ଭୁବନେଶ୍ବର:ରାଜ୍ୟରେ ବିଜେଡି ଶାସନ ହଟିବା ପରିପ୍ରେକ୍ଷୀରେ ଲଣ୍ଡା ହେଲେ ଗାଁସାଥୀ ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ଵାଳ । ଏହା ସହ ସେ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ସରକାର ଉପରେ ବିଭିନ୍ନ ପ୍ରସଙ୍ଗରେ ପ୍ରବଳ ବର୍ଷିଛନ୍ତି । ରାଜ୍ୟରୁ ତାମିଲ ଶାସନର ଅନ୍ତ ହେଲା ବୋଲି ଲକ୍ଷ୍ମୀଧର କହିଛନ୍ତି । ତାଙ୍କ ସହ ଶତାଧିକ ଗାଁସାଥୀ କର୍ମୀମାନେ ମଧ୍ୟ ରାଜଧାନୀରେ ପ୍ରତିବାଦ ଓ ନାରାବାଜୀ କରିଛନ୍ତି ।
ଲକ୍ଷ୍ମୀଧର କହିଛନ୍ତି, ଗାଁସାଥୀଙ୍କ ଭାଗ୍ୟ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲି ଦେଇ ରତ୍ନଗର୍ଭା ଓଡ଼ିଶାକୁ ବରବାଦ କରିଥିବା ଭି.କେ ପାଣ୍ଡିଆନଙ୍କର ସବୁ ମନ୍ଦ ଯୋଜନାକୁ ଓଡ଼ିଶାବାସୀ ପଣ୍ଡ କରିଦେଇଛନ୍ତି । ଏଭଳି ସମୟରେ ପ୍ରଭୁ ଜଗନ୍ନାଥ ଓ ରାମଲାଲାଙ୍କ ଅପାର କରୁଣା ଓ ରାଜ୍ୟର ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦରୁ ଓଡ଼ିଶାରେ ହେବାକୁ ଯାଉଥିବା ବିଜେପି ସରକାରକୁ ସଂଘ ତରଫରୁ ନିଆରା ଶୈଳୀର ଭବ୍ୟ ସ୍ଵାଗତ କରାଯାଇଥିଲା । ଏଥିପାଇଁ ବହୁସଂଖ୍ୟାରେ ସଂଘର କର୍ମୀମାନେ ଆସନ୍ତାକାଲି ହେବାକୁ ଥିବା ନୂଆ ସରକାରର ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ।
ଆଜି ସଂଘର ରାଜ୍ୟ କମିଟିର ସଦସ୍ୟମାମେ ରାମ ମନ୍ଦିରର ପୂଜାର୍ଚ୍ଚନା କରି ସାଧାରଣ ଜନତା ଓ ନେତୃମଣ୍ଡଳୀଙ୍କୁ ଭୋଗ ବଣ୍ଟନ କରିଥିଲେ । ଏହାସହ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଭି.କେ ପାଣ୍ଡିଆନଙ୍କ ତାମିଲ ଶାସନ ଓଡ଼ିଶାରୁ ହଟିବା ପରିପ୍ରେକ୍ଷୀରେ ଗାଁ'ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ଵାଳ ରାମ ମନ୍ଦିର ଆଗରେ ଲଣ୍ଡା ହୋଇଥିଲେ ।