ବଲାଙ୍ଗୀର:ପାଖେଇ ଆସୁଛି ନିର୍ବାଚନ । ବିଜେପି କେନ୍ଦ୍ର ସରକାରଙ୍କ ସଫଳତା ନେଇ ଲୋକଙ୍କ ପାଖକୁ ଯିବାକୁ ଯୋଜନା କରୁଥିବାବେଳେ ରାଜ୍ୟରେ ଶାସକ ବିଜେଡି ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛି । ଏହାରି ମଧ୍ୟରେ ଦୁଇ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ଶାସକ ବିଜେଡି ଦଳ ଏହାକୁ ନେଇ ପରସ୍ପର ଉପରେ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ କରିଛନ୍ତି । ବସ୍ତି ଉଚ୍ଛେଦ ପ୍ରସଙ୍ଗକୁ ନେଇ କଂଗ୍ରେସ ସମସ୍ତ ଜବରଦଖଲକାରୀଙ୍କୁ ପଟ୍ଟା ଦେବା ନେଇ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ବିଜେଡି ଉଚ୍ଛେଦ ପାଇଁ କଂଗ୍ରେସକୁ କରିଛି ଦାୟୀ ।
ନିର୍ବାଚନ ପାଖେଇ ଆସୁଥିବାରୁ ବଲାଙ୍ଗୀରରେ ସରକାରୀ ଜମି ଦଖଲ କରି ରହି ଆସୁଥିବା ବସ୍ତିକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ବିଶେଷ କରି ବିକାଶ ନାଁରେ ବସ୍ତି ଉଚ୍ଛେଦ ଏଠିକାର ମୁଖ୍ୟ ପ୍ରସଙ୍ଗ ଭାବରେ ଏବେ ସାମ୍ନାକୁ ଆସିଛି । ଏନେଇ ଉଭୟ କଂଗ୍ରେସ ଓ ବିଜେଡି ଦଳର ନେତା ମୁହାଁମୁହିଁ ହୋଇଛନ୍ତି । ପୂର୍ବରୁ ବସ୍ତି ଉଚ୍ଛେଦରେ ଚୁପ ଥିବା ବଲାଙ୍ଗୀର କଂଗ୍ରେସ ଏବେ ଏହାକୁ ନେଇ ଆରମ୍ଭ କରିଛି ଆନ୍ଦୋଳନ । ଯେଉଁଥିରେ ସରକାରୀ ଜମିରେ ଘର କରି ରହୁଥିବା ଲୋକଙ୍କୁ ସେହି ଜମିରେ ଥଇଥାନ କରିବା ଓ ତାଙ୍କୁ ଶୀଘ୍ର ଜମି ପଟ୍ଟା ଦେବା ପାଇଁ ଗତକାଲି (ସୋମବାର) କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା । ଏହି ଧାରଣାରେ ନିଜେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର ଧାରଣାରେ ସାମିଲ ହୋଇ ଜିଲ୍ଲାପାଳଙ୍କୁ ଭେଟିଥିଲେ ।
ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିଛନ୍ତି, "ସହରର ବିକାଶ ଓ ଗଠନ ଦିଗରେ ବସ୍ତି ଲୋକଙ୍କର ମଧ୍ୟ ସମାନ ଅବଦାନ ରହିଛି । ଯେଉଁମାନେ ପେଟପାଟଣା ପାଇଁ ସହରରେ ଆସି ରହୁଛନ୍ତି ସେମାନେ ଘରଭଡା ପାଇଁ ସକ୍ଷମ ନୁହଁନ୍ତି । ତେଣୁ ଦୀର୍ଘ ବର୍ଷ ହେବ ଏମାନେ ସରକାରୀ ଜମିରେ ଘର କରି ରହୁଛନ୍ତି । ସେମାନଙ୍କୁ ସେଠୁ ଉଚ୍ଛେଦ କଲେ ସେମାନେ ତଲିତଳାନ୍ତ ହେବେ ।" ତେଣୁ ସେମାନଙ୍କୁ ଶୀଘ୍ର ଜମିପଟ୍ଟା ଦେବାକୁ ଦାବି କରିଛନ୍ତି ବିଧାୟକ ନରସିଂହ ମିଶ୍ର । ସେହିପରି ତାଙ୍କ କଂଗ୍ରେସ ନେତା ତଥା ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର କହିଛନ୍ତି, "ବିଜେଡି ନିଜେ ପୌରପାଳିକାକୁ ହାତ କରି ଘର ଭାଙ୍ଗୁଥିଲା । ନିଜେ ପୁଣି ଘର ନଭାଙ୍ଗିବା ପାଇଁ ସେଠି ଯାଇ ଆନ୍ଦୋଳନ କରି ଡ୍ରମାବାଜି କରୁଥିଲା । କଂଗ୍ରେସ ସବୁବେଳେ ଲୋକଙ୍କ ସାଙ୍ଗରେ ଅଛି ଓ ଲୋକଙ୍କୁ ସେଠିକାର ଜମିପଟ୍ଟା ଦେବାକୁ ଦାବି କରୁଛି । ବର୍ତ୍ତମାନ ଯେତେ ଜମି ମହଜୁଦ ଅଛି, ସେଥିରେ ପ୍ରକଳ୍ପ କାମ ହେଉ ଏବଂ ଘରଭଙ୍ଗା ନହେଉ ।" ନହେଲେ ଏହି ଆନ୍ଦୋଳନ ଆଗକୁ ଆହୁର ତୀବ୍ର ହେବ ବୋଲି ସେ କହିଛନ୍ତି ।