ଭୁବନେଶ୍ବର:ନିର୍ବାଚନ ପୂର୍ବରୁ ନକ୍ସଲ ଅପରେସନ ଜୋରଦାର । ଆନ୍ଧ୍ର ଓ ଛତିଶଗଡ଼ ମୁହାଁ ହେଉଛନ୍ତି ମାଓବାଦୀ । ତେଣୁ ମାଓ ଅଧ୍ୟୁଷିତ ବୌଦ୍ଧ ଜିଲ୍ଲାରେ ଏବେ ନୂଆ COB (Company Operative Base) ତିଆରି ହେବ । ଯାହାଦ୍ବାରା ଇଲେକ୍ସନ ମୁଭମେଣ୍ଟ ଭଲ ହୋଇପାରିବ ବୋଲି ସୂଚନା ଦେଇଛନ୍ତି BSF ଡିଆଇଜି ଧୀରେନ କୁମାର । ସେ କହିଛନ୍ତି, "ଗତ ଫେବୃଆରୀ ୨୮ତାରିଖରେ କନ୍ଧମାଳ ଓ ବୌଦ୍ଧ ସୀମାନ୍ତ ବଡାପାଜୁରେ ଏକ ସିଓବି ପ୍ରତିଷ୍ଠା କରାଯାଇଛି । ସେହି ଦୁର୍ଗମ ମାଓ ଅଧ୍ୟୁଷିତ ଅଞ୍ଚଳରେ ମାଓ ଅପରେସନ କରି ସେଠାରେ BSF ଲୋକଙ୍କ ସହ ଯୋଡ଼ି ହେଉଛି । ବାଲିଗୁଡ଼ାରେ ମଧ୍ୟ ଏକ ସିଓବି କରି ସେଠାରେ ଫୋର୍ସ ଡିପ୍ଲୋୟମେଣ୍ଟ କରାଯାଇଛି ।
ବର୍ତ୍ତମାନ ମାଓ ଅପରେସନକୁ ଜୋରଦାର କରାଯାଉଛି । BSF, SOG, CRPF ଏବଂ ଓଡ଼ିଶା ପୋଲିସ ମିଳିତ ଭାବେ ଅପରେସନ ଜୋରଦାର କରିଛନ୍ତି । ଏବେ ଅଧିକାଂଶ ମାଓବାଦୀ ଛତ୍ରଭଙ୍ଗ ଦେଇ ଆନ୍ଧ୍ର ଓ ଛତିଶଗଡ଼ ମୁହାଁ ହୋଇଛନ୍ତି । କାରଣ ଜାନୁଆରୀରୁ ଏଯାବତ୍ ୬ ଥର ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହେଲାଣି । ଏହାଦ୍ବାରା ମାଓବାଦୀ ନିହତ ହେଉଛନ୍ତି । ପୋଲିସ ଓ ଯବାନମାନେ ଅନେକ ସମୟରେ ଆହତ ବା ସହୀଦ ହେଉଛନ୍ତି । ନିକଟରେ କେକେବିଏନର କମାଣ୍ଡର ଦସ୍ୟୁ ମଧ୍ୟ ନିହତ ହୋଇଥିଲା । ମାଓବାଦୀ ଧୀରେ ଧୀରେ ପଡୋଶୀ ରାଜ୍ୟ ମୁହାଁ ହେଉଛନ୍ତି । ତେଣୁ ନିର୍ବାଚନ ପରିଚାଳନା ଶାନ୍ତି ଶୃଙ୍ଖଳା ସହ କରିବାକୁ ପ୍ରସ୍ତୁତି ଜୋରଦାର ହୋଇଛି । ମାଓ ପ୍ରଭାବିତ ଜିଲ୍ଲାରେ ମାଓ ଦମନ କରାଯିବ ଏବଂ ଦୁର୍ଗମ ଅଞ୍ଚଳରେ ବିଏସଏଫ୍ ପହଞ୍ଚିବ ବୋଲି କୁହାଯାଇଛି ।
ଏହା ମଧ୍ୟ ପଢନ୍ତୁ...ପାଇକମାଲ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ, ବିପୁଳ ସାମଗ୍ରୀ ଜବତ