ବୌଦ୍ଧ:ଜିଲ୍ଲାର ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜିଲ୍ଲାପାଳ ଓ ଏସପିଙ୍କ ଦୁର୍ବ୍ୟବହାର କରିଥିବା ପ୍ରସଙ୍ଗରେ ପଡିଲା ପୂର୍ଣ୍ଣଚ୍ଛେଦ । ଘଟଣାକୁ ନେଇ ଗତକାଲି (ସୋମବାର) ସ୍ବାସ୍ଥ୍ୟ ବିଭାଗ କ୍ରୋଧାନ୍ୱିତ ମନୋଭାବ ପ୍ରଦର୍ଶନ କରିଥିବା ବେଳେ ଆଜି (ମଙ୍ଗଳବାର) ରାଜ୍ୟ ଓମସାର କର୍ମକର୍ତ୍ତାଙ୍କ ଭିତିରିଆ ବୁଝାମଣା ପରେ ସବୁ ପରିସ୍ଥିତି ସାମାନ୍ୟ ହୋଇଥିବା ଜଣାପଡିଛି ।
ଗୋଟିଏ ଦିନ ପୂର୍ବରୁ ଚରମ ନିଷ୍ପତ୍ତି ନେଇଥିବା ସ୍ବାସ୍ଥ୍ୟ ବିଭାଗ ଆଜି (ମଙ୍ଗଳବାର) ରାଜ୍ୟ ଓମସାର କର୍ମକର୍ତ୍ତାଙ୍କ ଭିତିରିଆ ବୁଝାମଣା ଯୋଗୁଁ ଆନ୍ଦୋଳନରେ ପାଣି ଢ଼ାଳି ଦେଇଛି । ଗୋଟିଏ ଦିନ ପୂର୍ବରୁ ଜିଲ୍ଲାର ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ମାମଲାରେ ଆଜି ନୂଆ ମୋଡ଼ ଆସିବା ସହିତ ଏଥିରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡିଥିବା ଜଣାପଡିଛି ।
ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିନରେ ଥିବା ଏକ କୋଠା ପରିଦର୍ଶନ ପାଇଁ ଗତ ଶନିବାର ଅପରାହ୍ନରେ ଜିଲ୍ଲାପାଳ ଜେ ସୋନାଲ ଓ ଏସପି ରାଜ ପ୍ରସାଦ ପହଞ୍ଚିଥିଲେ । ସେଠାରେ ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ମଦନ ମୋହନ ପ୍ରଧାନଙ୍କୁ ଜିଲ୍ଲାପାଳ ଓ ଏସପି ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବୌଦ୍ଧ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ତେବେ ଏ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ସୋମବାର ସନ୍ଧ୍ୟାରେ ରାଜ୍ୟ ଓମସାର କର୍ମକର୍ତ୍ତା ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।