ଭୁବନେଶ୍ବର:ରାତି ଅଧରେ ପୁରୁଷବନ୍ଧୁଙ୍କ ସାମ୍ନାରେ ଯୁବତୀଙ୍କୁ ଅପହରଣ ଘଟଣାରେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ସାମ୍ନାକୁ ଆସିଲା ଘଟଣା ପଛର ଖଳନାୟକର ସତ । ତ୍ରିକୋଣୀୟ ପ୍ରେମରୁ ଘଟିଥିଲା ଘଟଣା । ଚିହ୍ନା ପରିଚିତ ଥିବା ଯୁବତୀଙ୍କୁ ଅପହରଣ କରିଥିଲେ ଯୁବକ । ୪ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ । ସେମାନଙ୍କ ମଧ୍ୟରେ ଜଣେ ନାବାଳାକ ରହିଛି ।
- ପୋଲିସ କବଜାରେ 4 ଅଭିଯୁକ୍ତ
ଘଟଣା ସମ୍ପର୍କରେ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, "ଗିରଫ ଅଭିଯୁକ୍ତମାନେ ହେଲେ କ୍ୟାପିଟାଲ ଥାନା ମା’ ମଙ୍ଗଳା ବସ୍ତିରେ ରହୁଥିବା ଚନ୍ଦନ ମଲିକ ଓରଫ ଚନ୍ଦୁ, ପିଚୁପଡ଼ିଆ ବସ୍ତିରେ ରହୁଥିବା ଢ଼େଙ୍କାନାଳ ଜିଲ୍ଲାର ପ୍ରଣବ ନାୟକ ଓରଫ ପ୍ରୀତିଷ, ଲିଙ୍ଗରାଜ ଥାନା ଅଧୀନ ରାଜାରାଣୀ କଲୋନୀରେ ରହୁଥିବା ନୟାଗଡ଼ ଜିଲ୍ଲା ରାହୁଲ ନାୟକ ଓରଫ ସୋନୁ ଓ ଅନ୍ୟ ଜଣେ ନାବାଳକ ରହିଛି । ୩ ଅଭିଯୁକ୍ତଙ୍କୁ ଗିରଫ ପରେ ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ ନାବାଳକକୁ ବାଳସୁଧାର ଗୃହକୁ ପଠାଇଛି । ଏହି ଘଟଣାରେ ପ୍ରଣବ ମୁଖ୍ୟ ଅଭିଯୁକ୍ତ ଯାହା ନାଁରେ ପୂର୍ବରୁ ଅପରାଧିକ ରେକର୍ଡ ରହିଛି । ସେ ଯୁବତୀଙ୍କ ସହ ପୂର୍ବରୁ ଚିହ୍ନା ପରିଚୟ ଥିଲେ ।"
- କ'ଣ ଥିଲା ଘଟଣା:
ଗତବର୍ଷ ଡିସେମ୍ବର ୨୩ ତାରିଖ ବିଳମ୍ବିତ ରାତିରେ ଯୁବତୀ ଜଣଙ୍କ ପୁରୁଷବନ୍ଧୁ (ଆକାଶ)ଙ୍କ ସହିତ ସ୍କୁଟିରେ ଘରକୁ ଫେରୁଥିଲେ । ଲୁମ୍ବିନୀ ବିହାର ନିକଟରେ ତାଙ୍କ ସ୍କୁଟିରୁ ପେଟ୍ରୋଲ ସରିଯାଇଥିଲା । ଅଟକି ରହି ଆକାଶ ଗାଡ଼ିରେ ପେଟ୍ରୋଲ ପକାଉଥିଲେ । ଏହି ସମୟରେ ଅଭିଯୁକ୍ତ ପ୍ରଣବ, ଚନ୍ଦନ, ରାହୁଲ ଓ ନାବାଳକ ସମେତ ୫ ଜଣ ଏକ କାରରେ ଆସି ସେଠାରେ ପହଞ୍ଚିଥିଲେ । କିଛି ବୁଝିବା ପୂର୍ବରୁ ହଠାତ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ । ଏନେଇ ପୁରୁଷବନ୍ଧୁ ବିରୋଧ କରିବାରୁ ତାଙ୍କୁ ସେମାନେ ମାଡ଼ ମାରିଥିଲେ । ପରେ ଜବରଦସ୍ତି ଯୁବତୀଙ୍କୁ କାର ଭିତରେ ପୁରାଇ ଅପହରଣ କରି ନେଇଥିଲେ । ଅପହରଣର କିଛି ସମୟ ପରେ ଯୁବତୀଙ୍କୁ ଖଣ୍ଡଗିରିରେ ଏକାକୀ ଛାଡ଼ି ପଳାଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ନିଖୋଜ ଥିଲେ, ଅଖା ବସ୍ତାରୁ ମିଳିଲା ମୃତଦେହ |