ବରଗଡ଼: ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ନୂଆ କଂସ ଚୟନ । କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ । ସେ ଚଳିତ ୨୦୨୪-୨୫ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ୧ ବର୍ଷ ପାଇଁ କଂସ ଭୂମିକାରେ ଅଭିନୟ କରିବେ । ଆଜି ଚୟନ କମିଟି ପକ୍ଷରୁ ଭୁବନେଶ୍ବରଙ୍କ ନାରେ ମୋହର ବାଜିଛି । କଂସ ଭୂମିକା ରେସରେ ୪ ଜଣ ରହିଥିବା ବେଳେ ୩ ଜଣଙ୍କୁ ପଛରେ ପକାଇ କଂସ ଭୂମିକାରେ ଅବତୀର୍ଣ୍ଣ ହେବେ ଭୁବନେଶ୍ୱର । ପୂର୍ବରୁ ମଧ୍ୟ କଂସ ଭୂମିକାରେ ଅଭିନୟ କରିସାରିଛନ୍ତି ଭୁବନେଶ୍ୱର ପ୍ରଧାନ ।
ଧନୁଯାତ୍ରାର ନୂଆ କଂସ:
BARGARH DHANU YATRA (ETV Bharat Odisha) ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ସାଜୁଥିବା କଂସ ଭୂମିକାରେ ଅଭିନୟ ପାଇଁ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ କଂସ ଚୟନ ପ୍ରକ୍ରିୟା ଚାଲିଥିଲା । ଏହି କଂସ ଚୟନ ରେସରେ ରହିଥିଲେ ମାତ୍ର ୪ ଜଣ କଳାକାର । ଗତ ୨୦୨୨ ମସିହାରେ ହୋଇଥିବା କଂସ ଚୟନ ପ୍ରକ୍ରିୟାରେ ପ୍ରଥମରୁ ପଞ୍ଚମ ସ୍ଥାନରେ ରହିଥିବା କଳାକାରମାନଙ୍କ ମଧ୍ୟରୁ ଉତ୍ତମ ପ୍ରଦର୍ଶନ କରିଥିବା ଜଣେ କଳାକାରଙ୍କୁ ଆଜି କଂସ ଅଭିନୟ ପାଇଁ ଚୟନ କରାଯାଇଥିଲା । ୨୦୨୨ ମସିହା କଂସ ଚୟନ ପ୍ରକ୍ରିୟାରେ ଉତ୍ତମ ପ୍ରଦର୍ଶନ କରି କଂସ ଭୂମିକାରେ ଅଭିନୟ ପାଇଁ ଚୟନ ହୋଇଥିବା ହୃଷୀକେଶ ଭୋଇଙ୍କୁ ବାଦ ଦେଇ ପଞ୍ଚମ ସ୍ଥାନ ପର୍ଯ୍ୟନ୍ତ ରହିଥିବା ଅନ୍ୟ ୪ ଜଣ କଳାକାରଙ୍କ ମଧ୍ୟରୁ ଉତ୍ତମ ପ୍ରଦର୍ଶନ କରୁଥିବା କଳାକାରକୁ ଚଳିତ ଗୋଟେ ବର୍ଷ ପାଇଁ ସୁଯୋଗ ଦିଆଯିବାକୁ କଳାକାର ଉପଦେଷ୍ଟା ସମିତି ନିଷ୍ପତ୍ତି ନେଇଥିଲା ।
ରେସ୍ରେ ଥିଲେ ଏମାନେ:
ତେବେ ଆଜିର କଂସ ଚୟନ ପ୍ରକ୍ରିୟାରେ ଆର୍ତ୍ତତ୍ରାଣ ଶୁନାନୀ, ଜଗଦାନନ୍ଦ ମିଶ୍ର, ଭୁବନେଶ୍ୱର ପ୍ରଧାନ ଓ ସୁଶୀଲ ମିଶ୍ର ଏହି ୪ ଜଣ କଳାକାର ରେସରେ ରହିଥିଲେ । କଳାକାର ଚୟନ ପାଇଁ କଳକାରିତା କ୍ଷେତ୍ରରେ ପାରଦର୍ଶିତା ଥିବା ବିଚାରପତିଙ୍କ ଏକ ୩ ଜଣିଆ ଟିମକୁ କଂସ ଚୟନ ପାଇଁ ଦାୟିତ୍ବ ଦିଆଯାଇଥିଲା । ଭବାନୀପାଟଣାର ଡ଼. ଉମେଶ ଶତପଥୀ, ଝାରସୁଗୁଡାର ସନ୍ଦୀପ ଆଚାର୍ଯ୍ୟ ଓ ବରଗଡ଼ର ଚୂଡ଼ାମଣି ରଥ ଜର୍ଜ ଭାବେ କଳାକାରଙ୍କ ପ୍ରଦର୍ଶନକୁ ଦେଖି ମାର୍କା ଦେଇଥିଲେ ଓ ଉତ୍ତମ କଳାକାର ଚୟନ କରିଥିଲେ । ଜର୍ଜ ମାନଙ୍କ ସମ୍ମୁଖରେ ୪ ଜଣ କଳାକାର ବିଭିନ୍ନ ସଂଳାପ ସହିତ ନିଜ ନିଜର କଳାକାରିତା ପ୍ରଦର୍ଶନ କରିଥିଲେ । ତେବେ ଉଚ୍ଚ କୋଟିର କଳା ପ୍ରଦର୍ଶନ କରିଥିବା କଳାକାର ଭୁବନେଶ୍ୱର ପ୍ରଧାନଙ୍କୁ ଜର୍ଜମାନେ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ ପାଇଁ ଉତ୍ତମ କଳାକାର ଭାବେ ଚୟନ କରିଥିଲେ l
ଜାନୁଆରୀ ୩ରୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା:
ତେବେ ଆସନ୍ତା ୨୦୨୫ ଜାନୁୟାରୀ ୩ ତାରିଖରୁ ବରଗଡ଼ରେ ହେବା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଏଥିରେ ମୁଖ୍ୟ ଆକର୍ଷଣ, କଂସ ଭୂମିକାରେ ଭୁବନେଶ୍ୱର ପ୍ରଧାନ ଅଭିନୟ କରିବେ । ସୂଚନା ଥାଉ କି, ୨୦୨୨ରୁ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଆସୁଥିଲେ ହୃଷିକେଶ ଭୋଇ । ହୃଷିକେଶ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡ଼ିର ଡ୍ରାଇଭର ଭାବେ କାମ କରୁଥିଲେ । ମାତ୍ର ଲାଞ୍ଚ କାରବାରରେ ସେ ବିବାଦୀୟ ହୋଇ ଚାକିରିରୁ ନିଲମ୍ବିତ ହେବାପରେ ଲୋକେ ତାଙ୍କୁ ବିରୋଧ କରିଥିଲେ ଓ ନୂତନ କଂସ ଚୟନ ପାଇଁ ଦାବି ହୋଇଥିଲା । ଏହିକ୍ରମରେ ନୂତନ କଂସ ଭାବରେ ଭୁବନେଶ୍ୱର ପ୍ରଧାନଙ୍କୁ ଚୟନ କରାଯାଇଚି ।
ଇଟିଭି ଭାରତ, ଭୁବନେଶ୍ବର