ଭୁବନେଶ୍ବର: ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ୧୦ ତାରିଖରେ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ରୋଡ୍ ସୋ' । ସନ୍ଧ୍ୟା ୬ଟା ସମୟରେ ଭୁବନେଶ୍ଵରରେ ରୋଡ ସୋ' କରିବେ ପ୍ରଧାନମନ୍ତ୍ରୀ । ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ଏହି ରୋଡ ସୋ' ହେବ । ଏହି ରୋଡ ସୋ'ରେ ଯୋଗ ଦେବାକୁ ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଅଡିଓ ବାର୍ତ୍ତା ଦ୍ବାରା ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ସେପଟେ ମୋଦିଙ୍କ ରୋଡ ସୋ' ପାଇଁ ବିଜେପିର ପ୍ରସ୍ତୁତି ଜୋରସୋରରେ ଚାଲିଛି । ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ପକ୍ଷରୁ ସତ୍ୟନଗର କାଳୀ ମନ୍ଦିରଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଭୁବନେଶ୍ଵର ମଧ୍ୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ନିୟୋଜିତ ପ୍ରଭାରୀ ତଥା ରାଜସ୍ଥାନର ମନ୍ତ୍ରୀ ମଞ୍ଜୁଳା ବାଗମରା ଉପସ୍ଥିତ ରହି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ମୋଦିଙ୍କ ରୋଡ୍ ସୋ'ରେ ୨ ଲକ୍ଷ ଲୋକଙ୍କୁ ଏକାଠି କରିବାକୁ ଯୋଜନା କରିଛି ଦଳ ।
ତେବେ ଓଡ଼ିଶାରେ ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ବିଭିନ୍ନ ଦଳ ନିଜ ନିଜ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି । ରାଜ୍ୟରେ ଶାସକ ବିଜେଡି ପାଇଁ ବିଭିନ୍ନ ସ୍ଥାନ ଗସ୍ତ କରି ଭୋଟ ମାଗୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଦଳର ପ୍ରଚାର ମଙ୍ଗ ଦଳର ନେତା ଭିକେ ପାଣ୍ଡିଆନ ଧରିଛନ୍ତି । ଅନ୍ୟପଟେ ବିଜେପି ଏଥର ନିର୍ବାଚନୀ ପ୍ରଚାର ପାଇଁ କେନ୍ଦ୍ରୀୟ ନେତୃତ୍ବଙ୍କ ଭରସାରେ ଅଛି । ଏହି କ୍ରମରେ ଓଡ଼ିଶାକୁ ଘନ ଘନ ଦଳର କେନ୍ଦ୍ରୀୟ ନେତୃତ୍ବଙ୍କ ଗସ୍ତ ଜାରି ରହିଛି । ଆସନ୍ତା ୧୦ ଓ ୧୧ ତାରିଖରେ ପୁଣିଥରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପୂର୍ବରୁ ମେ' ୬ ତାରିଖରେ ମଧ୍ୟ ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁର ଓ ନବରଙ୍ଗପୁରରେ ନିର୍ବାଚନୀ ପ୍ରଚାର କରିଥିଲେ ମୋଦି । ଏହି ଜନସଭାରେ ବିଜେଡି ସରକାରକୁ ଟାର୍ଗେଟ କରିବା ସହ ଆସନ୍ତା ଜୁନ୍ ୧୦ରେ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ ।