ଭୁବନେଶ୍ବର: ପାଳନ ହୋଇଛିମହାନ ବିପ୍ଲବୀ ତଥା ସ୍ବାଧୀନତା ସଂଗ୍ରାମର ପ୍ରଥମ ଯୋଦ୍ଧା, ଓଡିଶାର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ଓ ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ। ଲାଲ ମାଟି ଖୋର୍ଦ୍ଧାଗଡ଼ରୁ ସୁତ୍ରପାତ ହୋଇଥିଲା ପାଇକ ବିଦ୍ରୋହ । ଏହାର ମୁଖ୍ୟ ନାୟକ ଥିଲେ ବକ୍ସି ଜଗବନ୍ଧୁ । ଆଜି ସେ ମହାନ ବୀରପୁରୁଷଙ୍କୁ ମନେ ପକାଇ ବକ୍ସିଙ୍କ ଶ୍ରାଦ୍ଧ ବାର୍ଷିକ ସାରା ରାଜ୍ୟ ପାଳନ କରୁଛି । ତେବେ ଏହି ଅବସରରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ଦାବି ହୋଇଥିବା କହିଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।
ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ:
ବକ୍ସି ଜଗବନ୍ଧୁଙ୍କୁ ମନେ ପକାଇଛନ୍ତି ରାଜ୍ୟବାସୀ । ନେତା, ମନ୍ତ୍ରୀ, ବିଧାୟକ, ବୁଦ୍ଧିଜୀବୀ ଓ ଭାଷା ସାହିତ୍ୟ ସଂସ୍କୃତିର ସଦସ୍ୟମାନେ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସରେ ଭୁବନେଶ୍ବର ମ୍ୟୁଜିୟମ ଛକରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ତାଙ୍କର ସ୍ମୃତି ଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପୂର୍ବତନ ଜଟଣୀ ବିଧାୟକ ସୁର ରାଉତରାୟ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଉପସ୍ଥିତ ରହି ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଏହି ଅବସରରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବି ଉଠିଥିବାବେଳେ ସରକାର ଏନେଇ ଚେଷ୍ଟିତ ଅଛନ୍ତି ବୋଲି କହିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।
ଆଜି ପାଇକ ଜାତି ପାଇଁ ଗର୍ବର ଦିନ:
ଏହି ଅବସରରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି, "ଆଜି ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ବାର୍ଷିକ । ଏହା ପାଇକ ଜାତି ପାଇଁ ଏକ ଗର୍ବର ଦିନ । ତ୍ୟାଗ, ବଳିଦାନ, ମାଟି ମାଆ ପାଇଁ ଲଢ଼ିବା ଓ ଦେଶର ସ୍ବାଧୀନତା ସଂଗ୍ରାମର ପ୍ରଥମ ପାଇକ ବିଦ୍ରୋହର ନେତୃତ୍ବ ନେଇଥିବା ବକ୍ସି ଜଗବନ୍ଧୁଙ୍କ ଆଜି ଶ୍ରାଦ୍ଧ ଦିବସ । ଆଜିର ଶ୍ରାଦ୍ଧ ଦିବସ ଓଡ଼ିଶାର ଯୁବକମାନଙ୍କୁ ପ୍ରେରଣା ଦେଉଛି ଯେ, ଏ ଜାତିର ଦାୟଦମାନେ ଜୀବନକୁ ଉତ୍ସର୍ଗୀକୃତ କରି ମାଟି ମାଆ ପାଇଁ ଲଢେଇ କରିଥିଲେ । ଏକବିଂଶ ଶତାବ୍ଦୀରେ ଆଜିର ଯୁବ ସମାଜ ସେହିଭଳି ଆଦର୍ଶରେ ଅନୁପ୍ରାଣିତ ହେଇ ସମାଜକୁ ଗଠନ କରିବା ଓ ରାଷ୍ଟ୍ର ନିର୍ମାଣରେ ସହଭାଗୀ ହେବେ ।"