ଓଡିଶା

odisha

ETV Bharat / state

ଭରତପୁର ଥାନା କାଣ୍ଡ;ବିରୋଧୀଙ୍କ ଆନ୍ଦୋଳନ ଚେତାବନୀ, ବିଜେପି କହିଲା ତିଳକୁ ତାଳ କରୁଛନ୍ତି - BJD called Bhubaneswar bandh - BJD CALLED BHUBANESWAR BANDH

OPPOSITION CALLED BANDH: ତେଜୁଛି ଭରତପୁର ଥାନା କାଣ୍ଡ ମାମଲାରେ ରାଜନୀତି । 24 ତାରିଖରେ 6 ଘଣ୍ଟିଆ ରାଜଧାନୀ ବନ୍ଦ ଡାକରା ଦେଲା ବିରୋଧୀ ବିଜେଡି । ସେପଟେ କାର୍ଯ୍ୟାନୁଷ୍ଠାନ ଦାବିରେ କଂଗ୍ରେସ ମଧ୍ୟ ପଲ୍ଲୀରୁ ଦିଲ୍ଲୀ ଆନ୍ଦୋଳନ ବ୍ୟାପକ କରିବାକୁ ଚେତାବନୀ ଦେଇଛି । ଅଧିକ ପଢନ୍ତୁ

OPPOSITION CALLED  BANDH
OPPOSITION CALLED BANDH (ETV Bharat Odisha)

By ETV Bharat Odisha Team

Published : Sep 22, 2024, 12:16 PM IST

Updated : Sep 22, 2024, 10:16 PM IST

ଭୁବନେଶ୍ବର: ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ମାମଲାରେ ବନ୍ଦ ଡାକରା ଦେଲା ବିରୋଧୀ ଦଳ ‘ବିଜେଡି’ । 24 ତାରିଖ (ମଙ୍ଗଳବାର) ରାଜଧାନୀ ଭୁବନେଶ୍ବରରେ ଦଳ 6 ଘଣ୍ଟିଆ ବନ୍ଦ ପାଳନ କରିବ । ପୀଡିତାଙ୍କୁ ନ୍ୟାୟ ଓ ସରକାରଙ୍କ ଉଦାସୀନତାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିବା ଦଳର ବରିଷ୍ଠ ନେତା ଅରୁଣ ସାହୁ ଆଜି ଗଣମାଧ୍ୟମରେ ସୂଚନା ଦେଇଛନ୍ତି । କେବଳ ରାଜଧାନୀରେ ହିଁ ଏହି 6 ଘଣ୍ଟିଆ ବନ୍ଦ ପାଳନ ହେବ । ସେପଟେ କଂଗ୍ରେସ ମଧ୍ୟ ପଲ୍ଲୀରୁ ଦିଲ୍ଲୀ ଆନ୍ଦୋଳନ ବ୍ୟାପକ କରିବାକୁ ଚେତାବନୀ ଦେଇଛି । ପୂର୍ବ ସରକାରକୁ ଟାର୍ଗେଟ୍ କରି ଜବାବ ରଖିଛି ବିଜେପି ।

ମଙ୍ଗଳବାର 6 ଘଣ୍ଟିଆ ରାଜଧାନୀ ବନ୍ଦ ଡାକରା ଦେଲା ବିଜେଡି (ETV Bharat Odisha)
  • ‘ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ କରିବୁ’

ଆଜି ପାର୍ଟି କାର୍ଯ୍ୟାଳୟରେ ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁ, ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ପ୍ରମୁଖ ପ୍ରେସମିଟ୍‌ କରି ଏହି ହରତାଳ ସମ୍ପର୍କରେ ଘୋଷଣା କରିଛନ୍ତି । ଅରୁଣ କହିଛନ୍ତି,‘‘ସେମାନେ ଯାହା କହିଥିଲେ କାର୍ଯ୍ୟକାରୀ କରୁନାହାନ୍ତି । ରାଜ୍ୟପାଳଙ୍କ ପୁଅଙ୍କ ମାଡ ଘଟଣାରେ ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ, 15 ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ କଥା କହିଥିଲେ, ହେଲେ ଏହା ମଧ୍ୟରେ କେତେ 15 ଦିନ ବିତିଗଲାଣି । ଏହି ପ୍ରସଙ୍ଗକୁ ମଧ୍ୟ ଚାପି ଦେବାକୁ ଅପପ୍ରୟାସ କରାଯାଉନି ତ ? ତେଣୁ ଲୋକଙ୍କ ସ୍ବରକୁ ଶାଣିତ ଭାବେ ଉଠାଇବା ପାଇଁ ବିଜେଡି ଏହି ବନ୍ଦ ଡାକରା ଦେଇଛି । ମଙ୍ଗଳବାର ସକାଳ 6 ଟାରୁ ଅପରାହ୍ନ 1 ପର୍ଯ୍ୟନ୍ତ 6 ଘଣ୍ଟିଆ ହରତାଳ କରିବୁ । ଜନସାଧାରଣ ସମର୍ଥନ ଦେଇଛନ୍ତି । ଏହି ଘଟଣାରେ ନ୍ୟାୟ ପ୍ରଦାନ କରାଯିବା ପର୍ଯ୍ୟନ୍ତ ଆନ୍ଦୋଳନ ବନ୍ଦ ନକରିବା ପାଇଁ ଜନସାଧାରଣ ଆମକୁ ପ୍ରୋତ୍ସାହିତ କରିଛନ୍ତି । ସାଧାରଣ ଜନତା ଏହି ହରତାଳକୁ ବହୁମାତ୍ରାରେ ସମର୍ଥନ କରନ୍ତୁ ।’’

OPPOSITION CALLED BANDH (ETV Bharat Odisha)

କଂଗ୍ରେସର ଆନ୍ଦୋଳନ ଚେତାବନୀ:

ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ବ୍ୟାପକ କରିବ କଂଗ୍ରେସ । ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କଲା କଂଗ୍ରେସ । ଏହି ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ କହିଛନ୍ତି, "ଆମେ ରାସ୍ତା ଉପରେ ଆନ୍ଦୋଳନ କରିସାରିଲୁଣି । ସରକାର ଯଦି ଉଦାସୀନ ମନଭାବ ଦେଖାଇବେ, ପରେ ଆମେ ଓଡି଼ଶା ଓ ଭାରତବର୍ଷରେ ଆନ୍ଦୋଳନକୁ ବ୍ୟାପକ କରିବୁ । ଡବଲ ଇଞ୍ଜିନ ସରକାର, ପ୍ରଧାନମନ୍ତ୍ରୀ ଆସିବା ପୂର୍ବରୁ ଏଭଳି ଘଟଣା ଘଟୁଛି । ଆଉ ଘଟଣାକୁ ଚପାଇବାକୁ ଚେଷ୍ଟା କରାଯାଉଛି । କଂଗ୍ରେସ ଦାବି କରୁଛି କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ।"

OPPOSITION CALLED BANDH (ETV Bharat Odisha)

ପୂର୍ବ ସରକାରଙ୍କୁ ବିଜେପିର ଟାର୍ଗେଟ୍:

ଏହାକୁ ନେଇ ବିଜେପି ମୁଖପାତ୍ର ଦୀଲିପ ମଲ୍ଲିକ କହିଛନ୍ତି, "ବିଗତ ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି କଣ ଥିଲା ତାହା ଲୋକ ଜାଣନ୍ତି । ନବ ଦାସ ହତ୍ୟା କାଣ୍ଡ ଦିନ ଦିପହରରେ ହୋଇଥିଲା । କୁନ୍ଦୁଲି ପୀଡ଼ିତାଙ୍କ ଠାରୁ ଆରମ୍ଭ କରି ସ୍ମିତାରାଣୀ ଏବଂ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିଜେଡି ସରକାର ଦୋଷୀଙ୍କୁ ଘଣ୍ଟ ଘୋଡାଉଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚୁପ ରହୁଥିଲେ । ଏବେ କିନ୍ତୁ ଭରତପୁର ଘଟଣାରେ ସରକାର ଗୁରୁତ୍ବର ସହ ନେଇଛନ୍ତି । କାର୍ଯ୍ୟାନୁଷ୍ଠାନ ହୋଇଛି । ମୁଖ୍ୟମନ୍ତ୍ରୀ ନିଜେ ତଦାରଖ କରିଛନ୍ତି ମୁହଁ ଖୋଲିଛନ୍ତି । ନବୀନ ବାବୁଙ୍କ ଭଳି ଚୁପ ରହି ନାହାନ୍ତି । ଦୋଷୀ ନିଶ୍ଚିତ ଦଣ୍ଡ ପାଇବ, କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଯେଉଁମାନେ ତିଳକୁ ତାଳ କରୁଛନ୍ତି ତାଙ୍କର ଇତିହାସ କହୁଛି ତାଙ୍କ ସରକାର ସମୟରେ ଯେଉଁ ସବୁ ଘଟଣା ଘଟୁଥିଲା ସରକାର ଆଖି ବୁଜି ଦେଉଥିଲେ । ତେଣୁ ତାଙ୍କର ନୈତିକ ଅଧିକାର ନାହିଁ କିଛି କହିବା ପାଇଁ ।"

କ୍ରାଇମବ୍ରାଞ୍ଚ ରେ ତନାଘନା (ETV Bharat Odisha)

କ୍ରାଇମବ୍ରାଞ୍ଚରେ ତନାଘନା, ଏଣ୍ଟ୍ରି ମାରିଲେ ଏଡିଜି ଅରୁଣ ବୋଥ୍ରା:

ଭରତପୁର ଥାନା ହାଜତ ନିର୍ଯାତନା ଘଟଣା । ମେଜର ଓ ତାଙ୍କ ପ୍ରେମିକାଙ୍କର ସରିଛି ବୟାନ ରେକର୍ଡ । ପୋଲିସ ନିର୍ଯାତନାର ଦେଇଥିବା ତଥ୍ୟ ଆଧାରରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ୍ ଟିମ୍ । ଏନେଇ ପୋଲିସର ବୟାନ ଓ ପୀଡିତାଙ୍କ ବୟାନରେ ରହୁନି ତାଳମେଳ । ତେବେ ଏନେଇ ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ଅଣ୍ଟା ଭିଡିଲା କ୍ରାଇମବ୍ରାଞ୍ଚ ଟିମ୍ । ଏନେଇ ଘଟଣାର ମନିଟର ପାଇଁ ସାଇବର କମ୍ପ୍ଲେକ୍ସରେ ଏଣ୍ଟ୍ରି ମାରିଛନ୍ତି ଏଡିଜି ଅରୁଣ ବୋଥ୍ରା । ଏଥିସହ କ୍ରାଇମବ୍ରାଞ୍ଚ ତଦନ୍ତର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜିପି ଓ୍ବାଇ ବି ଖୁରାନିଆ । ଏନେଇ ସାଇବର‌ କମ୍ପ୍ଲେକ୍ସରେ ପହଞ୍ଚି ଘଟଣାର ତଦାରଖ କରିଛନ୍ତି ।

OPPOSITION CALLED BANDH (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :-ଭରତପୁର ମାମଲାର କ୍ରାଇମ ସିନ ରିକ୍ରିଏସନ: ମେଜର-ବାନ୍ଧବୀଙ୍କ ବୟାନ ରେକର୍ଡ, ତେଜିଲା ରାଜନୀତି - Assault on Army Major fiancee case

ଏହା ମଧ୍ୟ ପଢନ୍ତୁ :-ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ‘ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ’ - Mohan Majhi reaction on Major case

ଭିନ୍ନ ମୋଡ ନେବାରେ ଲାଗିଛି ମାମଲା:-

ଅନ୍ୟପଟେ ଗମ୍ଭୀର ହେବା ସହ ଭିନ୍ନ ମୋଡ ନେବାରେ ଲାଗିଛି ଏହି ସମ୍ବେଦନଶୀଳ ମାମଲା । ଗତକାଲି ପୀଡିତାଙ୍କ ଅଭିଯୋଗ ଅନୁସାରେ ଚନ୍ଦକା ପୋଲିସ 7ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗିରଫ ହେବାର ମାତ୍ର କିଛି ଘଣ୍ଟା ବ୍ୟବଧାନରେ ସମସ୍ତ ଅଭିଯୁକ୍ତଙ୍କୁ ଜେଏମଏଫସି କୋର୍ଟ ଜାମିନ ପ୍ରଦାନ କରିଥିଲେ । ଏବେ ପୀଡିତାଙ୍କ ଅଭିଯୋଗକ୍ରମେ ଭରତପୁର ପୋଲିସ ଷ୍ଟେସନର ତତ୍କାଳୀନ ଆଇଆଇସି ଓ ଅନ୍ୟ 4 ନିଲମ୍ବିତ ପୋଲିସ କର୍ମଚାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ସେପଟେ ସେନା ଓ ପୂର୍ବତନ ସେନା କର୍ମଚାରୀମାନେ ପୋଲିସ ବିରୋଧରେ ମେଳି ବାନ୍ଧିଥିବା ବେଳେ ପୋଲିସ ମଧ୍ୟ ସଂଗଠିତ ହୋଇ ବଳ ଦେଖାଇବାକୁ ପ୍ରୟାସ କଲାଣି ।

OPPOSITION CALLED BANDH (ETV Bharat Odisha)
  • ସିନ୍ ରିକ୍ରିଏସନ ସହ ମେଜର ଓ ପୀଡିତାଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ

ଗତକାଲି (ଶନିବାର) ଏହି ମାମଲାରେ ଚନ୍ଦକା ଥାନା ପୋଲିସ କ୍ରାଇମ ସିନ୍ ରିକ୍ରିଏସନ କରିଛି । ଘଟଣାର ଛାନଭିନ କ୍ରାଇମବ୍ରାଞ୍ଚ ଜାରି ରଖିଥିବା ବେଳେ ରାଜଧାନୀରେ ରାଜନୈତିକ ତାତି ମଧ୍ୟ ବଢିବାରେ ଲାଗିଛି । ଘଟଣାରେ ଯୁବ କଂଗ୍ରେସ ଏବଂ ମହିଳା ବିଜେଡି ଜୋରଦାର ପ୍ରତିବାଦ କରିଛନ୍ତି । ମେଜରଙ୍କ ସହ ତାଙ୍କ ବାନ୍ଧବୀଙ୍କୁ ଗତକାଲି ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ୍ ଟିମ୍ । ତଦନ୍ତକାରୀ ଅଧିକାରୀ କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରାଙ୍କ ସହ ମହିଳା ଅଧିକାରୀ ମଧ୍ୟ ମିଳିତ ଭାବେ ଉଭୟଙ୍କ ବୟାନ ରେକର୍ଡ କରିଛନ୍ତି । ୧୨୦-ବାଟାଲିୟନ ପରିସରରେ ତାଙ୍କୁ ପଚରାଉଚରା କରାଯାଇଥିଲା । ଏହି ଘଟଣାକ୍ରମରେ ମୁଖ୍ୟ ବିରୋଧୀ ଦଳ ବିଜେଡି ଏବେ ମଙ୍ଗଳବାର 6 ଘଣ୍ଟିଆ ରାଜଧାନୀ ବନ୍ଦ ଡାକରା ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 22, 2024, 10:16 PM IST

ABOUT THE AUTHOR

...view details