ଭୁବନେଶ୍ବର:ରାଜଧାନୀ ଛାତି ଉପରେ ରାତି ଅଧରେ ଭିଆଇଥିଲେ ନିର୍ମମ ହତ୍ୟାକାଣ୍ଡ । ଗଣେଶ ପୂଜାରେ ବୁହାଇଥିଲେ ରକ୍ତର ନଦୀ । ଖୋଦ୍ ଡିସିପି ଅଫିସ ସାମ୍ନାରେ ଦାଦା ବଟି ପାଇଁ ଚା' ଦୋକାନୀଙ୍କ ଜୀବନ ନେଇଥିଲେ । କୋର୍ଟ ଏହି ହତ୍ୟାକାଣ୍ଡରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ୨ ଦୋଷୀଙ୍କୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ । ୩୧ ଅଗଷ୍ଟ ୨୦୨୨ ମସିହା ଗଣେଶ ପୂଜା ରାତିରେ ଚା' ଦୋକାନୀ ସୌମ୍ୟରଞ୍ଜନ କୁଣ୍ଡୁଙ୍କୁ ବାଣୀବିହାର ଛକରେ ହତ୍ୟା କରାଯାଇଥିଲା ।
- ଆଜୀବନ ସଜ୍ଜା ଶୁଣାଇଲେ କୋର୍ଟ:
ଏନେଇ ସରକାରୀ ଓକିଲ ଶରତ ଚନ୍ଦ୍ର ସାମନ୍ତ କହିଛନ୍ତି, "କେମିକାଲ ରିପୋର୍ଟ, ୧୮ ସାକ୍ଷୀ ଓ ୩୯ ଦଲିଲ୍ ଓ ତଦନ୍ତର ବହୁଦିଗକୁ ତର୍ଜମା କରି ଦୌରାଜଜ ଆଜି ୨ ଜଣ ଅଟୋ ଡ୍ରାଇଭରର ତଥା ହତ୍ୟାକାରୀ ପାପୁଲି ଓରଫ ମନୋଜ ଦାସ ଓ କାବୁ ଓରଫ ଅଶୋକ ଦାସକୁ ୩୦୨ ଦଫାରେ ଆଜୀବନ ସଜ୍ଜା ଶୁଣାଇଛନ୍ତି । ଏହାସହ ୧୦ ହାଜର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମନା ଅନାଦେୟ ୧ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟ ଶୁଣାଇଛନ୍ତି । ଅଭିଯୁକ୍ତମାନେ ଛକରେ ପତିଆରା ବୃଦ୍ଧି ପାଇଁ ଚାହୁଁଥିଲେ । ସୌମ୍ୟରଞ୍ଜନଙ୍କଠାରୁ ସେମାନେ ବଟି ଆଦାୟ କରିବାକୁ ଚାହୁଁଥିଲେ । ଟଙ୍କା ଦିଆନିଆକୁ ନେଇ ସୌମ୍ୟରଞ୍ଜନଙ୍କ ସହ ସେମାନଙ୍କର ପୂର୍ବ ଶତ୍ରୁତା ଥିଲା । ଯାହାକୁ ନେଇ ସେମାନେ ତାଙ୍କୁ ହତ୍ୟା କରିଥିଲେ ।"
- କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ହୋଇଥିଲା ଦାବି:
ଏନେଇ ସରକାରୀ ଓକିଲ ରଶ୍ମି ରଞ୍ଜନ ବ୍ରହ୍ମାକହିଛନ୍ତି," ୨୦୨୨ ମସିହା ଅଗଷ୍ଟ ୩୧ ତାରିଖ ରାତି ୧ଟା ବାଣୀବିହାର ଛକରେ ଦୋକାନ କରିଥିବା ସୌମ୍ୟରଞ୍ଜନ କୁଣ୍ଡୁ ଓରଫ ଲିପୁନା ପାଣି ଆଣିବା ପାଇଁ ପାଖ ଗହଣା ଦୋକାନକୁ ଯାଇଥିଲେ । ଏହି ସମୟରେ ୨ ଅଟୋ ଡ୍ରାଇଭର ପାପୁଲି ଓରଫ ମନୋଜ ଦାସ ଓ କାବୁ ଓରଫ ଅଶୋକ ଦାସ ଏକ ଖଣ୍ଡାରେ ୩୩ ଥର ଆକ୍ରମଣ କରି ସୌମ୍ୟରଞ୍ଜନଙ୍କୁ ହତ୍ୟା କରିଥିଲେ । ଭୁବନେଶ୍ବର ଭଳି ସହରରେ ଏଭଳି ନିର୍ମମ ଭାବରେ ହତ୍ୟା ସମସ୍ତଙ୍କୁ ସ୍ତବ୍ଦ କରିଦେଇଥିଲା । ଏଭଳି ଅପରାଧୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ପାଇଁ କୋର୍ଟ ଶୁଣାଣି ସମୟରେ କହିଥିଲୁ । ଏନେଇ ୨ ହତ୍ୟାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଯୁକ୍ତି ବାଢ଼ିଥିଲୁ । ସେମାନଙ୍କୁ ଆଜି ଆଜୀବନ ସଜ୍ଜା ଶୁଣାଇଛନ୍ତି ଦୌରାଜଜ ।"