ଭୁବନେଶ୍ବର:ରାଜ୍ୟରେ ଅମଳ ସମୟରେ ଅଦିନିଆ ବର୍ଷା କ୍ଷୟକ୍ଷତି ଚାଷୀକୂଳକୁ ଅସ୍ତବ୍ୟସ୍ତ କରିଛି । କ୍ଷେତରେ ଅମଳ ଧାନ ପାଣିରେ ଭାସୁଥିବା ବେଳେ ମଣ୍ଡି ଖୋଲିବାରେ ମଧ୍ୟ ବିଳମ୍ବ ହେବାରେ ଲାଗିଛି । ଏହି କାରଣରୁ ଏକାଧିକ ସ୍ଥାନରୁ ଚାଷୀ ଆତ୍ମହତ୍ୟାର ଅଭିଯୋଗ ମଧ୍ୟ ଆସିଲାଣି । ଯାହା ମୋହନ ସରକାର ପାଇଁ ଅଡୁଆ ସ୍ଥିତି ସୃଷ୍ଟି କଲାଣି । ଏପରି ସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।ନବୀନ ସିଧା କ୍ଷେତକୁ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ ।
- ଗୃହଜିଲ୍ଲା ଗଞ୍ଜାମରୁ ଅଭିଯାନ ଆରମ୍ଭ କରିବେ ନବୀନ:-
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବିତ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଡିସେମ୍ବର 30ରୁ ଆରମ୍ଭ ହେବ । ଗୃହଜିଲ୍ଲା ଗଞ୍ଜାମରୁ କାର୍ଯ୍ୟକ୍ରମ ଆରମ୍ଭ କରିବେ ବିଜେଡି ସଭାପତି । ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ କ୍ଷେତକୁ ପରିଦର୍ଶନରେ ଯିବା ସହ ଚାଷୀଙ୍କୁ ଭେଟିବେ ନବୀନ । ପରବର୍ତ୍ତୀ ସମୟରେ ନବୀନଙ୍କ ଅନ୍ୟାନ୍ୟ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି ।
- 4 ଦିନରେ 5 ଜଣ ଚାଷୀଙ୍କ ମୃତ୍ୟୁ ଅଭିଯୋଗ
ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ ବ୍ୟାପକ ମାତ୍ରାରେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଫସଲହାନୀ ଯୋଗୁଁ ରାଜ୍ୟରେ ଚାଷୀ ମୃତ୍ୟୁ ଅଭିଯୋଗ ଆସିଛି । କେନ୍ଦ୍ରାପଡା, ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ଗତ 4 ଦିନରେ 5 ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଚାଷୀ ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଇ ଆଗକୁ ବଢ଼ୁଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସ୍ଥଗିତ ଥିବା ନବୀନଙ୍କ ଜିଲ୍ଲା ଗସ୍ତ ଆସନ୍ତା 30 ତାରିଖରୁ ଆରମ୍ଭ ହେଉଛି ।
- ପରାଜୟ ପରେ ନବୀନଙ୍କ ପ୍ରଥମ ଗସ୍ତ
ନିର୍ବାଚନ ପରାଜୟ ପରେ ନବୀନଙ୍କର ଏହା ପ୍ରଥମ ଜିଲ୍ଲା ଗସ୍ତ । ଗସ୍ତ କାର୍ଯ୍ୟକ୍ରମ ନବୀନ ନିଜର ଘରୋଇ ଜିଲ୍ଲା ଗଞ୍ଜାମରୁ ଆରମ୍ଭ କରିବେ । ଦିନିକିଆ ଗଞ୍ଜାମ ଗସ୍ତ କାର୍ଯ୍ୟକ୍ରମରେ ନବୀନ ପ୍ରଥମେ କବିସୂର୍ଯ୍ୟନଗର ପରେ ଆସିକା ଓ ହିଞ୍ଜିଳି ଅଞ୍ଚଳ ପରିଦର୍ଶନ କରିବେ । କ୍ଷେତକୁ ଯାଇ କ୍ଷୟକ୍ଷତି ଦେଖିବା ସହ ଚାଷୀଙ୍କୁ ଭେଟି ଆଲୋଚନା କରିବେ ନବୀନ । ସେହିପରି 31 ତାରିଖରେ ନବୀନଙ୍କର କେନ୍ଦ୍ରାପଡା ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଥିବା ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ଦିନରେ ନବୀନ ଅନ୍ୟାନ୍ୟ ଜିଲ୍ଲା ମଧ୍ୟ ପରିଦର୍ଶନ କରିବେ ।
- କ୍ଷେତରେ ଚାଷୀଙ୍କ ସହ କ୍ଷୟକ୍ଷତି ନେଇ ଆଲୋଚନା କରିବେ ନବୀନ
ବିଜେଡିର ପୂର୍ବତନ ବିଧାୟିକା ଲତିକା ପ୍ରଧାନ କହିଛନ୍ତି, "ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସନ୍ତା 30 ତାରିଖରେ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଗଞ୍ଜାମ ଗସ୍ତରେ ଆସିବେ । ନବୀନ ଗଞ୍ଜାମ ଜିଲ୍ଲାର ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ହିଞ୍ଜିଳି, ଶେରଗଡ଼, କବିସୂର୍ଯ୍ୟନଗର, ଆସିକା ଓ ଖଲିକୋଟ ଆଦି ସ୍ଥାନ ମାନଙ୍କରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବେ । ଏହା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଫସଲ କ୍ଷତି ସମ୍ପର୍କରେ ପଚାରି ବୁଝିବେ । ସମ୍ପୃକ୍ତ ଅଧିକାରୀଙ୍କ ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ ।"
- ଧାନ କିଣା ପରମ୍ପରାକୁ ଭାଙ୍ଗିଛନ୍ତି ମୋହନ ସରକାର: ରାଜା ସ୍ବାଇଁ