ବୌଦ୍ଧ: ତେଜୁଛି ଆମ ଓଡ଼ିଶା ନବୀନ ଓଡ଼ିଶା ଲୋଗୋ ଥିବା ବ୍ୟାଗ ବଣ୍ଟନ ବିବାଦ । ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ଲୋଗୋ ଥିବା ଖାଲି ବ୍ୟାଗ ବଣ୍ଟନକୁ ବିରୋଧ ହୋଇଛି । ଗତ ଦୁଇ ଦିନ ହେଲା ଖାଲି ବ୍ୟାଗ ବଣ୍ଟନ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଜନ ସାଧାରଣ । ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ରୁଣ୍ଡିମହୁଲ ପଞ୍ଚାୟତଠାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନାଇ ଚରଣ ଡାଙ୍ଗଙ୍କ ନେତୃତ୍ବରେ ବହୁ ବିଜେପି ନେତା ଓ କର୍ମୀ ଏହାକୁ ବିରୋଧ କରିଛନ୍ତି । ଏପରିକି ପଞ୍ଚାୟତକୁ ବଣ୍ଟନ ପାଇଁ ଆସିଥିବା ବ୍ୟାଗ୍କୁ ପୋଡ଼ି ପ୍ରତିବାଦ କରାଯାଇଛି ।
ସେପଟେ ବୌଦ୍ଧ ଜିଲ୍ଲାର ଶଙ୍କୁଲୋଇ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଯୁବ ବିଜେପି ନେତା ଅରୂପା ଦୀପ ଆମ ଓଡ଼ିଶା ନବୀନ ଓଡ଼ିଶାର ଲୋଗୋ ଥିବା ବ୍ୟାଗରେ ରାଜ୍ୟ ସରକାର ୫ କେଜି ଚାଉଳ ଓ ଏକ ଲିଟର ଖାଇବା ତେଲ ହିତାଧିକାରୀଙ୍କୁ ଯୋଗାଇ ଦେବାକୁ ଦାବି କରିଛନ୍ତି । ଏଥି ସହିତ ଏଭଳି ଖାଲି ବ୍ୟାଗ ବଣ୍ଟନକୁ ବିରୋଧ କରି ବ୍ୟାଗ ଚିରି ପୋଡି ଦେଇ ପ୍ରତିବାଦ ଜଣାଇଛନ୍ତି । ସେହିପରି ଜିଲ୍ଲାର ଲୁଣିବାହାଲ ପଞ୍ଚାୟତ ଠାରେ ଯୋଗାଣ ସହାୟତା ଏଭଳି ବ୍ୟାଗ ବଣ୍ଟନ କରୁଥିବା ବେଳେ ବରିଷ୍ଠ ବିଜେପି ନେତା ସୁବାଷ ପ୍ରଧାନଙ୍କ ନେତୃତ୍ବରେ ବିଜେପି କର୍ମ ମାନେ ପଞ୍ଚାୟତରେ ଧସେଇ ପଶିଥିଲେ ।