ଭୁବନେଶ୍ବର:ଆଜି ବିଜେଡିରେ ଯୋଗ ଦେଇଛନ୍ତି ଅନୁଗୋଳ ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାଗିରଥୀ ପ୍ରଧାନ । ଭାଗିରଥୀଙ୍କ ସହ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିମାନେ ମଧ୍ୟ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ହୋଇଥିଲା ମିଶ୍ରଣ ପର୍ବ । ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳୀନିକାନ୍ତ ପ୍ରଧାନ, ଅନୁଗୋଳ ଜିଲ୍ଲା ସହପର୍ଯ୍ୟବେକ୍ଷକ କୁନାବିହାରୀ ଦାସ, ଆଠମଲ୍ଲିକ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥିବା ଭାଗୀରଥୀ ପ୍ରଧାନଙ୍କ ସହ ଶତାଧିକ କର୍ମୀଙ୍କୁ ଦଳକୁ ସ୍ୱାଗତ କରାଯାଇଛି । ସେମାନଙ୍କ ଯୋଗଦାନ ଫଳରେ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜବୁତ ହେବ ବୋଲି ବିଜେଡି ନେତା ଆଶା ବ୍ୟକ୍ତ କରିଛନ୍ତି ।
ବିଜେଡିରେ ସାମିଲ ହେବା ପରେ ଭାଗିରଥୀ ପ୍ରଧାନ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟରେ ପ୍ରଭାବିତ ହୋଇଛି । ତାଙ୍କର ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଛି । ତେଣୁ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛି । ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରୁଛନ୍ତି । ଏ ଦିଗରେ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।"
ଏହା ବି ପଢନ୍ତୁ...ବିଜେଡ଼ିରେ ଶିବିରରେ ଶେମିଳିଗୁଡାର ପୂର୍ବତନ ଅଧ୍ୟକ୍ଷ ରୋବେଲ କଡମ - BJD JOINING PROGRAM