ଭୁବନେଶ୍ବର:ରାଜଧାନୀ ବିଜେଡିରେ ଫାଟ । ବିଏମସିରେ ବିଜେଡିର ଦୁଇ ଗୋଷ୍ଠୀ ନିଜ ନିଜର ପ୍ରତିଦ୍ବନ୍ଦୀ ସାଜିବା ପରେ ଏହି ଫାଟ ପଦାରେ ପଡ଼ିଛି । ବିଏମସିର ଷ୍ଟାଣ୍ଡିଙ୍ଗ କମିଟି ନିର୍ବାଚନରେ ବିଜେଡି ସହ ବିଜେଡିର ମୁହାଁମୁହିଁ ହୋଇଛି । ଭୁବନେଶ୍ୱର ମହାନଗର ନିଗମର ପରିମଳ, ଜନସ୍ବାସ୍ଥ୍ୟ ଓ ଏଲେକ୍ଟ୍ରି ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ପାଇଁ ବିଜେପି ସହ ନୁହେଁ ବରଂ ବିଜେଡି ବିଜେଡି ଭିତରେ ଲଢେଇ ହୋଇଛି । ଆଉ ଏହି ମୁହାଁମୁହିଁ ସହ ଆଜି ବିଏମସିର ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ହୋଇଛନ୍ତି କର୍ପୋରେଟର ବିରଞ୍ଚି ମହାସୂପକାର । ଭୁବନେଶ୍ବର ପୂର୍ବତନ ଏକାମ୍ର ବିଧାୟକ ଅଶୋକ ପଣ୍ଡା ଏବଂ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହଯୋଗୀ ଭରତ ଲେଙ୍କା ଖଣ୍ଡେ ଭୋଟରେ ବିରଞ୍ଚିଙ୍କ ଠାରୁ ପରାଜିତ ହୋଇଛନ୍ତି ।
ତେବେ ପ୍ରଥମଥର ପାଇଁ ବିଏମସି ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ପାଇଁ ନିର୍ବାଚନ ହୋଇଥିଲା । ପୂର୍ବରୁ ବିଜେଡି କ୍ଷମତାରେ ଥିବାରୁ ନିଜ ନିଜ ଭିତରେ ସହମତିରେ ଅଧ୍ୟକ୍ଷ ବଛା ଯାଉଥିଲା । ହେଲେ ବିଜେପି ସରକାରରେ ଆସିବା ପରେ ବିଜେଡି ରାଜ୍ୟରେ ହାରିବା ପରେ ଦଳର ଦୁଇଟି ଗୋଷ୍ଠୀ ଭିତରେ ବିବାଦ ଯୋଗୁଁ ଆଜି ନିର୍ବାଚନ ହେବାକୁ ପଡ଼ିଲା । ଆଉ ନିର୍ବାଚନରେ ବିଜେଡିର ଅସନ୍ତୋଷ ଗୋଷ୍ଠୀ ନିଜର ବାଜି ମରିନେବା ପରେ ଏହାକୁ ନେଇ ବେଶ୍ ମଜା ନେଇଥିଲେ ଶାସକ ବିଜେପି ଦଳର କର୍ପୋରେଟର ।
ବିଜେପି କର୍ପୋରେଟର କହିଛନ୍ତି ଯେ, ଆଜିର ନିର୍ବାଚନ ବଡ଼ ହାସ୍ୟାସ୍ପଦ । କାରଣ ଆମ ସହ ନୁହେଁ ବରଂ ପୋର୍ଟେରରେ ସଂଖ୍ୟା ଗରିଷ୍ଠତା ପାଇଥିବା ବିରୋଧୀ ବିଜେଡି ଭିତରେ ଆଜି ନିର୍ବାଚନ ହୋଇଥିଲା । ଏହା ନିଜ ନିଜ ଭିତରେ ଥିବା ପତିଆରା ବିସ୍ତାରକୁ ନେଇ ହୋଇଥିବା ବେଳେ ବିରଞ୍ଚି ମହାସୂପକାର ବିଜୟୀ ହୋଇଛନ୍ତି । ଭଲ ନିର୍ବାଚିତ ପ୍ରତିନିଧି ସେ ହୋଇଥିବା ବେଳେ ଆମେ ତାଙ୍କୁ ସମର୍ଥନ ଜଣାଉଛୁ ।