ଭୁବନେଶ୍ୱର:2021 ମସିହାରେ କୁଞ୍ଜପାଟଣା ସାହିରେ ମହିଳାଙ୍କୁ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ ହୋଇଛି। 2 ବର୍ଷ ପରେ କୋଲକାତାରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟଚାଲାଣ କଲା ପୋଲିସ । ବିବାହିତ ହୋଇ ମଧ୍ୟ ମହିଳାଙ୍କ ସହ କଣ୍ଡକ୍ଟରଙ୍କ ପ୍ରେମ ସମ୍ପର୍କ ରହିଥିବା ବେଳେ ବିବାହ ପାଇଁ ଜିଦ୍ ଧରିବାରୁ ମହିଳାଙ୍କ ତଣ୍ଟି ଚିପି କଣ୍ଡକ୍ଟରଜଣକ ହତ୍ୟା କରିଥିବା କହିଛି ପୋଲିସ ।
ଏହାମଧ୍ୟ ପଢନ୍ତୁ..ଯୌତୁକ ଜୁଇରେ ଜଳିଲା ଜୀବନ, ନବବଧୂକୁ ତଣ୍ଟି ଚିପି ହତ୍ୟା !
ଜୋନ 2 ଏସିପି ଗିରିଜା ଚକ୍ରବର୍ତ୍ତୀଙ୍କ ସୂଚନା ଅନୁଯାୟୀ, 2021 ମସିହା ଡିସେମ୍ବର 10 ତାରିଖରେ କୁଞ୍ଜପାଟଣା ସାହିରୁ ଏକ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏନେଇ ଲିଙ୍ଗରାଜ ପୋଲିସ ପକ୍ଷରୁ ତଦନ୍ତ କରାଯାଇଥିଲା । ମୃତ ମହିଳା ଜଣକ ଜଗତସିଂହପୁର ଜିଲ୍ଲାର ଗୋବର୍ଦ୍ଧନ ପୁର ମେରାଇନ ଥାନା ଅଞ୍ଚଳର ନମିତା ସାହୁ ବୋଲି ଜଣାପଡିଥିଲା । ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ଯେ, ମହିଳା ଜଣଙ୍କ ନିଜ ବିବାହିତ ସ୍ୱାମୀ ଓ ପିଲାଙ୍କୁ ଛାଡି ସମରେନ୍ଦ୍ର ବିଶ୍ବାଳ ନାମକ ଜଣେ ବସ୍ କଣ୍ଡକ୍ଟର ସହ ପ୍ରେମ କରି ତାଙ୍କ ସହ କୁଞ୍ଜପାଟଣା ସାହିରେ ଲିଭ ଇନରେ ରହୁଥିଲେ । ତେବେ ସମରେନ୍ଦ୍ର ବିଶ୍ବାଳ ମଧ୍ୟ ପୂର୍ବରୁ ବିବାହ କରିଥିବା ବେଳେ ତାଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ନମିତା ସାହୁଙ୍କୁ ଦ୍ୱିତୀୟ ବିବାହ କରିଥିଲେ ମଧ୍ୟ ତାଙ୍କ ପୁଅ, ଝିଅ ଓ ପରିବାର ଲୋକେ ଏନେଇ ସମ୍ମତି ଦେଇନଥିଲେ । ଏନେଇ ନମିତା ଓ ସମରେନ୍ଦ୍ରଙ୍କ ମଧ୍ୟରେ ଅନେକ ସମୟରେ କଳହ ଦେଖିବାକୁ ମିଳିଥିଲା ।