ଭୁବନେଶ୍ବର:ଦୀର୍ଘ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିବା ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ପ୍ରଥମ ଥର ବିକ୍ଷୋଭକୁ ଓହ୍ଲାଇଛନ୍ତି । ଦରଦାମ ବୃଦ୍ଧି ବିରୋଧରେ ଆଜି ଲୋୟର-ପିଏମଜିରେ ନବୀନଙ୍କ ନେତୃତ୍ବରେ ମୋହନ ସରକାର ବିରୋଧରେ ଗର୍ଜିଛି ବିଜେଡି । ନବୀନ କହିଛନ୍ତି, ବିଜେପି ସରକାର ମହଙ୍ଗା ମାଡର ସରକାର । ଦଳର ସମସ୍ତ ବିଧାୟକ,ରାଜ୍ୟ ଓ ଜିଲ୍ଲାର ତୁଙ୍ଗନେତାମାନେ ଆଜି ନବୀନଙ୍କ ନେତୃତ୍ବରେ ଶକ୍ତି ପ୍ରଦର୍ଶନ କରିଛନ୍ତି ।
- କ୍ଷମତା ଯିବା ପରେ ପ୍ରଥମ ବିକ୍ଷୋଭ
ସରକାରରୁ ଯିବାର 7 ମାସ ପରେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ବଡ଼ ଆନ୍ଦୋଳନର ଡାକରା ଦେଇଛି ବିଜେଡି । ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜେ ଦଳ ସଭାପତି ନବୀନ ପଟ୍ଟନାୟକ ଆନ୍ଦୋଳନର ନେତୃତ୍ବ ନେଇଥିବା ବେଳେ ସାମିଲ ହୋଇଛନ୍ତି ଦଳର ବରିଷ୍ଠ ନେତା, ସାଂସଦ, ବିଧାୟକ ଓ ଅନ୍ୟ ତୁଙ୍ଗନେତାମାନେ । ସେହିପରି ଦଳର ଛାମୁଆ ସଂଗଠନ ଯୁବ, ଛାତ୍ର, ମହିଳା ଶାଖାର ହଜାର ହଜାର କର୍ମକର୍ତ୍ତା ।
- ଅଦିନିଆ ବର୍ଷା ପାଇଁ ଚାଷୀ ଆତ୍ମହତ୍ୟା ବେଳେ ଦରଦାମ ବୃଦ୍ଧି ବୋଝ ଉପରେ ନଳିତା ବିଡା: ନବୀନ
ନବୀନ ପଟ୍ଟନାୟକ ଅଭିଭାଷଣରେ କହିଛନ୍ତି," ଜୁନ ମାସରେ ଓଡିଶାରେ ବିଜେପି ସରକାର ଗଠନ ହୋଇଛି । ସରକାର ଗଠନକୁ 7 ମାସ ହୋଇଗଲାଣି । ଏହା ଭିତରେ କେବଳ ଲମ୍ବା ଲମ୍ବା ଭାଷଣ ଆମେ ଏବେ ଶୁଣୁଛୁ । କିନ୍ତୁ କାମ ଘର ଶୂନ । ଦରଦାମ ବଢ଼ି ବଢ଼ି ଚାଲିଛି । କିନ୍ତୁ ସରକାରଙ୍କ ପଦକ୍ଷେପ କିଛି ନାହିଁ । ଏ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି । କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାରର ସମ୍ପର୍କ ଥିବା ପରି ଜଣାପଡ଼ୁନାହିଁ ।
- ଚାଷୀ-ମହିଳା କାନ୍ଦୁଛନ୍ତି, ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ: ନବୀନ
ଡାଲି, ତେଲ, ପରିବା, ଗ୍ରୋସରୀରୁ ଆରମ୍ଭ କରି ମେଡ଼ିସିନ ପର୍ଯ୍ୟନ୍ତ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ଏବେ ଆକାଶଛୁଆଁ । ମାର୍କେଟ୍ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ । ଆଇ ମା' କାହାଣୀ କହି ସରକାର ଖୁସି । ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟ ହୋଇଗଲାଣି । ଅଦିନିଆ ବର୍ଷା, ଫସଲହାନି ଦୁଃଖ ଦେଉଛି । ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି । ଦରଦାମ ବୃଦ୍ଧି ବୋଝ ଉପରେ ନଳିତା ବିଡା ହୋଇଛି । କିନ୍ତୁ ନେତାଙ୍କ ସମୟ ନିଜ ପ୍ରଚାରରେ ବିତୁଛି । ହାଟ ବଜ଼ାରରେ ଲୋକ ପ୍ରତିଦିନ ଅଶାନ୍ତି । ମା' ମାନେ କାନ୍ଦୁଛନ୍ତି । ଚାଷୀ କାନ୍ଦୁଛନ୍ତି, କିନ୍ତୁ ଏ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ।'
- ‘ଡବଲ ଇଞ୍ଜିନ, ଡବଲ ମାଡ଼’
ନବୀନ ଏହା ମଧ୍ୟ କହିଛନ୍ତି, ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ବିଜେପି ସରକାର କ୍ଷମତାକୁ ଆସିଛି । ବିଜେଡିଠୁ କମ ଭୋଟ ପାଇ ବିଜେପି ସରକାର କ୍ଷମତାକୁ ଆସିଛି । ଡବଲ ଇଞ୍ଜିନ, ଡବଲ ମାଡ଼ । ଏପଟେ ଦରବୃଦ୍ଧି ମାଡ, ସେପଟେ GST ମାଡ଼ । ସବୁ ଜିନିଷରେ GST ଲାଗିଛି । ଗରିବ ବେଶୀ GST ଦେଉଛନ୍ତି । ବିଜେପି ସରକାର ଟ୍ରେଲରେ ଗୋଲାପୀ ଚିତ୍ର ଦେଖାଇଲେ କିନ୍ତୁ ଫିଲ୍ମ ରିଲିଜରେ MM ସରକାର ହୋଇଛି । MM ହେଉଛି ମହଙ୍ଗା ମାଡ ସରକାର । ସାଢେ ଚାରି କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ସରକାରଙ୍କ ଅସଲ ଚେହେରା ଖୋଲି ଦେବ ।"
- ବିଜେପି ସରକାର ଲକ୍ଷ୍ମୀଛଡା: ଅରୁଣ
ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, "ନୂଆବର୍ଷରେ ନୂଆ ତରିକାରେ ନୂଆ ଭୂମିକାରେ ରାଜରାସ୍ତାକୁ ଓହ୍ଲାଇଲା ବିଜେଡ଼ି । ପ୍ରଥମ ୬ ମାସରେ ଓଡିଶା ଲକ୍ଷ୍ମୀଛଡା ହେଇଗଲାଣି । କେନ୍ଦ୍ର ସହଯୋଗରେ ଓଡିଶା ଲକ୍ଷ୍ମୀଛଡା ହୋଇଛି । ଦରଦାମ ବୃଦ୍ଧି ଘଟିଛି । ରୁଷ ୟୁକ୍ରେନ ଯୁଦ୍ଧ ସମୟରେ ସାରା ବିଶ୍ୱରେ ତେଲ ଦର କମିଲା । କିନ୍ତୁ ଭାରତରେ ଦାମ କମିଲା ନାହିଁ । ରଙ୍ଗ ମରା ସରକାରରେ ରଙ୍ଗ ଦର ବି ବଢିଛି । ମୁନାଫା ନେଇ ନିର୍ବାଚନ ଲଢ଼ିବା ବିଜେପି ସରକାରର ଉଦ୍ଦେଶ୍ୟ ।’’ ସେହିପରି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, "5 ବର୍ଷ ପାଇଁ ବିଜେପି ଇଭିଏମ ଭିତରୁ ଜନ୍ମ ନେଇଛି । ପିଲାଟା ଗୁରୁଣ୍ଡି ଥିଲା । 6 ମାସ ପରେ ଆଉ ଏବେ କ୍ଷମା ନାହିଁ । ଲଢେଇ ପାଇଁ ବିଜେଡି ପ୍ରସ୍ତୁତ । ଏହା ପରଠୁ ଲଢେଇ ହେବ ।"
25 ବର୍ଷ ପରେ ଆନ୍ଦୋଳନକୁ ଓହ୍ଲାଇଲେ ନବୀନ :
ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । 2000 ମସିହା ପରେ ଏହା ହେଉଛି ବିରୋଧୀ ଦଳ ଭାବେ ପ୍ରଥମ ବିକ୍ଷୋଭ କାର୍ଯ୍ୟକ୍ରମ । 25 ବର୍ଷ ପରେ ବିରୋଧୀ ଦଳର ନେତୃତ୍ୱ ନେଉଥିଲେ ନବୀନ । ଅବଶ୍ୟ ମହାନଦୀ ପ୍ରସଙ୍ଗରେ ବିଜେଡି ନୂଆଦିଲ୍ଲୀରେ ଆନ୍ଦୋଳନ କରିଛି । ସେହି ଆନ୍ଦୋଳନର ନେତୃତ୍ୱରେ ନବୀନ ନେଇଛନ୍ତି । କିନ୍ତୁ ସେତେବେଳେ ସେ ମୁଖ୍ୟମନ୍ତ୍ରୀ ଥିଲେ ।