କେନ୍ଦ୍ରାପଡା: ଜିଲ୍ଲା ପରିଷଦ ନିର୍ବାଚନରେ ବାଜି ମାରିଲା ବିଜେଡି । ବିଜେଡି ପ୍ରାର୍ଥୀ ଲିଲିତା ଦାସ ନିର୍ଦ୍ବନ୍ଦରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି । ତାଙ୍କ ବିପକ୍ଷରେ ଅନ୍ୟ କେହି ପ୍ରତିଦ୍ବନ୍ଦିତା କରିନଥିଲେ । ଫଳରେ ପୁଣିଥରେ ବିଜେଡି ଦଖଲରେ ରହିଛି କେନ୍ଦ୍ରାପଡା ଜିଲ୍ଲା ପରିଷଦ । ଆଜି ସକାଳେ ଲିଲିତା ଦାସଙ୍କୁ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଥିଲା । ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ।
ଜିଲ୍ଲା ପରିଷଦ ନିର୍ବାଚନ; କେନ୍ଦ୍ରାପଡାରେ ଜିତିଲା ବିଜେଡି (ETV Bharat Odisha) ପୂର୍ବତନ ଅଧ୍ୟକ୍ଷାଙ୍କ ଇସ୍ତଫା ଖାଲି ପଡିଥିଲା ପଦ:
୨୦୨୨ ପଞ୍ଚାୟତ ନିର୍ବାଚନ ସମୟରେ ପାଟକୁରା ନିର୍ବାଚନ ମଣ୍ଡଳୀ ୧୩ ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟା ଗୀତାଞ୍ଜଳୀ ସେଠୀଙ୍କୁ ଅଧ୍ୟକ୍ଷା ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହେଲେ ଗତ ସାଧାରଣ ନିର୍ବାଚନ ସମୟରେ ଗୀତାଞ୍ଜଳୀ ଉଭୟ ବିଜେଡି ଓ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ଏବଂ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ଫଳରେ ଦୀର୍ଘ ୪ ମାସ ଧରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦବୀ ଫାଙ୍କା ପଡିଥିଲା । ଆଜି ନିର୍ବାଚନ ହୋଇଥିବାବେଳେ ବିଜେଡି ପ୍ରାର୍ଥୀ ଲିଲିତା ଦାସ ବିଜୟୀ ହୋଇଛନ୍ତି ।
ଲିଲିତାଙ୍କ ନାଁରେ ମୋହର ମାରିଥିଲେ ବିଜେଡି ସୁପ୍ରିମୋ:
'ନବୀନ ପଟ୍ଟନାୟକଙ୍କ ପଦାନୁସରଣ କରିବି'
ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ପରେ ଲିଲିତା ଦାସ କହିଛନ୍ତି, "ଆଜି ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ଶେଷ ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବରେ ମୋ ନାଁ ଘୋଷଣା କରାଯାଇଥିବାରୁ ଦଳର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା, ସମସ୍ତ ଦଳୀୟ ବିଧାୟକ ଓ ବିଧାୟକ ପ୍ରାର୍ଥୀ, ଲୋକସଭା ସାଂସଦ ପ୍ରାର୍ଥୀ ଏବଂ ଦଳର ସୁପ୍ରିମୋଙ୍କୁ ଧନ୍ୟବାଦ । ମୁଁ ନବୀନ ପଟ୍ଟନାୟକଙ୍କ ପଦାନୁସରଣ କରିବି, ସେ ଯେପରି ସାରା ଓଡିଶାକୁ ନିଜ ପରିବାର ବୋଲି କୁହନ୍ତି ସେହିପରି ଲୋକଙ୍କ ପାଖକୁ ଯାଇ କାମ କରି ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବି ।''
ସେହିପରି ନିର୍ବାଚନ ଦାୟିତ୍ବରେ ଥିବା କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର,"ଆଜି ଜିଲ୍ଲା ପରିଷଦ ସଦସ୍ୟମାନଙ୍କ ଉପସ୍ଥିତିରେ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ହୋଇଛି । ଜଣେ ସଦସ୍ୟ ନାମାଙ୍କନ ପତ୍ର ଦାଖଲ କରିଥିବାର ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।''
କଣ କହିଲେ କେନ୍ଦ୍ରାପଡା ବିଧାୟକ ?
କେନ୍ଦ୍ରାପଡା ବିଧାୟକ ଗଣେଶ୍ବର ବେହେରାଙ୍କ କହିଛନ୍ତି, ଆମ ଦଳର ସର୍ବୋଚ୍ଚ ନେତା ନବୀନ ପଟ୍ଟନାୟକ ଲିଲିତା ଦାସଙ୍କୁ ଅଧ୍ୟକ୍ଷା ଭାବେ ମନୋନୀତ କରିଛନ୍ତି ଏବଂ ସେନେଇ ସେ ଲିଲିତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଲିଲିତା ଦାସ ନିର୍ଦ୍ବନ୍ଦ୍ବରେ ନିର୍ବାଚନ ଜିତିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା କହିଛନ୍ତି, 'ଜିଲ୍ଲା ପରିଷଦ ନିର୍ବାଚନ ସମ୍ପର୍କରେ ଆଲୋଚନା ପାଇଁ ଦଳର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱରରେ ଭେଟିଥିଲେ ଏ ତାଙ୍କର ନିଷ୍ପତ୍ତିକୁ ସମସ୍ତ ଜିଲ୍ଲା ପରିଷଦ ମାନିନେବା ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ । ଦଳର ସଭାପତିଙ୍କ ନିଷ୍ପତ୍ତି ଅନୁଯାୟୀ ଲିଲିତା ଦାସଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଥିଲା ।''
ଏହାପରେ ବିଜେଡି କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟବେକ୍ଷକ ଆଜି ଏକ ଘରୋଇ ମଣ୍ଡପରେ ଜିଲ୍ଲାର ୩ ବିଧାୟକ, ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ବିଜେଡି ଜିଲ୍ଲା ସଭାପତି ଓ ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଦଳର ସୁପ୍ରିମୋ ପଠାଇଥିବା ମୁଦା ଲଫାଫା ଖୋଲି କେନ୍ଦ୍ରାପଡା ୫ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ଲିଲିତା ଦାସଙ୍କ ନାମକୁ ଅଧ୍ୟକ୍ଷା ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ।
ଇଟିଭି ଭାରତ, କେନ୍ଦ୍ରାପଡା