ଓଡିଶା

odisha

ETV Bharat / state

ଭିତରକନିକାକୁ ଇକୋ-ରିଟ୍ରିଟ୍‌ ବିପଦ ! ଅଭିଯୋଗ ପରେ ରାଜ୍ୟକୁ ସ୍ପଷ୍ଟୀକରଣ ମାଗିଲା କେନ୍ଦ୍ର

ଜାତୀୟ ଉଦ୍ୟାନ ସାମୁଦ୍ରିକ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପରିବେଶବିତଙ୍କ ଅଭିଯୋଗ । ରାଜ୍ୟକୁ ରିପୋର୍ଟ ମାଗିଲା କେନ୍ଦ୍ର । ସ୍ପଷ୍ଟୀକରଣ ପରେ ବଦଳିବ କି ସ୍ଥାନ ।

ଭିତରକନିକାକୁ ଇକୋ-ରିଟ୍ରିଟ୍‌ ବିପଦ ! ଅଭିଯୋଗ ପରେ ରାଜ୍ୟକୁ ସ୍ପଷ୍ଟୀକରଣ ମାଗିଲା କେନ୍ଦ୍ର
ଭିତରକନିକାକୁ ଇକୋ-ରିଟ୍ରିଟ୍‌ ବିପଦ ! ଅଭିଯୋଗ ପରେ ରାଜ୍ୟକୁ ସ୍ପଷ୍ଟୀକରଣ ମାଗିଲା କେନ୍ଦ୍ର (ETV Bharat Odisha)

By ETV Bharat Odisha Team

Published : Nov 24, 2024, 3:22 PM IST

କେନ୍ଦ୍ରାପଡା: ବିବାଦଘେରରେ ଭିତରକନିକା ଜାତୀୟ ଉଦ୍ୟାନ ନିକଟବର୍ତ୍ତୀ ପେଣ୍ଠଠାରେ ହେଉଥିବା ଇକୋ-ରିଟ୍ରିଟ୍‌ । ଜାତୀୟ ଉଦ୍ୟାନ ପରିସର ମଧ୍ୟରେ ଏହି ଇକୋ ରିଟ୍ରିଟ ହେଉଥିବାରୁ ବନ୍ୟଜନ୍ତୁଙ୍କ ସହ ସାମୁଦ୍ରିକ ଜୀବଙ୍କ ଉପରେ ଏହାର କୁପ୍ରଭାବ ପଡିବା ନେଇ ଅଭିଯୋଗ ହୋଇଥିଲା । ଏସମ୍ପର୍କରେ ରାଜ୍ୟ ଓ କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରି ପ୍ରସ୍ତାବିତ ଆୟୋଜନର ସ୍ଥାନ ପରିବର୍ତ୍ତନ କରିବାକୁ ପରିବେଶବିତ୍‌ ଦାବି କରିଥିଲେ । ଏନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ରାଜ୍ୟ ଜଙ୍ଗଲ ବିଭାଗକୁ ସ୍ପଷ୍ଟୀକରଣ ମାଗିଛି । ଏହି ସ୍ଥାନରେ ଆୟୋଜନ ବନ୍ୟପ୍ରାଣୀ ଓ ସାମୁଦ୍ରିକ ପ୍ରାଣୀଙ୍କୁ ପ୍ରଭାବିତ କରୁଛି କି ନାହିଁ, ସେ ସମ୍ପର୍କରେ ସ୍ପଷ୍ଟ କରିବାକୁ ଚିଠିରେ ନିର୍ଦ୍ଦେଶ ରହିଛି ।

  • ପେଣ୍ଠ ବେଳାଭୂମିର ହେବ ଇକୋ-ରିଟ୍ରିଟ୍‌

ଡିସେମ୍ବର ପହିଲାରୁ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସଲଗ୍ନ ଅଞ୍ଚଳ ମଧ୍ୟରେ ଆସୁଥିବା ପେଣ୍ଠ ବେଳାଭୂମିରେ ଆୟୋଜିତ ହେବାକୁ ଯାଉଛି ଚତୁର୍ଥ ବାର୍ଷିକ ଇକୋ-ରିଟ୍ରିଟ୍ । ଏହି କାର୍ଯ୍ୟକ୍ରମ ଆସନ୍ତାବର୍ଷ (2025) ଫେବୃଆରୀ 28 ତାରିଖରେ ଶେଷ ହେବା ନେଇ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ତେବେ ଏହି କାର୍ଯ୍ୟକ୍ରମ ଦ୍ଵାରା ପରିବେଶ ପ୍ରଦୂଷଣ ସାଙ୍ଗକୁ ବନ୍ୟଜନ୍ତୁଙ୍କ ଜୀବନ ଉପରେ ପ୍ରଭାବ ପଡିବ ବୋଲି ଅଭିଯୋଗ ହୋଇଛି । ଏଥିପାଇଁ ଇକୋ-ରିଟ୍ରିଟ୍‌କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ପରିବେଶବିତ ଆଳୟ ସାମନ୍ତରାୟଗତ ୧୨ ତାରିଖରେ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର (ବନ୍ୟପ୍ରାଣୀ) ଅତିରିକ୍ତ ମହାନିର୍ଦ୍ଦେଶକ, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଥିଲେ । ତେବେ ଏହି ଅଭିଯୋଗକୁ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇ ରାଜ୍ୟକୁ ସ୍ପଷ୍ଟୀକରଣ ତଲବ କରିଛନ୍ତି ।

ଭିତରକନିକା ନିକଟରେ ଇକୋ-ରିଟ୍ରିଟ୍‌, ଅଭିଯୋଗ ପରେ ଜଙ୍ଗଲ ବିଭାଗକୁ ସ୍ପଷ୍ଟୀକରଣ ମାଗିଲା କେନ୍ଦ୍ର (ETV Bharat odisha)
  • ଅଲିଭରିଡଲେଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା, ତଥାପି ଇକୋ-ରିଟ୍ରିଟ

ପ୍ରତିବର୍ଷ ନଭେମ୍ବରରୁ- ମେ' ମାସ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଅଲିଭରିଡଲେ ବିରଳ ସାମୁଦ୍ରିକ କଇଁଛଙ୍କ ପ୍ରବାସ ହୋଇଥାଏ । ସେମାନେ ଗହୀରମଥା ଓ ଏହାର ପାର୍ଶ୍ବବର୍ତ୍ତୀ ବେଳାଭୂମିରେ ଗଣ ଅଣ୍ଡାଦାନ କରନ୍ତି । ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ବନବିଭାଗ ବ୍ୟାପକ ପ୍ରସ୍ତୁତି କରିଥାଏ । ଦୀର୍ଘ 7ମାସ ପର୍ଯ୍ୟନ୍ତ ଉକ୍ତ ଏରିଆରେ ମତ୍ସ୍ୟଜୀବୀଙ୍କ ଗତିବିଧି ଓ ଟ୍ରଲର ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଥାଏ । ଯାହା ଏଥର ମଧ୍ୟ ଲାଗୁ ହୋଇଛି । କିନ୍ତୁ ପେଣ୍ଠ ବେଳାଭୂମିରେ ହେବାକୁ ଥିବା ଇକୋ-ରିଟ୍ରିଟ୍‌ ସ୍ଥାନ ମଧ୍ୟ ଭିତରକନିକା ଜାତୀୟ ଉଦ୍ୟାନ ପରିସର ମଧ୍ୟରେ ଆସୁଛି । ଯାହାକୁ ନେଇ ବନ୍ୟପ୍ରାଣୀ, ବିଶେଷ ଭାବେ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଚିନ୍ତା ଉଠିଛି ।

ଭିତରକନିକାକୁ ଇକୋ-ରିଟ୍ରିଟ୍‌ ବିପଦ ! ଅଭିଯୋଗ ପରେ ରାଜ୍ୟକୁ ସ୍ପଷ୍ଟୀକରଣ ମାଗିଲା କେନ୍ଦ୍ର (ETV Bharat Odisha)
ଭିତରକନିକାକୁ ଇକୋ-ରିଟ୍ରିଟ୍‌ ବିପଦ ! ଅଭିଯୋଗ ପରେ ରାଜ୍ୟକୁ ସ୍ପଷ୍ଟୀକରଣ ମାଗିଲା କେନ୍ଦ୍ର (ETV Bharat Odisha)
  • ଜମିବେ ପର୍ଯ୍ୟଟକ, ବଢିବ ପ୍ରଦୂଷଣ !

ଇକୋ-ରିଟ୍ରିଟ୍ ହେବା ଦ୍ବାରା ଉଚ୍ଚ କ୍ଷମତାସମ୍ପନ୍ନ ଲାଇଟ୍, ସାଉଣ୍ଡ ସାଙ୍ଗକୁ ପେଣ୍ଠ ସମୂଦ୍ରରେ ପର୍ଯ୍ୟଟକଙ୍କୁ ବୋଟରେ ଭ୍ରମଣ କରାଇବା ବ୍ୟବସ୍ଥା କରାଯିବ । ଏହା ସହ ପର୍ଯ୍ୟଟକଙ୍କ ବ୍ୟବହୃତ ବିଭିନ୍ନ ପ୍ରକାର ବର୍ଯ୍ୟବସ୍ତୁ, ପ୍ଲାଷ୍ଟିକ୍ ଓ ପଲିଥିନ ଆଦି ମାରାତ୍ମକ ପ୍ରଦୂଷଣଯୁକ୍ତ ସାମଗ୍ରୀ ବେଳାଭୂମିରେ ପଡିରହିବା ସହ ପରବର୍ତ୍ତୀ ସମୟରେ ସମୁଦ୍ର ଜଳରାଶିରେ ମିଶିଥାଏ । ଏହା ସିଧାସଳଖ ଅଲିଭ୍ ରିଡଲେ କଇଁଛ, ଡଲଫିନ୍ ଓ ଅନ୍ୟ ସାମୁଦ୍ରିକ ଜୀବଙ୍କର ଜୀବନ ପ୍ରତି ବିପଦ ଆଶଙ୍କା ସୃଷ୍ଟି କରିଛି । ପେଣ୍ଠଠାରେ ଇକୋ-ରିଟ୍ରିଟକୁ ବନ୍ଦ କରି ଅନ୍ୟତ୍ର କରିବାକୁ ପରିବେଶବିତ ଆଳୟ ସାମନ୍ତରାୟ ଦାବି କରିଛନ୍ତି ।

ଭିତରକନିକାକୁ ଇକୋ-ରିଟ୍ରିଟ୍‌ ବିପଦ ! ଅଭିଯୋଗ ପରେ ରାଜ୍ୟକୁ ସ୍ପଷ୍ଟୀକରଣ ମାଗିଲା କେନ୍ଦ୍ର (ETV Bharat Odisha)
ଭିତରକନିକାକୁ ଇକୋ-ରିଟ୍ରିଟ୍‌ ବିପଦ ! ଅଭିଯୋଗ ପରେ ରାଜ୍ୟକୁ ସ୍ପଷ୍ଟୀକରଣ ମାଗିଲା କେନ୍ଦ୍ର (ETV Bharat Odisha)
  • କୌଣସି ସୂଚନା ମିଳିନଥିବା କହିଲେ ଡିଏଫଓ:-

ଅପରପକ୍ଷରେ ପେଣ୍ଠ ବେଳାଭୂମୀ ହେଉଛି ଭିତରକନିକା ଜାତୀୟ ଉଦ୍ୟନର ଏକ ଅଂଶ । ଗହୀରମଥା ସାମୂଦ୍ରିକ ଅଭୟାରଣ୍ୟ ଭିତରେ ମଧ୍ୟ ଏହି ସ୍ଥାନଟି ଆସୁଥିବାରୁ ଏଠାରେ ଇକୋ-ରିଟ୍ରିଟ୍ ହେବା ‘ବନ୍ୟପ୍ରାଣୀ ସୁରକ୍ଷା ଆଇନ-୧୯୭୨’କୁ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ହୋଇଛି । କେନ୍ଦ୍ରର ସ୍ପଷ୍ଟୀକରଣ ସମ୍ପର୍କରେ ରାଜନଗର ବନଖଣ୍ଡ ଅଧିକାରୀଙ୍କୁ ପଚାରିବାରୁ ଏ ସମ୍ପର୍କରେ ତାଙ୍କୁ କୌଣସି ସୂଚନା ଆସିନାହିଁ ବୋଲି କହିଛନ୍ତି । ଯେତେବେଳେ ଇକୋ-ରିଟ୍ରିଟ ହେଉଛି, ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ କାର୍ଯ୍ୟକ୍ରମ କରାଯାଉଛି ବୋଲି ଡିଏଫଓ କହିଛନ୍ତି । କେନ୍ଦ୍ର ସ୍ପଷ୍ଟୀକରଣ ଜବାବରେ ରାଜ୍ୟ ବନ ବିଭାଗ କଣ ଉତ୍ତର ରଖିବ, ନା କାର୍ଯ୍ୟକ୍ରମ ସ୍ଥାନ ପରିବର୍ତ୍ତନ ହେବ, ତାହା ପରବର୍ତ୍ତୀ ସମୟରେ ଜଣାପଡିବ ।

ଭିତରକନିକାକୁ ଇକୋ-ରିଟ୍ରିଟ୍‌ ବିପଦ ! ଅଭିଯୋଗ ପରେ ରାଜ୍ୟକୁ ସ୍ପଷ୍ଟୀକରଣ ମାଗିଲା କେନ୍ଦ୍ର (ETV Bharat Odisha)

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details