ବୌଦ୍ଧ: ପାଦରେ ଚାଲି ଚାଲି ଉପାନ୍ତ ତଥା ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ ବୌଦ୍ଧ ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର । ବଣ ଜଙ୍ଗଲ ତଥା ଘାଟି ରାସ୍ତାରେ ଚାଲି ଚାଲି ଉପଜିଲ୍ଲାପାଳ ଅନ୍ୟ କର୍ମଚାରୀଙ୍କ ସହିତ ଅପହଞ୍ଚ ଇଲାକା ମାତାଗାଡୁ ଗାଁରେ ପହଞ୍ଚି ହିତାଧିକାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ପାଖାପାଖି କୋଡିଏ କିଲୋମିଟର ବଣ ଜଙ୍ଗଲ ଓ ଘାଟି ରାସ୍ତା ଅତିକ୍ରମ କରି ସେ ଲୋକମାନଙ୍କ ପାଖରେ ପହଞ୍ଚିଛନ୍ତି ।
ଏହାମଧ୍ୟ ପଢନ୍ତୁ... ବୌଦ୍ଧ ପଞ୍ଚାୟତ କଲେଜକୁ ଜିଲ୍ଲାପାଳଙ୍କ ଗସ୍ତ, ସମସ୍ୟା ଜଣାଇଲେ ଛାତ୍ରଛାତ୍ରୀ
ବୌଦ୍ଧ ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ ଭାବରେ ପରିଚିତ ଦୁର୍ଗମ ଅଞ୍ଚଳରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ । ଗୁରୁବାର ଦିନ ବୌଦ୍ଧ ଉପଜିଲ୍ଲାପାଳ ସଦର ବ୍ଲକ ଅନ୍ତର୍ଗତ ଆମ୍ବଝରୀ ପଞ୍ଚାୟତର ଉପାନ୍ତ ତଥା ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଥିବା ମାତାଗାଡୁ ଗ୍ରାମ ପରିଦର୍ଶନ କରିଛନ୍ତି । ତିଲପଙ୍ଗାଠାରୁ ବିଭିନ୍ନ ଜଙ୍ଗଲ ପାହାଡ଼ର ଘାଟି ରାସ୍ତା ଚଢି ପାଦରେ ଚାଲି ଚାଲି ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର ମାତାଗାଡୁ ଗ୍ରାମରେ ପହଞ୍ଚିଥିଲେ । ପାଖାପାଖି କୋଡିଏ କିଲୋମିଟର ବଣ ଓ ଘାଟି ରାସ୍ତା ଅତିକ୍ରମ କରିଥିଲେ । ଉପଜିଲ୍ଲାପାଳଙ୍କ ସହିତ ଇଟିଭି ଭାରତ ଟିମ୍ ସମେତ ସେକ୍ଟର ଅଫିସର ଅନିଲ ପ୍ରଧାନ, ପଞ୍ଚାୟତ ଯନ୍ତ୍ରୀ ମନୋଜ ବେହେରା ଓ ବନ କର୍ମଚାରୀ ଯାଇଥିଲେ ।