ଭୁବନେଶ୍ୱର:ରାଜଧାନୀରେ ଖୋଲିଲା ବିଏମସିର କୁକୁର ବନ୍ଧ୍ୟାକରଣ କେନ୍ଦ୍ର । ବୁଲା କୁକୁରଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇବା ଓ ଜଳାତଙ୍କ ରୋଗ ମୁକ୍ତ କରିବା ଲକ୍ଷ୍ୟରେ ବିଏମ୍ସି ଏହି ବନ୍ଧ୍ୟାକରଣ କେନ୍ଦ୍ରର ଉଦଘଟଣା କରିଛି । ବିଏମସି ମେୟର ସୁଲୋଚନା ଦାଶ ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତ ଆଜି ଶ୍ଵାନ ବନ୍ଧ୍ୟାକରଣ କେନ୍ଦ୍ରର ଉଦଘାଟନ କରିଛନ୍ତି । ଏହି ନୂତନ ବନ୍ଧ୍ୟାକରଣ କେନ୍ଦ୍ରରେ ୨୪୦ଟି କୁକୁର ରହିବାର କ୍ଷମତା ରହିଛି ।
ଏଥିରେ ୪୮ଟି ଶ୍ଵାନ ଗୃହ ରହିଥିବା ବେଳେ ୨ଟି ଅପରେସନ ଥିଏଟର, ୫ଟି ଅପରେସନ ଟେବୁଲ ସହ ଅତ୍ୟାଧୁନିକ ଅପରେସନ ଉପକରଣମାନ ରହିଛି । ଏଠାରେ ପ୍ରତିଦିନ ୧୦୦ଟି କୁକୁର ବନ୍ଧ୍ୟାକରଣ ହୋଇପାରିବ । ଯଦି ଆପଣଙ୍କ ଅଂଚଳରେ କୁକୁରର ଦୌରାତ୍ମ୍ୟ ବଢୁଛି କିମ୍ବା କେଉଁଠି କୁକୁର ଯୋଗୁଁ ଆପଣ ଅସୁବିଧାରେ ପଡୁଛନ୍ତି, ସେଭଳି ସ୍ଥଳେ ବିଏମସି ପକ୍ଷରୁ ଜାରି ହୋଇଥିବା ହେଲ୍ପଲାଇନ ନମ୍ବର ୧୯୨୯ ରେ କଲ କରିପାରିବେ ବୋଲି କହିଛି ବିଏମସି ।
କୁକୁରମାନଙ୍କୁ ଆଣିବା ଓ ଛାଡିବା ପାଇଁ ୨ଟି ଶ୍ଵାନ ଯାନ ବା ଗାଡି ରହିଛି । କୁକୁରଙ୍କର ବନ୍ଧ୍ୟାକରଣ ପାଇଁ ଆବଶ୍ୟକ ଡାକ୍ତର, ଚିକିତ୍ସା ସହାୟକ ଏବଂ କର୍ମଚାରୀ ମଧ୍ୟ ରହିଛନ୍ତି ବୋଲି କହିଛନ୍ତି ଭୁବନେଶ୍ୱର ମେୟର । ତେବେ ବୁଲା କୁକୁରଙ୍କୁ ଶ୍ଵାନ ଯାନ ଯୋଗେ ଏଠାକୁ ଆଣି, ସରକାରୀ ନିୟମ ଏବଂ ସୁପ୍ରିମ କୋର୍ଟଙ୍କ ଗାଇଡ ଲାଇନ ଅନୁସାରେ ସେମାନଙ୍କୁ ପୃଥକ ଭାବେ ରଖାଯିବା ସହ ସେମାନଙ୍କ ଖାଇବା, ପିଇବା ଏବଂ ଯତ୍ନ ନିଆଯିବ।