲ ପରିସରରେ ଛାତ୍ରୀଙ୍କ ପ୍ରସବକୁ ନେଇ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଛାତ୍ରୀଙ୍କ ଅଭିଭାବକ । ଅପରପକ୍ଷେ, ଖବର ପାଇ ପୋଲିସ ତନାଘନା ଆରମ୍ଭ କରିଛି । ଛାତ୍ରୀ ଜଣଙ୍କ କିପରି ଗର୍ଭବତୀ ହେଲେ, ସେ ସମ୍ପର୍କରେ ଜାଣିବା ପାଇଁ ପୋଲିସ ଛାନଭିନ ଆରମ୍ଭ କରିଛି ।

ହଷ୍ଟେଲରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ (ETV Bharat)

ସ୍କୁଲ ପରିସରରେ ଛାତ୍ରୀଙ୍କ ପ୍ରସବ:
ଅଭିଯୋଗ ଅନୁଯାୟୀ, ଛାତ୍ରୀ ଜଣଙ୍କ ଗତକାଲି(ସୋମବାର) ସକାଳେ ମାଟ୍ରିକ ପରୀକ୍ଷା ଦେବାକୁ ନିର୍ଦ୍ଧାରିତ କେନ୍ଦ୍ରକୁ ଯାଇଥିଲେ । ପରୀକ୍ଷା ଦେଇସାରିବା ପରେ ସହପାଠୀଙ୍କ ସହ ସେ ସ୍କୁଲ ହଷ୍ଟେଲକୁ ଫେରି ଆସିଥିଲେ । ତେବେ ସନ୍ଧ୍ୟା ସମୟରେ ସମ୍ପୃକ୍ତ ଛାତ୍ରୀଙ୍କ ବାପାଙ୍କୁ ହଷ୍ଟେଲ କର୍ତ୍ତୃପକ୍ଷ ଫୋନ କରି ଡକାଇଥିଲେ । ଛାତ୍ରୀଙ୍କ ବାପା-ମା’ ସେଠାରେ ପହଞ୍ଚିବା ପରେ ତାଙ୍କ ଝିଅ ଏକ ଶିଶୁକୁ ଜନ୍ମ ଦେଇଥିବା ଦେଖିବାକୁ ପାଇଥିଲେ । ପରେ ମା’-ଛୁଆକୁ ପରିବାରଲୋକ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ତେବେ ସ୍କୁଲ ଚାରିକାନ୍ଥ ଭିତରେ ଏତେ ବଡ଼ ଘଟଣା କିପରି ଘଟିଲା, ଛାତ୍ରୀ ଜଣକ କିପରି ହେଲେ ଗର୍ଭବତୀ? ସେନେଇ ଉଠିଛି ବଡ଼ ପ୍ରଶ୍ନ ।

ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର:

ଛାତ୍ରୀଙ୍କ ବାପା-ମା’ ଚିନ୍ତା ପ୍ରକଟ କରିବା ସହ ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଛାତ୍ରୀଙ୍କ ବାପା କହିଛନ୍ତି, "ଆମକୁ ସ୍କୁଲରୁ ଫୋନ ଆସିଲା । ଆମେ ଆସି ଦେଖିଲୁ ପିଲା ଜନ୍ମ ହୋଇଛି । ଝିଅ ଆଡମିଟ୍ ଅଛି । ତା' ପରେ ଆମେ ପ୍ରଶ୍ନ କରିଥିଲୁ ଯେ, ଆମକୁ ଜଣାଇଲେ ନାହିଁ କାହିଁକି? ଅଭିଭାବକଙ୍କୁ ଦେଖା କରିବାକୁ ହେଲେ ବିଭିନ୍ନ ଦସ୍ତଖତ ନିଅନ୍ତି । ଏତେ ବଡ଼ ଘଟଣା ବିଷୟରେ ଜଣାଇଲେ ନାହିଁ କାହିଁକି? ଏଥିରେ କିଏ ସମ୍ପୃକ୍ତ ତାହା ଆମେ ଜାଣିନାହୁଁ । ହେଲେ ସ୍କୁଲ କର୍ତ୍ତୃପକ୍ଷ କେମିତି ଜାଣିପାରିଲେ ନାହିଁ? ଆମକୁ କିପରି ଜଣାଇଲେ ନାହିଁ? ସେଥିପାଇଁ ସେମାନଙ୍କୁ ଦାୟୀ କରୁଛୁ ।"

ପୋଲିସର ତନାଘନା:

ଚିତ୍ରକୋଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଅଜିତ କୁମାର ମାଡ଼କାମୀଙ୍କୁ ପଚାରିବାରୁ ସେ କହିଛନ୍ତି, "ଛାତ୍ରୀ ପରୀକ୍ଷା ଦେଇ ଆସିଥିଲା । ସନ୍ଧ୍ୟାରେ ପ୍ରାର୍ଥନା ସଭାରେ ତାକୁ ଦେଖିବାକୁ ପାଇନଥିଲୁ । ପରେ ଖୋଜାଖୋଜି କଲୁ । ବହୁତ ଖୋଜାଖୋଜି ପରେ ପୋଲିସ ସହାୟତାରେ ତାକୁ ଛାତ ଉପରେ ଦେଖିବାକୁ ମିଳିଲା । ସେଠାରେ ପ୍ରସବ ହୋଇଥିଲା । ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଇବା ସହ ତାଙ୍କ ଅଭିଭାବକଙ୍କୁ ଜଣାଇଲୁ । ଆମର ଛାତ୍ରୀ ନିବାସକୁ ପୁରୁଷ ପ୍ରବେଶ ନିଷେଧ । ଛାତ୍ରୀ କିପରି ଗର୍ଭବତୀ ହେଲେ ଆମେ ଜାଣିନାହୁଁ । କିନ୍ତୁ ଏ ବିଷୟରେ ୱାର୍ଡେନ ମୋତେ ଅବଗତ କରାଇବା କଥା । ସେମାନେ ଛାତ୍ରୀ ଗର୍ଭବତୀ ହେବା କଥା ଜାଣିଲେନି କିପରି? ଯଦି ଜାଣିଥିଲେ ମୋତେ ଜଣାଇଥିଲେ ମୁଁ କିଛି ପଦକ୍ଷେପ ନେଇଥାନ୍ତି ।" ଏନେଇ ୱାର୍ଡେନ ଓ ଏଏନଏମଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଦାୟୀ କରିଛନ୍ତି ପ୍ରଧାନଶିକ୍ଷକ ।

ସରକାର ଉତ୍ତରଦାୟୀ: ବିଜେଡି

ଅନ୍ୟପଟେ ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝୀ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ପ୍ରଦୀପ କହିଛନ୍ତି, ସରକାରଙ୍କ ଆନ୍ତରକିତା ନାହିଁ । ସରକାରୀ ଆବାସିକ ବିଦ୍ୟାଳୟରେ ଏଭଳି ଘଟଣା ନିନ୍ଦାଜନକ । ଏଥିପାଇଁ ସରକାର ଉତ୍ତରଦାୟୀ ।" ଏହି ଘଟଣାରେ ଯେଉଁ ମାନେ ସମ୍ପୃକ୍ତ ସେମାନଙ୍କୁ ଜେଲ ନହେଲେ ଆଗାମୀ ଦିନରେ ଆଦିବାସୀ ସଙ୍ଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଏହା ବି ପଢନ୍ତୁ...ସ୍କୁଲରେ ଲଜ୍ଜା: 80 ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ କହିଲେ ପ୍ରିନ୍ସିପାଲ, ବ୍ଲେଜର ପିନ୍ଧି ଘରକୁ ଫେରିଲେ

ଏହା ବି ପଢନ୍ତୁ...ଇଟାଭାଟିରେ ଲଜ୍ଜା: ନାବାଳିକାକୁ ଦୁଷ୍କର୍ମ, ବନ୍ଧା ହେଲା ସଇତାନ

କେମିତି ଅଛି ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା?

ଉଭୟ ମା’-ଛୁଆଙ୍କୁ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଠାରେ ଦୁହିଁଙ୍କ ଅବସ୍ଥା ସ୍ଥିର ରହିଛି । ତେବେ ଅଧିକ ଚିକିତ୍ସା ଲାଗି ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯିବ ବୋଲି ଜଣାଯାଇଛି । ଅପରପକ୍ଷେ, ଖବର ପାଇ ପୋଲିସ ତନାଘନା ଆରମ୍ଭ କରିଛି । ଛାତ୍ରୀଜଣଙ୍କ କିପରି ଗର୍ଭବତୀ ହେଲେ, ସେ ସମ୍ପର୍କରେ ଜାଣିବା ପାଇଁ ପୋଲିସ ପଚରାଉଚରା କରୁଛି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details