କୋରାପୁଟ/ନିଆଳି: ଘାଟିରେ ଓଲଟିଲା ବସ୍ । ଆଜି ଭୋର ୫ଟା ବେଳେ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ପାଖ ସୁକୁନାଳ ପାଖରେ ବସ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । କଟକରୁ ଗୁପ୍ତେଶ୍ୱର ଯାଉଥିବା ଏହି ବସରେ ୫୦ରୁ ଅଧିକ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ କଟକ ଜିଲ୍ଲାର ବୋଲି ଜଣାପଡ଼ିଛି । ଆହତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ବୈପାରୀଗୁଡାସ୍ଥିତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମୃତାହତଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି । ସେପଟେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଦୁର୍ଘଟଣା, ୪ ମୃତ:
ସୂଚନା ଅନୁସାରେ, କଟକରୁ ଏକ ଯାତ୍ରୀବାହୀ ବସ କଟକ ଅଲିଶାବଜାର, ନିଆଳି ଓ ନିମାପଡ଼ା ଅଞ୍ଚଳର କିଛି ଲୋକଙ୍କୁ ନେଇ କୋରାପୁଟ ଗୁପ୍ତେଶ୍ବର ଶୈବପୀଠକୁ ଦର୍ଶନ ପାଇଁ ଯାଉଥିଲେ । ଆଜି ସକାଳ ସମୟରେ ବସଟି ହଠାତ ଭାରସାମ୍ୟ ହରାଇ ଗୁପ୍ତେଶ୍ୱର ପାଖ ସୁକୁନାଳ ପାଖରେ ଥିବା ଏକ ଘାଟିରୁ ଖସି ପଡ଼ିଥିଲା । ବସରେ ପାଖାପାଖି ୪୦ରୁ ୫୦ ଜଣ ଯାତ୍ରୀ ରହିଥିଲେ । ଦୁର୍ଘଟଣା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇଁ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଆହତଙ୍କ ମଧ୍ୟରେ ଅନେକ ଶିଶୁ, ବୃଦ୍ଧା ଓ ମହିଳା ଥିବା ସୂଚନା ମିଳିଛି । ତେବେ କିଛି ଜଣ ଅତି ଗୁରୁତର ଆହତ ଥିବାବେଳେ ସେମାନଙ୍କୁ ବ୍ରହ୍ମପୁରକୁ ସ୍ଥାନାସ୍ତର କରାଯାଉଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢ଼ନ୍ତୁ...ଦୁର୍ଘଟଣା ପରେ ହୁତୁ ହୁତୁ ଜଳିଗଲା ବାଇକ, 2 ମୃତ ଏହା ମଧ୍ୟ ପଢ଼ନ୍ତୁ...ପୋଲରେ ଭାରସାମ୍ୟ ହରାଇଲା ବସ, କେନାଲକୁ ଓଲଟି ପଡିଲା |