ଭୁବନେଶ୍ୱର:ମାହାଲମାଣ୍ଡାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତାକୁ ନେଇ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଥିଲା । ଆଡମିଟ୍ କାର୍ଡରେ ସାଙ୍ଘାତିକ ତ୍ରୁଟି ଦେଖାଦେଇଥିଲା । ପରୀକ୍ଷାର୍ଥୀଙ୍କ ନାଁ 'ମାହାଲମାଣ୍ଡା' ଲେଖାଥିବା ଜଣାପଡିଥିଲା । ହେଲେ ଏହି ମାହାଲମାଣ୍ଡା କିଏ ? ଏହାରି ଭିତରେ ରାଜ୍ୟ ରାଜନୀତିରେ ମଧ୍ୟ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଗଲାଣି । ଗୋଟିଏ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ରାଜ୍ୟରେ ମାହାଲମାଣ୍ଡା ସରକାର ଚାଲିଛି । ଏହାକୁ ନେଇ କଡା ଜବାବ ଦେଇଛନ୍ତି ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ।
ସେ କହିଛନ୍ତି ଯେ, ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ସବୁ ଜାଣି ଅଜଣା ହେଉଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଜାଣିଶୁଣି ନାଟକ କରୁଛନ୍ତି କେନ୍ଦ୍ରମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ କଥା ଶୁଣି ଲୋକେ ହସିଲେଣି । ଶିକ୍ଷକ ନିଯୁକ୍ତି କେନ୍ଦ୍ର ସରକାରଙ୍କ ମିନି ରତ୍ନ ସଂସ୍ଥା କରିଛି । ମାହାଲମାଣ୍ଡାକୁ ସୃଷ୍ଟି କରିବାରେ ଧର୍ମେନ୍ଦ୍ରଙ୍କର ବଡ ଭୂମିକା ରହିଥିବା କହିଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏକ୍ସରେ ପୋଷ୍ଟ କରି ଧର୍ମେନ୍ଦ୍ରଙ୍କୁ ଜବାବ ଦେଇଛନ୍ତି ପ୍ରଣବ ।
ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଧର୍ମେନ୍ଦ୍ର ଭାଇ ଆପଣ ବୋଧେ ଜାଣିନାହାନ୍ତି । କିମ୍ବା ଜାଣିକି ନାଟକ କରୁଛନ୍ତି । ଶିକ୍ଷକ ନିଯୁକ୍ତିର ପୂରା ପ୍ରକ୍ରିୟା କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ ଜରିଆରେ କରାଯାଇଛି । ଯାହା ଆପଣଙ୍କ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଛି । ଏହି କେନ୍ଦ୍ରୀୟ ସଂସ୍ଥାଟି ‘ମିନି ରତ୍ନ’ ବର୍ଗରେ ଆସୁଛି । ଆପଣ କ’ଣ କହିବାକୁ ଚାହୁଁଛନ୍ତି ଯେ ଆପଣଙ୍କ ନିଜସ୍ୱ ସଂସ୍ଥା ନିଯୁକ୍ତ ପ୍ରକ୍ରିୟାରେ ଜାଲିଆତି କରିଛି ?