ବୌଦ୍ଧ: ଭିଜିଲାନ୍ସ ଜାଲରେ ବିଇଓ ଅଫିସର କିରାଣୀ । ଶିକ୍ଷୟିତ୍ରୀଙ୍କ ଠାରୁ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ଶିକ୍ଷୟତ୍ରୀଙ୍କ ବିରୋଧରେ ଥିବା ପ୍ରୋସେସିଙ୍ଗ ଫାଇଲକୁ ରଫାଦଫା କରିବା ପାଇଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ବରିଷ୍ଠ କିରାଣୀ ରବୀନ୍ଦ୍ର ପାଢୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ହଟହଟା ହୋଇଛନ୍ତି ।
ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରବୀନ୍ଦ୍ର ପାଢୀ ନାମକ ବରିଷ୍ଠ କିରାଣୀ ଜଣଙ୍କ ହରଭଙ୍ଗା ବ୍ଲକ ଅଞ୍ଚଳର ଜଣେ ଶିକ୍ଷୟତ୍ରୀଙ୍କ ବିରୋଧରେ ଥିବା ପ୍ରୋସେସିଙ୍ଗ ଫାଇଲଟିକୁ ରଫାଦଫା ପାଇଁ ଚାଳିଶ ହଜାର ଟଙ୍କା ଦାବି କରିଥିଲେ । ତେବେ ଉକ୍ତ ଲାଞ୍ଚ ବାବଦ ଅର୍ଥ ଦୁଇଟି କିସ୍ତିରେ ଦେବାକୁ ସ୍ଥିର ହୋଇଥିଲା । ଆଜି (ଶୁକ୍ରବାର) ପ୍ରଥମ ପର୍ଯ୍ୟାୟର 20 ହଜାର ଟଙ୍କା ଦେବାକୁ ଥିଲା । ଏହା ଭିତରେ ସମ୍ପୃକ୍ତ ଶିକ୍ଷୟତ୍ରୀ ଜଣଙ୍କ ଏନେଇ ବ୍ରହ୍ମପୁର ଭିଜିଲାନ୍ସ ସହିତ ଯୋଗାଯୋଗ କରିଥିଲେ । ପୂର୍ବ ଯୋଜନା ମୁତାବକ ଆଜି ଭିଜିଲାନ୍ସର ଏକ ଟିମ ଛକି ବସିଥିଲେ । ଶିକ୍ଷୟିତ୍ରୀ ଜଣକ କିରାଣୀ ରବୀନ୍ଦ୍ରଙ୍କୁ 20 ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା । ରବୀନ୍ଦ୍ରଙ୍କୁ ତୁରନ୍ତ ବୌଦ୍ଧ ଚାରିଛକରୁ ଫୁଲବାଣୀ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇ ଅଧିକ ତଦନ୍ତ ଆରମ୍ଭ କରାଯାଇଛି ।