ଜଗତସିଂହପୁର:ଆମ ହସ୍ପିଟାଲ ଯୋଜନାର ପ୍ରଥମ ପର୍ଯ୍ୟାୟରେ 15ଟି ଜିଲ୍ଲାର 73ଟି ରୂପାନ୍ତରିତ ସରକାରୀ ହସ୍ପିଟାଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କ୍ରମରେ ଜଗତସିଂହପୁର ମଧ୍ୟ ସାମିଲ ହୋଇଛି । ଶନିବାର ଦିନ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 16.28 କୋଟି ବ୍ୟୟରେ 100 ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ 5.63 କୋଟି ବ୍ୟୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, 3.19 କୋଟି ବ୍ୟୟରେ ମଣିଜଙ୍ଗା, 3.14 କୋଟି ବ୍ୟୟରେ ରଘୁନାଥପୁର ଓ 3.27 କୋଟି ବ୍ୟୟରେ ବାଲିକୁଦାର ରୂପାନ୍ତରିତ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି ।
ଏହି ଲୋକାର୍ପଣ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "5T ଅନ୍ତର୍ଗତ ଏହି 'ମୋ ହସ୍ପିଟାଲ' ଯୋଜନା ଧନୀ ଗରିବ ସମସ୍ତ ଶ୍ରେଣୀର ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ 'ମୋ ହସ୍ପିଟାଲ' ଏକ ନୂତନ ଯୁଗର ଆରମ୍ଭ ।" ସେହିପରି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ କହିଛନ୍ତି ଯେ, ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୱାର୍କ୍ସ ଓ ପରିବହନ ବିଭାଗ ଅଧୀନରେ ଥିବା 5 ଏକର 80 ଡିସିମିଲ ଜମି ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଦେବାର ନିଷ୍ପତ୍ତି ନେଇଛନ୍ତି ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ସାମିଲ ହୋଇଥିଲେ । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀଙ୍କ 'ପ୍ରତିଟି ଜୀବନ ମୂଲ୍ୟବାନ'ର ସ୍ଲୋଗାନକୁ ମନେପକାଇବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ରୂପାନ୍ତରିକରଣ କାର୍ଯ୍ୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ ।
ଆଉ ମଧ୍ୟ ସେ କହିଛନ୍ତି, "ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 100 ଶଯ୍ୟାବିଶିଷ୍ଟ ମାତୃ ଓ ଶିଶୁ ସ୍ଵାସ୍ଥ୍ୟ କେନ୍ଦ୍ରର ନିର୍ମାଣ ଜିଲ୍ଲାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ । ଜିଲ୍ଲା ତଥା ଉପଖଣ୍ଡ ଚିକିତ୍ସାଳୟଗୁଡିକରେ ଜୀବନ ବିନ୍ଦୁ, ଆହାର କେନ୍ଦ୍ର, ଡାୟାଲିସିସ ସେଣ୍ଟର, ଆଇସିୟୁ ବ୍ୟବସ୍ଥା ସ୍ୱାସ୍ଥ୍ୟ ସେବାକୁ ନୂତନ ଦିଗନ୍ତ ଦେଇଛି ।''