ଓଡିଶା

odisha

ETV Bharat / state

ମାଳତିପାଟପୁରରେ ବାୟୋଫିକ୍ସ ପ୍ଲାଣ୍ଟ, ଶ୍ରୀମନ୍ଦିର ବର୍ଜ୍ୟବସ୍ତୁରୁ ହେବ ଜୈବିକ ଖତ ଓ ବାୟୋଗ୍ୟାସ - PURI BIOFIX PLANT

ଶ୍ରୀମନ୍ଦିରରୁ ବାହାରୁଥିବା ବର୍ଜ୍ୟବସ୍ତୁର ସୁବିନିଯୋଗ ପାଇଁ ପଦକ୍ଷେପ । ପ୍ରସ୍ତୁତ ହେବ ଜୈବିକ ଖତ ଓ ବାୟୋଗ୍ୟାସ । ପୁରୀରୁ ଶକ୍ତି ପ୍ରସାଦଙ୍କ ରିପୋର୍ଟ

ମାଳତିପାଟପୁରରେ ବାୟୋଫିକ୍ସ ପ୍ଲାଣ୍ଟ
ମାଳତିପାଟପୁରରେ ବାୟୋଫିକ୍ସ ପ୍ଲାଣ୍ଟ (ETV Bharat Odisha)

By ETV Bharat Odisha Team

Published : Feb 26, 2025, 6:29 PM IST

ପୁରୀ: ଶ୍ରୀମନ୍ଦିରରୁ ବାହାରୁଥିବା ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ ଜୈବିକ ଖତ ଓ ବାୟୋଗ୍ୟାସ । ପୁରୀର ମାଳତିପାଟପୁର ଠାରେ ଏଥିପାଇଁ ପ୍ରତିଷ୍ଠା କରାଯାଇଛି ବାୟୋଫିକ୍ସ ପ୍ଲାଣ୍ଟ । ସେପଟେ ମହାପ୍ରସାଦରୁ ଜୈବିକ ଖତ ତିଆରିକୁ ସେବାୟତ ନାପସନ୍ଦ କରିଛନ୍ତି । ତେବେ କେମିତି ହେବ ପ୍ରକ୍ରିୟା କରଣ ? ଏବଂ ଏହାଦ୍ବାରା କ'ଣ ସବୁ ଫାଏଦା ମିଳିବ, ଆସନ୍ତୁ ଜାଣିବା ।



କେଉଁ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ ବାୟୋଗ୍ୟାସ:
ଶ୍ରୀମନ୍ଦିରରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁର ବିନିଯୋଗ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରସ୍ତୁତ ହେବ ଜୈବିକ ଖତ ଓ ବାୟୋଗ୍ୟାସ । ଏନେଇ ପୁରୀର ମାଳତିପାଟପୁର ଠାରେ ପ୍ରତିଷ୍ଠା କରାଯାଇଛି ବାୟୋଫିକ୍ସ ପ୍ଲାଣ୍ଟ । ଏହି ପ୍ଲାଣ୍ଟରେ ଶ୍ରୀମନ୍ଦିରରୁ ଦୈନିକ ଠାକୁରଙ୍କ ବ୍ୟବହାର ପରେ ବାହାରୁଥିବା ପୂଜା ଫୁଲ, ତୁଳସୀ ନଷ୍ଟ ହୋଇଯାଇଥିବା ମହାପ୍ରସାଦ, ନଡିଆ କତା, କଦଳୀପତ୍ର ସମେତ ରୋଷଘରୁ ବାହାରୁଥିବା ପରିବା ଚୋପା ପ୍ରଭୃତି ବ୍ୟବହାର କରାଯାଇ ଜୈବିକ ଖତ ଓ ବାୟୋଗ୍ୟାସ ପ୍ରସ୍ତୁତ କରାଯିବ । ପିଜିସିଆଇଏଲ ଇଣ୍ଡିଆ ସହାୟତାରେ ଏହି ପ୍ଲାଣ୍ଟ ମାଳତିପାଟପୁରରେ ପ୍ରତିଷ୍ଠା କରାଯାଇଛି । ଏହି ପ୍ଲାଣ୍ଟର କ୍ଷମତା ଦୈନିକ ୩ ଟନ ବର୍ଜ୍ୟବସ୍ତୁ ପରିଚାଳନା ରହିଛି ।

Biofix Plant In Puri (ETV Bharat Odisha)

ଏସବୁ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ ବାୟୋଗ୍ୟାସ:

  • ଶ୍ରୀମନ୍ଦିରରୁ ବାହାରୁଥିବା ପୂଜା ଫୁଲ
  • ମହାପ୍ରସାଦ
  • ନଡିଆ କତା
  • କଦଳୀପତ୍ର
  • ରୋଷଘରୁ ବାହାରୁଥିବା ପରିବା ଚୋପା
Biofix Plant (ETV Bharat Odisha)

ଚାଷ କାମରେ ବ୍ୟବହାର ହେବ ଜୈବିକ ଖତ:

ଏଠାରୁ ପ୍ରସ୍ତୁତ ଜୈବିକ ଖତ ଚାଷୀଙ୍କ କାମରେ ଆସିବ । ଶ୍ରୀମନ୍ଦିରରୁ ବାହାରୁଥିବା ବର୍ଜ୍ୟବସ୍ତୁ ବାୟୋମାଇନ ଜରିଆରେ ପ୍ରାକୃତିକ ଗ୍ୟାସ୍ ଓ ଜୈବିକ ଖତ ହେବ । ଜୈବିକ ଖତ ଶ୍ରୀମନ୍ଦିରରେ ଭିତରେ ଥିବା ଉପବନ ନିମନ୍ତେ ବ୍ୟବହାର ହେବ । ଶ୍ରୀମନ୍ଦିରରୁ ବାହାରୁଥିବା ଆବର୍ଜନା ସଠିକ ଭାବରେ ପରିଚାଳନା ହୋଇପାରୁନାହିଁ । ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଓ ଦକ୍ଷିଣ ଦ୍ୱାର ପଟେ ଶ୍ରୀମନ୍ଦିରରୁ ବାହାରୁଥିବା ଆବର୍ଜନା ପଡି ରହୁଛି । ଫଳରେ ଦୁର୍ଗନ୍ଧରେ ଭକ୍ତମାନେ ବେଶ ଅସୁବିଧା ଭୋଗୁଛନ୍ତି । ଶ୍ରୀମନ୍ଦିରରୁ ନିର୍ଗତ ବର୍ଜ୍ୟଜଳ ଅନେକ ସମୟରେ ପରିକ୍ରମା ମାର୍ଗରେ ଭାସୁଛି । ଯାହାକୁ ନେଇ ଭକ୍ତମାନେ ଏକ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି । ତେବେ ନୂଆ ନିର୍ମାଣ ହୋଇଥିବା ବାୟୋଫିକ୍ସ ପ୍ଲାଣ୍ଟ ଦ୍ୱାରା ଶ୍ରୀମନ୍ଦିରରୁ ବାହାରୁଥିବା ସବୁ ପ୍ରକାର ବର୍ଜ୍ୟବସ୍ତୁ ସଠିକ ଭାବରେ ପରିଚାଳନା ହେବ ବୋଲି ସମସ୍ତେ ଆଶା ରଖିଛନ୍ତି ।

Biofix Plant (ETV Bharat Odisha)
Biofix Plant (ETV Bharat Odisha)


୧୫୦ ୟୁନିଟ ବିଦ୍ୟୁତ ଉତ୍ପାଦନ:

ଗୁଜୁରାଟ ସୁରତର ବାୟୋଫିକ୍ସ ପ୍ରାଇଭେଟ ଲିମିଟେଡ କମ୍ପାନୀ ପୁରୀ ମାଳତିପାଟପୁରରେ ହୋଇଥିବା କମ୍ପୋଷ୍ଟ ଓ ବାୟୋଗ୍ୟାସ ପ୍ଲାଣ୍ଟର ପରିଚାଳନା ଭାର ନେଇଛି । ଏହି କମ୍ପାନୀ ସାରା ଭାରତରେ ୧୭୦ ରୁ ଅଧିକ ପ୍ଲାଣ୍ଟ ସ୍ଥାପନ କରି ବର୍ଜ୍ୟବସ୍ତୁ ପରିଚାଳନା କରୁଛି । ପୁରୀରେ କାର୍ଯ୍ୟକ୍ଷମ ହୋଇଥିବା କମ୍ପୋଷ୍ଟ ଓ ବାୟୋଗ୍ୟାସ ପ୍ଲାଣ୍ଟ ୩ ଟନ ପର୍ଯ୍ୟନ୍ତ ବର୍ଯ୍ୟବସ୍ତୁ ପରିଚାଳନା କରିପାରିବ । ମୋଟ ୧୨ ଜଣ କର୍ମଚାରୀ ଏହି ପ୍ଲାଣ୍ଟକୁ ପରିଚାଳନା କରିବେ । ତେବେ ବର୍ଜ୍ୟବସ୍ତୁରୁ ବାୟୋଗ୍ୟାସ ଓ ବାୟୋଗ୍ୟାସରୁ ବିଦ୍ୟୁତ ଉତ୍ପାଦନ କରାଯାଇ ଉକ୍ତ ପ୍ଲାଣ୍ଟକୁ ପରିଚାଳନା କରାଯିବ । ୧୫୦ ୟୁନିଟ ବିଦ୍ୟୁତ ଉତ୍ପାଦନ ହୋଇପାରିବ । ଏହାକୁ ପ୍ଲାଣ୍ଟରେ ବ୍ୟବହାର କରାଯିବ ।

Biofix Plant (ETV Bharat Odisha)

'ସ୍ୱଚ୍ଛ ଓଡି଼ଶା ଲକ୍ଷ୍ୟ'

ପ୍ରଥମେ ବର୍ଜ୍ୟବସ୍ତୁକୁ ଅଣାଯିବା ପରେ ମେସିନ ସାହାଯ୍ୟରେ ଅଲଗା କରାଯିବ । ପରେ ଏହାକୁ କ୍ରସିଂ କରାଯିବ । କ୍ରସିଂ ହୋଇଥିବା ବର୍ଯ୍ୟବସ୍ତୁକୁ ଡାଇଜେଷ୍ଟର ନିଆଯାଇ ବାୟୋଗ୍ୟାସରେ ରୂପାନ୍ତରଣ କରାଯିବ । ପ୍ଲାଣ୍ଟ ଇନ ଚାର୍ଜରୁଦ୍ର ପ୍ରସାଦ ମିଶ୍ର କହିଛନ୍ତି , "ଶ୍ରୀମନ୍ଦିରରୁ ଆସୁଥିବା ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରି ସେଥିରୁ ଆମେ ବାୟୋଗ୍ୟାସ ବାହାର କରିବୁ । ଏଥି ସହିତ ବିଦ୍ୟୁତ ଉତ୍ପାଦନ ସହିତ ଜୈବିକ ଖତ ବାହାର କରିବୁ । ଏହି ପ୍ରକଳ୍ପ ନିଶ୍ଚିତ ବେଶ ଫାଇଦା ଦେବ । ଆମ କମ୍ପାନୀ ଓଡ଼ିଶାରେ ୧୨ ପ୍ରକଳ୍ପ କରି ବର୍ଜ୍ୟବସ୍ତୁ ପରିଚାଳନା କରୁଛି । ତେବେ ପୁରୀରେ ଏହା ଆମର ସବୁଠୁ ବଡ ପ୍ଲାଣ୍ଟ । ତେବେ ରାଜ୍ୟ ସରକାର ଯଦି ଚାହିଁବେ ଅଗାମୀ ଦିନରେ ଆମ କମ୍ପାନୀ ଆହୁରି ବଡ ପ୍ରକଳ୍ପ କରିବ । ବାୟୋଗ୍ୟାସରୁ ବିଦ୍ୟୁତ ଉତ୍ପାଦନ କରାଯାଇ ଶ୍ରୀମନ୍ଦିରରେ ଏହା ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ଶ୍ରୀମନ୍ଦିର ପ୍ରଶାସନ ଯାହା ଆମକୁ ନିର୍ଦ୍ଦେଶ ଦେବେ ତାହା ଆମେ ପାଳନ କରିବୁ । ଯଦି ସରକାର ଆମକୁ ଅନୁମତି ଦେବେ CNG ମଧ୍ୟ ଆମେ ଉତ୍ପାଦନ ଆମେ କରିପାରିବୁ । ଓଡି଼ଶାକୁ ସ୍ୱଚ୍ଛ ରଖିବା ଆମର ମୁଖ୍ୟ ଲକ୍ଷ୍ୟ ରହିଛି ।"

Biofix Plant (ETV Bharat Odisha)


୧୫ ସିଲିଣ୍ଡର ଗ୍ୟାସ ଉତ୍ପାଦନ:

ପ୍ଲାଣ୍ଟ ଇଞ୍ଜିନିୟର ରାୱଲ ହର୍ଷ କହିଛନ୍ତି, "ଆମର ବାୟୋଫିକ୍ସ କମ୍ପାନୀ ୩ ଟନ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ପୁରୀରେ ସ୍ଥାପନ କରାଯାଇଛି । ଶ୍ରୀମନ୍ଦିରରୁ ଦୈନିକ ୩ ହଜାର କେଜି ପର୍ଯ୍ୟନ୍ତ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରି ବାୟୋ ଗ୍ୟାସ, ଖତ, ବିଦ୍ୟୁତ ଉତ୍ପାଦନ କରାଯାଇପାରିବ । ଆମେ ବାୟୋଗ୍ୟାସରୁ ୧୫୦ ୟୁନିଟ ବିଦ୍ୟୁତ ଦୈନିକ ଉତ୍ପାଦନ କରିପାରିବୁ । ଶ୍ରୀଜଗନ୍ନାଥ ମନ୍ଦିରକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରିବା ଆମର ଲକ୍ଷ୍ୟ ରହିଛି । ସେହିପରି ଜୈବିକ ଖତକୁ ଶ୍ରୀମନ୍ଦିର ପ୍ରଶାସନ ଚାଷୀଙ୍କୁ ବିକ୍ରି କରିବା ନେଇ ଲକ୍ଷ୍ୟ ରହିଛି । ଜୈବିକ ଖତକୁ ଶ୍ରୀମନ୍ଦିର ଉପବନ ସମେତ ବିଭିନ୍ନ ଗଛରେ ବ୍ୟବହାର କରାଯାଇପାରିବ । ଦୈନିକ ୧୫ ସିଲିଣ୍ଡର ଗ୍ୟାସ ଉତ୍ପାଦନ ମଧ୍ୟ ବ୍ୟବସ୍ଥା ରହିଛି । ତେବେ ଓଡିଶାରେ ଏକାଧିକ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ସ୍ଥାପନ କରାଯାଇଛି । ଓଡି଼ଶାର ପୁରୀ ସମେତ ଅନ୍ୟ ସହରକୁ ସ୍ୱଚ୍ଛ ରଖିବା ଆମ କମ୍ପାନୀର ମୂଳ ଲକ୍ଷ୍ୟ ।"

Biofix Plant (ETV Bharat Odisha)

ମହାପ୍ରସାଦରୁ ଖତ ପ୍ରସ୍ତୁତକୁ ସେବାୟତଙ୍କ ନାପସନ୍ଦ:

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହଛନ୍ତି, "ଶ୍ରୀମନ୍ଦିରରୁ ବହୁତ ବର୍ଜ୍ୟବସ୍ତୁ ବାହାରୁଛି । ସେସବୁରୁ ଜୈବିକ ଖତ, ବାୟୋଗ୍ୟାସ ଉତ୍ପାଦନ ପାଇଁ ବ୍ୟବସ୍ଥା କରିଛନ୍ତି । ଯାହାକି ସ୍ୱାଗତଯୋଗ୍ୟ ପଦକ୍ଷେପ । ପୁରୀକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସୁଛନ୍ତି । ଏଣୁ ପ୍ରତିଦିନ ବହୁତ ବର୍ଜ୍ୟବସ୍ତୁ ବାହାରୁଛି । ଏହାର ପ୍ରକ୍ରିୟା କରଣ ପାଇଁ ସରକାର ପଦକ୍ଷେପ ନେବା ଭଲ କଥା । ହେଲେ ମହାପ୍ରସାଦକୁ ପ୍ରକ୍ରିୟା କରଣ କରାଯାଇ ଖତ ପ୍ରସ୍ତୁତ କରାଯିବା ଯୋଜନା ଠିକ ନୁହେଁ । ମହାପ୍ରସାଦ ଏକ ପବିତ୍ର ଜିନିଷ । ଏହାକୁ କମ୍ପୋଷ୍ଟ କରି ସାର ପ୍ରସ୍ତୁତ କରିବା ଗ୍ରହଣୀୟ ନୁହେଁ । ଏହାକୁ ଅନ୍ୟ କୌଣସି ଉପାୟରେ ସମ୍ମାନର ସହ ନଷ୍ଟ କରାଯାଉ । ମହାପ୍ରସାଦରୁ ଖତ ପ୍ରସ୍ତୁତ କରାଯିବା ସେବାୟତ କେବେବି ଗ୍ରହଣ କରିବେ ନାହିଁ।"

Biofix Plant (ETV Bharat Odisha)
Biofix Plant (ETV Bharat Odisha)
ଏହା ବି ପଢନ୍ତୁ...ମହାପ୍ରଭୁଙ୍କୁ ଲାଗି ହେଲା 'ଜୈବିକ ଚାଉଳ'ରେ ମହାପ୍ରସାଦ
ଏହା ବି ପଢନ୍ତୁ...ଓଡ଼ିଶାରେ ହେବ ‘ବାୟୋ ଏଆଇ ହବ୍’: ସୁଦୃଢ ହେବ ସ୍ବାସ୍ଥ୍ୟ, କୃଷି ଓ ବାୟୋଟେକ୍ନଲୋଜି କ୍ଷେତ୍ର - ILS BIO AI HUB
Biofix Plant (ETV Bharat Odisha)


ଭକ୍ତ ଓ ସେବାୟତଙ୍କ ଭାବାବେଗକୁ ଧ୍ୟାନ ଦିଆଯିବ: ଜିଲ୍ଲାପାଳ

ପୁରୀ ଜିଲ୍ଲାପାଳସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି , "ଶ୍ରୀମନ୍ଦିରରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ଉପଯୋଗ କରାଯାଇ ବାୟୋଗ୍ୟାସ , ଜୈବିକ ଖତ ଉତ୍ପାଦନ କରାଯିବ । ଏନେଇ ପୁରୀରେ ଏକ ସ୍ୱତନ୍ତ୍ର ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି । ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ । ତେବେ ମହାପ୍ରସାଦ କେବେବି ନଷ୍ଟ ହୁଏ ନାହିଁ । ଏଥିରୁ ନିର୍ମାଲ୍ୟ ତିଆରି ହୁଏ । ଏଣୁ ଏହା ଭକ୍ତ ଓ ସେବାୟତଙ୍କ ଭାବାବେଗ କଥା । ଏହାକୁ ନିଶ୍ଚିତ ରୂପରେ ଧ୍ୟାନ ଦିଆଯିବ । ତେବେ ପୁରୀ ଓ କୋଣାର୍କରେ ମଧ୍ୟ ବାହାରୁଥିବା ବର୍ଜ୍ୟବସ୍ତୁକୁ ପ୍ରକ୍ରିୟା କରଣ କରାଯାଇ ବାୟୋଗ୍ୟାସ ଓ ଜୈବିକ ଖତ ତିଆରି କରାଯିବ । ଏଥିପାଇଁ ଏକ କମ୍ପୋଷ୍ଟ ଓ ବାୟୋଗ୍ୟାସ ପ୍ଲାଣ୍ଟ ସ୍ଥାପନ ପାଇଁ ଜମି ଚିହ୍ନଟ ହୋଇଛି । ଏହାକୁ ମଧ୍ୟ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ।"


ପୁରୀରୁ ଶକ୍ତି ପ୍ରସାଦ ମିଶ୍ରଙ୍କ ରିପୋର୍ଟ

ABOUT THE AUTHOR

...view details