ବିସ୍ଫୋରକ ଆଇଡିକୁ ସୁରକ୍ଷିତ ଉଦ୍ଧାର କଲା ବୌଦ୍ଧ ପୋଲିସ, ମାଓ ମୁକ୍ତ ଜିଲ୍ଲା ପାଇଁ ଏସପିଙ୍କ ଆହ୍ବାନ ବୌଦ୍ଧ: ଜିଲ୍ଲାରେ ପୋଲିସ ନିଜର ସକ୍ରିୟତା ବୃଦ୍ଧି କରିଛି । ମାଓବାଦୀଙ୍କ ବିରୁଦ୍ଧରେ ମିଳୁଛି ସଫଳତା । ଗତ ଦୁଇ ମାସ ମଧ୍ୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ପାଞ୍ଚ ପାଞ୍ଚ ଥର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସବୁଥର ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଛନ୍ତି । ଏହାଛଡା କେତେକ ମାଓ କ୍ୟାମ୍ପ ଧ୍ବଂସ କରିବା ସହିତ ପୋଲିସ ଦ୍ବାରା ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି । ଏହାଛଡା ବୌଦ୍ଧ ଜିଲ୍ଲାରେ ସକ୍ରିୟ ଥିବା କେକେବିଏନ ମାଓ ଡିଭିଜନର ଚାରିଜଣ ମାଓବାଦୀଙ୍କ ଆତ୍ମସମର୍ପଣ ପୋଲିସର କାର୍ଯ୍ୟଦକ୍ଷତାକୁ ଅଧିକ ବଢ଼ାଇ ଦେଇଛି । ଗତ କିଛି ଦିନ ହେଲା ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଗତ ଜାନୁଆରୀ ୧୮ ଓ ଫେବୃଆରୀ ୧୫ ତାରିଖରେ କମ୍ବିଂ ଅପରେସନ ଦ୍ବାରା ବିସ୍ଫୋରକ ଆଇଡିକୁ ସୁରକ୍ଷିତ ଭାବରେ ପୋଲିସ ଉଦ୍ଧାର କରିଥିବା ଏକ ପ୍ରେସ ମିଟରେ ବୌଦ୍ଧ ଏସପି ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ ...ପାଇକମାଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ: ମାଓ କ୍ୟାମ୍ପ ଧ୍ୱଂସ, ଛତ୍ରଭଙ୍ଗ ଦେଲେ ମାଓବାଦୀ
ବୌଦ୍ଧ ଜିଲ୍ଲାର ବେଆଇନ ଗଞ୍ଜେଇ ଚାଷ ସହିତ ମାଓବାଦୀଙ୍କ ସମ୍ପର୍କ ରହିଥିବା ଜିଲ୍ଲା ପୋଲିସ ଏସପି ସୂଚନା ଦେଇଛନ୍ତି । ସେଥିପାଇଁ ଜିଲ୍ଲାରେ ଆଣ୍ଟି ନାର୍କୋଟିକ୍ସ ଓ ଆଣ୍ଟି କାନାବିଶ୍ ଅଭିଯାନ ଜୋରଦାର ତରିକାରେ ଚାଲୁଛି । ବୌଦ୍ଧ ଜିଲ୍ଲାର ଘଣ୍ଟାପଡା ଥାନା ଅଞ୍ଚଳରେ ବୌଦ୍ଧ ପୋଲିସ ଜନ ମୈତ୍ରୀ ଅଭିଯାନ ମାଧ୍ୟମରେ ହିଂସା ଛାଡ ଦେଶ ଗଢର ନାରା ଦେଇ ସାଧାରଣ ନାଗରିକଙ୍କ ନିକଟତର ହେବାକୁ ପ୍ରୟାସ କରିଛି । ମହିଳା ମାଓବାଦୀ ମାନଙ୍କ ଆତ୍ମସମର୍ପଣ ବୌଦ୍ଧ ଜିଲ୍ଲା ପୋଲିସର ସଫଳତାକୁ ଦର୍ଶାଉଛି ।
ସୂଚନାଯୋଗ୍ୟଯେ ଜାନୁଆରୀ ମାସରେ ବୌଦ୍ଧରେ ମାଓ-ସୁରକ୍ଷାବଳ ମୁହାଁ ମୁହିଁ ଯୋଗୁଁ ପାଖାପାଖି 30ରୁ 40 ମାଓବାଦୀ ମାଓ ଶିବିର ଛାଡ଼ି ପଳାଇଯାଇଥିବା ବେଳେ ମାଓ କ୍ୟାମ୍ପରୁ ବିପୁଳ ପରିମାଣର ରାଇଫଲ, ଲ୍ୟାଣ୍ଡ ମାଇନ, ବୋମା ସମେତ ବିପୁଳ ମାଓ ସାମଗ୍ରୀ ଜବତ କରିଥିଲେ ସୁରକ୍ଷାକର୍ମୀ । ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକାଧିକ ଥର ମାଓ ସଂଗଠନ ପକ୍ଷରୁ ମାଓ ପୋଷ୍ଟର ଲଗାଯାଇ ବେଆଇନ ଗଞ୍ଜେଇ ଚାଷ, ଜଳ, ଜମି ଜଙ୍ଗଲ ଆଇନର ବ୍ୟବହାର, ଗରିବ ଚାଷୀ ମୂଲିଆଙ୍କୁ ସହଯୋଗ ଭଳି ବିଭିନ୍ନ ଆହ୍ବାନ ଦିଆଯାଇଛି ।
ଇଟିଭି ଭାରତ, ବୌଦ୍ଧ