ଓଡିଶା

odisha

ETV Bharat / state

ଆସନ୍ତା ୯ରୁ ଆରମ୍ଭ ହେବ ମା’ ତାରିଣୀଙ୍କ ପ୍ରସିଦ୍ଧ ଚଇତିପର୍ବ - Chaiti Parba At Maa Tarini Temple - CHAITI PARBA AT MAA TARINI TEMPLE

Chaiti Parba At Maa Tarini Temple From April 9 : ଘଟଗାଁ ପ୍ରସିଦ୍ଧ ମା ତାରିଣୀଙ୍କ ପବିତ୍ର ଚଇତି ପର୍ବ ଆସନ୍ତା ଏପ୍ରିଲ ୯ ରୁ ୧୫ ତାରିଖ ଯାଏଁ ଅନୁଷ୍ଠିତ ହେବ । ମା’ଙ୍କ ବିଭିନ୍ନ ସ୍ବତନ୍ତ୍ର ନୀତିକାନ୍ତି ହେବା ସହ ନାନା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଅଧିକ ପଢନ୍ତୁ

ଆସନ୍ତା ଏପ୍ରିଲ ୯ ରୁ ଆରମ୍ଭ ହେବ ମା ତାରିଣୀଙ୍କ ପ୍ରସିଦ୍ଧ ଚଇତିପର୍ବ
ଆସନ୍ତା ଏପ୍ରିଲ ୯ ରୁ ଆରମ୍ଭ ହେବ ମା ତାରିଣୀଙ୍କ ପ୍ରସିଦ୍ଧ ଚଇତିପର୍ବ

By ETV Bharat Odisha Team

Published : Apr 4, 2024, 10:27 PM IST

ଆସନ୍ତା ଏପ୍ରିଲ ୯ ରୁ ଆରମ୍ଭ ହେବ ମା ତାରିଣୀଙ୍କ ପ୍ରସିଦ୍ଧ ଚଇତିପର୍ବ

କେନ୍ଦୁଝର: ଆରମ୍ଭ ହେବାକୁ ଯାଉଛି ମା ତାରିଣୀଙ୍କ ପବିତ୍ର ଚଇତି ପର୍ବ । ଆସନ୍ତା ଏପ୍ରିଲ ୯ ରୁ ୧୫ ତାରିଖ ଯାଏଁ ଦୀର୍ଘ ୭ ଦିନ ବ୍ୟାପୀ ଘଟଗାଁ ସ୍ଥିତ ମା’ ତାରିଣୀଙ୍କ ୮୮ତମ ପ୍ରସିଦ୍ଧ ଚଇତି ପର୍ବ ପାଳନ ହେବାକୁ ଯାଉଛି । ଏହି ଭବ୍ୟ ଆୟୋଜନ ପାଇଁ ମା’ ତାରିଣୀ ଠାକୁରାଣୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଇତିପର୍ବ ଅବସରରେ ମା’ଙ୍କ ପୀଠରେ ପ୍ରତିଦିନ ମା’ଙ୍କ ମାଜଣା, ମଙ୍ଗଳ ଆଳତୀ, ସୁନାବେଶ, ହୋମଯଜ୍ଞ, ଭାଗବତ ପାରାୟଣ, ଚଣ୍ଡିପାଠ ଓ ସତ୍ୟ ନାରାୟଣ ପୂଜା ଆଦି ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଟ୍ରଷ୍ଟ ପକ୍ଷରୁ ୭ ଦିନ ବ୍ୟାପୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଏପ୍ରିଲ ୯ରୁ ୧୫ ତାରିଖ ପ୍ରତ୍ୟହ ରାତିରେ କେନ୍ଦୁଝର ଜିଲ୍ଲା କବିତ୍ରା ଗ୍ରାମର ଗାୟକ ସୁଧାମଣି ତୁଳସୀ ଚରଣ ମହାନ୍ତ ଓ ଖୋର୍ଦ୍ଧା ଜିଲ୍ଲା ପଦ୍ମପୁର ଗ୍ରାମର ଗାୟକ ଜ୍ଞାନଭୂଷଣ ଡ. ଶିଶିର କୁମାର ପାଢୀଙ୍କ ମଧ୍ୟରେ ବାଦିପାଲା ଅନୁଷ୍ଠିତ ହେବ । ସେହିଭଳି ଏପ୍ରିଲ ୯ ତାରିଖରେ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀର ଚାରଣ ପ୍ରବଚକ ଡ. ବିପିନ ବିହାରୀ ମହାପାତ୍ର ଓ ତପନ କୁମାର ନାଏକ, ୧୦ ଓ ୧୧ ତାରିଖରେ ଜଗତସିଂହପୁର ପିହୁଡା ଗ୍ରାମର ବାବା ସତ୍ୟାନନ୍ଦ ଦାସ, ୧୨ ଓ ୧୩ ତାରିଖରେ କଟକର ଶ୍ରୀନିବାସ ଆଚାର୍ଯ୍ୟ ଏବଂ ୧୪ ଓ ୧୫ ତାରିଖରେ ଢେଙ୍କାନାଳ ଦୁଗ୍ଧରକୋଟ ଗ୍ରାମର ବିପିନ ବିହାରୀ ସାମଲ ଧର୍ମ ପ୍ରବଚନ କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢନ୍ତୁ...ଗବେଷଣା କ୍ଷେତ୍ରରେ ସୁବିଧା ପାଇବେ ଛାତ୍ରଛାତ୍ରୀ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ମଧ୍ୟରେ ଚୁକ୍ତି - BU MOU With ZSI

ଏତଦ୍‌ବ୍ୟତୀତ ସପ୍ତାହବ୍ୟାପୀ ପ୍ରତିଦିନ ଦିନବେଳା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଧ୍ୟାତ୍ମିକ ନୃତ୍ୟ, ଲୋକ ନୃତ୍ୟ, ଛଉ ନୃତ୍ୟ, ପାଇକ ଆଖଡା, ଯୋଡିଶଙ୍ଖ, ରଣପା ନୃତ୍ୟ ,କଣ୍ଢେଇ ନାଚ, ମାଲଖମ୍ବ, ଘୋଡା ନାଚ, ସମ୍ବଲପୁରୀ ନୃତ୍ୟ ଓ ଭଜନ ସମାରୋହ ଏବଂ ପବିତ୍ର ପଣା ସଂକ୍ରାନ୍ତି ଦିନ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ବାରା ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଅଖଣ୍ଡ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଏନେଇ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହା ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ସ୍ଥାନୀୟ ସ୍ଵେଚ୍ଛାସେବୀଙ୍କୁ ନେଇ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି । ମା’ତାରିଣୀ ଠାକୁରାଣୀଙ୍କ ଏହି ପ୍ରସିଦ୍ଧ ଚଇତି ପର୍ବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇ ମା’ଙ୍କ ସାନିଧ୍ୟ ଲାଭ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସୁଯୋଗ ନେବାକୁ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details