ଭୁବନେଶ୍ୱର: ରାଜଧାନୀରେ ଥିବା ଡାକ୍ତରଖାନାରେ ଡାକ୍ତର ଅଭାବ । ଏକାମ୍ର ନିର୍ବାଚନ ମଣ୍ଡଳୀର କପିଳପ୍ରସାଦ-ସୁନ୍ଦରପଦା ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଡାକ୍ତର । ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଲା ବିଜେପି । ମେଡ଼ିକାଲ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଲେ ୱାର୍ଡ଼ ନଂ ୬୭ର କର୍ପୋରେଟର ମଧୁସ୍ମିତା ପ୍ରଧାନ, ସ୍ଥାନୀୟ ଜନସାଧାରଣ ଓ ବିଜେପି କର୍ମୀ ।
ବିଜେପି ଜିଲ୍ଲା ସଭାପତି ବାବୁ ସିଂ ଧାରଣାରେ ସାମିଲ ହୋଇ କହିଛନ୍ତି, ''ସବୁବେଳେ ମୁଖ୍ୟମନ୍ତ୍ରୀ କୁହନ୍ତି ସମଗ୍ର ଓଡ଼ିଶାବାସୀ ମୋ ପରିବାର । ହେଲେ ତାଙ୍କ ବାସଭବନଠାରୁ ଏକ କିଲୋମିଟର ଦୂରରେ ଏଭଳି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଦେଖିଲେ ମୁଖ୍ୟମନ୍ତ୍ରୀଙ୍କ କଥା ହାସ୍ୟାସ୍ପଦ ଭଳି ଲାଗୁଛି । ଯଦି ରାଜଧାନୀ ଭୁବନେଶ୍ୱରରେ ଅବସ୍ଥିତ ମେଡ଼ିକାଲରେ ଡାକ୍ତର ରହୁନାହାନ୍ତି ତେବେ ଦୂରଦୂରାନ୍ତର କଥା ଭାବିଲେ ମନରେ ଭୟ ସୃଷ୍ଟି ହେଉଛି ।''
ଏହା ମଧ୍ୟ ପଢନ୍ତୁ- ଗାନ୍ଧୀ ମାର୍ଗରେ ଓଷ୍ଟାର ଆନ୍ଦୋଳନ, ଦାବି ପୂରଣ ପାଇଁ ଅହୋରାତ୍ର ଗଣଧାରଣା
ସେ ଆହୁରି ମଧ୍ୟ କହିଥିଲେ ଯେ, ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଏହି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି । ସରକାର କେବଳ ବିକାଶ ବିଜ୍ଞାପନରେ କରିଛି ସତରେ ନୁହେଁ । ଏହି ହସ୍ପିଟାଲ ଉପରେ ଆଖପାଖ ଅଞ୍ଚଳର ବହୁ ଲୋକ ନିର୍ଭରଶୀଳ ମାତ୍ର ଦୀର୍ଘ ଦିନ ଧରି ଏଠାରେ କୌଣସି ଡାକ୍ତର ନିଯୁକ୍ତି ହେଉନାହାନ୍ତି, ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।