ଭୁବନେଶ୍ବର:ଗତ କିଛି ଦିନ ହେବା ବିଜେଡିର ରାଜ୍ୟସଭା ସାଂସଦ ମୁନ୍ନା ଖାନଙ୍କ ବୟାନ ଚର୍ଚ୍ଚାରେ ରହି ଆସିଛି । ଭାରତୀୟ ଜନତା ପାର୍ଟିର ଏକାଧିକ ନେତା ଏବେ ‘ବିଜେଡି’ ସହ ଯୋଗଯୋଗରେ ଥିବା ବୟାନ ଦେଇ ଚର୍ଚ୍ଚାରେ ଥିବା ମୁନ୍ନା ଖାନ ଏବେ ଆଉ ଏକ ରୋଚକ ମନ୍ତବ୍ୟ ଦେଇଛନ୍ତି । ରାଜ୍ୟରେ ବିଜୁ ଜନତା ଦଳକୁ କ୍ଷମତାକୁ ଫେରିବାକୁ ନିର୍ବାଚନ ହେବା ପର୍ଯ୍ୟନ୍ତ ଅର୍ଥାତ 5ବର୍ଷ ଅପେକ୍ଷା କରିବାକୁ ପଡିବନାହିଁ ବୋଲି କହି ମୁନ୍ନା ପୁଣି ଏକ ଦମ୍ଭୋକ୍ତି ଦେଖାଇଛନ୍ତି । ବିଜେପି ନିକଟରେ ନେତା ନଥିଲେ । ବିଜେଡିରୁ ଯାଇଥିବା ନେତା ବିଜେପିରେ ନିର୍ବାଚନ ଜିତିଛନ୍ତି, ସେମାନେ ପୁଣି ବିଜେଡି ଫେରିବେ ବୋଲି ପରୋକ୍ଷରେ କହିବାକୁ ପ୍ରୟାସ କରିଛନ୍ତି ମୁନ୍ନା ।
- ସମୟକୁ ଅପେକ୍ଷା କରନ୍ତୁ:-
ମୁନ୍ନା କହିଛନ୍ତି,‘‘ସରକାରକୁ ଆସିବା ଲାଗି ଆମ (ବିଜେଡି)କୁ ପାଞ୍ଚ ବର୍ଷ ଯାଏ ଅପେକ୍ଷା କରିବାକୁ ନପଡିପାରେ । ବିଜେପି ପାଖରେ ପ୍ରାର୍ଥୀ କେଉଁଠି ଥିଲେ । ଅଧିକାଂଶ ଆମ ଲୋକ ସେଠି ଅଛନ୍ତି । ସମୟକୁ ଅପେକ୍ଷା କରନ୍ତୁ । ଏହାଠୁ ଅଧିକ ଆଉ କିଛି କହି ପାରିବିନାହିଁ । ମୁଁ ସଭାରେ କହିଛି ବିଜେପି ବିଧାୟକ ବିଜେଡ଼ି ଲିଙ୍କରେ ଅଛନ୍ତି । ମିଡିଆ ସାମନାରେ କିଛି କହିନାହିଁ । ଯାହା କହିଛି କର୍ମୀଙ୍କୁ କହିଛି । ଏହା ଆମର ରଣନୀତି । ମୁଁ ଏହାକୁ ମିଡିଆ ସାମନାରେ କହି ପାରିବିନି । ସମୟକୁ ଅପେକ୍ଷା କରନ୍ତୁ । ସରକାରକୁ ନେଇ ସବୁଠି ଅସନ୍ତୋଷ ।
- ଜୟନାରାୟଣ ନିଜ ବ୍ଲଡ ପ୍ରେସର ନ ବଢାନ୍ତୁ:-
ମୁନ୍ନା ଆହୁରି ମଧ୍ୟ କହିଛନ୍ତି,‘‘ଜୟ ନାରାୟଣ ମିଶ୍ର ମୋ ବଡ ଭାଇ । ସାନ ଭାଇ ହିସାବରେ ତାଙ୍କୁ ପରାମର୍ଶ ଦେଉଛି । ଦଳ ତାଙ୍କ ବିଷୟରେ ଚିନ୍ତା କରିନାହିଁ । ସେ କାହିଁ ଦଳ ବିଷୟରେ ଚିନ୍ତା କରୁଛନ୍ତି । ଜୟ ନାରାୟଣ ମିଶ୍ର କେଉଁଠି ରହିବା କଥା କେଉଁଠି ଅଛନ୍ତି । ଦଳ ବିଷୟରେ ଚିନ୍ତା କରି ନିଜ ବ୍ଲଡ୍ ପ୍ରେସର ବଢାନ୍ତୁ ନାହିଁ ।’’