ଭୁବନେଶ୍ବର: ପବ୍ଲିକ ଟ୍ରାନ୍ସପୋର୍ଟ ସୁବିଧା ଦେଉଥିବା ସହର ଭିତରେ ଦେଶର ଶ୍ରେଷ୍ଠ ସହର ହେଉଛି ଭୁବନେଶ୍ୱର । ଜାତୀୟ ସ୍ତରରେ ମିଳିଛି ଭୁବନେଶ୍ୱରକୁ ସ୍ବତନ୍ତ୍ର ପରିଚୟ । ୧୭ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ (UMI) ସମ୍ମିଳନୀରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ହାତେଇଛି ‘ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର’ ସମ୍ମାନ ।
ଗୁଜୁରାଟର ଗାନ୍ଧୀନଗର ଠାରେ ଆୟୋଜିତ ୧୭ତମ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ୨୦୨୪ର ଉଦଯାପନି ସମାରୋହରେ ଭୁବନେଶ୍ୱର ସହରକୁ ‘ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର’ ଭାବେ ଜାତୀୟ ପୁରସ୍କାର ମିଳିଛି । କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ଏବଂ ଶକ୍ତିମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଠାରୁ ଓଡ଼ିଶା ଆବାସ ଏବଂ ନଗର ଉନ୍ନୟନ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଚିବ ମଧ୍ୟ ପୁରସ୍କାର ତଥା ସମ୍ମାନ ଗ୍ରହଣ କରିଛନ୍ତି ।
ଏହା ସମ୍ମାନ ନୁହେଁ ଜନସାଧାରଣଙ୍କ ପ୍ରତିଥିବା ଉତ୍ତର ଦାୟିତ୍ବ:
ଏହି ଅବସରରେ ପରିବହନ ମନ୍ତ୍ରୀକୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ‘ଏହା କେବଳ ଏକ ସମ୍ମାନ ନୁହେଁ ବରଂ ଏହା ଜନସାଧାରଣଙ୍କ ପ୍ରତି ଥିବା ଉତ୍ତରଦାୟିତ୍ୱ ଓ ବିକଶିତ ଓଡିଶା ଗଠନର ଯେଉଁ ଭିଜନର ଏକ ମୂଳଦୂଆ ଓ ପ୍ରତୀକ । ଆମର ସର୍ବଦା ଜନସାଧାରଣ ପ୍ରତି ଦାୟିତ୍ବ ବୋଧ ଓ ପ୍ରତିବଦ୍ଧତା ଯେ ସାଧାରଣ ଲୋକଙ୍କ ଗମନାଗମନ ଓ ଉନ୍ନତ ମାନର ଓ ନୂତନ ପ୍ରଯୁକ୍ତି ସମ୍ପନ୍ନ ଜରିଆରେ ସୁରକ୍ଷିତ ଓ ସହାୟକ ହେଲା ଭଳି ବାତାବରଣ ତିଆରି କରିବୁ ଭବିଷ୍ୟତରେ ଲକ୍ଷ୍ୟ ରଖାଯାଇଛି ।’
ସୁବିଧାଜନକ ଯାତ୍ରାର ମାଧ୍ୟମ ପାଲଟିଛି ମୋ ବସ:
ତେବେ ସହରରେ ଏବେ ଜନସାଧାରଣ ଯାତାୟତ ଦିଗରେ ମୋ ବସ ଓ ଇ-ରାଇଡ ଭଳି ଅଟୋ ସେବା ଜନସାଧାରଣଙ୍କର ଏକ ପ୍ରକାର ପସନ୍ଦ ପାଲଟିଛି । ନିତିଦିନ ଗମନାଗମନ ପାଇଁ ‘ମୋ ବସ’ ଉପରେ ଅଧିକାଂଶ ଲୋକ ନିର୍ଭର କରୁଛନ୍ତି । କେବଳ ଯେ ଯାତାୟତ ଦିଗରେ ଦୂର ଦୂରାନ୍ତ ସ୍ଥାନ ପାଇଁ କେବଳ ଯେ ‘ବସ’ ସେବାର ନୁହେଁ । ବରଂ ଛୋଟ ଛୋଟ ସ୍ଥାନ ବା ଯେଉଁଠି ଅଟୋ ସୁବିଧା ଭଳି ସୁବିଧା ଥିବା ସ୍ଥାନକୁ ଇ-ରାଇଡ ଅଟୋ ବା ଇ-ରିକ୍ସ ଏକ ଯୁଗାନ୍ତକାରି ପଦକ୍ଷେପ ରୂପ ନେଇଛି । ଏନେଇ ଦୈନଦିନ ଯାତାୟତରେ ଏହା ଜନସାଧାରଣଙ୍କ ପାଇଁ ସ୍ବଳ୍ପ ମୂଲ୍ୟରେ ଏକ ସୁବିଧାଜନକ ଯାତ୍ରାର ମାଧ୍ୟମ ସାଜିଛି ।
6 ବର୍ଷ ତଳେ ଆରମ୍ଭ ହୋଇଥିଲା ଏହି ସେବା:
ଭୁବନେଶ୍ୱର,କଟକ, ରାଉରକେଲା,ବ୍ରହ୍ମପୁର,ସମ୍ବଲପୁର ଭଳି ପୁରି ଭଳି ସହରରେ ଏଭଳି ମୋ ବସ ବା କ୍ରୁଟ ପକ୍ଷରୁ ଏହି ସେବା ଯୋଗାଇ ଆସୁଛି । ଏନେଇ କ୍ରୁଟ ପକ୍ଷରୁ ୬ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ସେବା ଏବେ ସହରରେ ଲୋକଙ୍କ ଜୀବନ ରେଖା ସାଜିଛି । କେବଳ ଯେ ପରିବହନ ସେବା ନୂତନ ଜ୍ଞାନକୋଷର ଦ୍ବାରା ଡିଜିଟାଲ ଟିକେଟ, ଅନଲାଇନ ଟିକେଟ ସୁବିଧା ସ୍ବତନ୍ତ୍ର ମୋବାଇଲ ଆପ ଭଳି ସୁବିଧା ମଧ୍ୟ ଲୋକଙ୍କୁ ଆହୁରି ସହଜ କରିଛି । ବିଶେଷ କରି ଡିଜିଟାଲ ଟିକେଟ ବ୍ୟବସ୍ଥା ଦ୍ବାରା ୨୫ ପ୍ରତିଶତ ଟ୍ରାଞ୍ଜାକନ୍ସ ନିତିଦିନ ହେଉଛି । ବହୁତ ଶୀଘ୍ର ଏଟିଭିଏମ ସୁବିଧା ମଧ୍ୟ ଉପଲବ୍ଧ ହେବାକୁ ଯାଉଛି ।
ଟକ୍କର ଦେବ ଓଡ଼ିଶା ଯାତ୍ରୀ ଆପ:
ତେବେ ଖୁବଶୀଘ୍ର ଏନେଇ ପବ୍ଲିକ ଟ୍ରାନ୍ସପୋର୍ଟରେ ଆଉ ଏକ ସୁବିଧା ଯୋଡି ହେବାକୁ ଯାଉଛି । ଯେଉଁଠି ଓଡ଼ିଶା ସରକାରଙ୍କ ପକ୍ଷରୁ ନିଜସ୍ବ ଏକ ପବ୍ଲିକ ଟ୍ରାନ୍ସପୋର୍ଟ ଟ୍ୟାକ୍ସି ଆପ ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି । ଏନେଇ ଯାତ୍ରୀ ଆପ ଭାବେ ଅନ୍ୟ ଅନଲାଇନ ଟ୍ୟାକ୍ସି ସେବା ଭଳି ସୁବିଧା ଯୋଗାଇବାକୁ ରାଜ୍ୟ ସରକାର ଏନେଇ ଚୁକ୍ତି ସ୍ବାକ୍ଷର କରିବାକୁ ଯାଉଛନ୍ତି । ONDC ଜରିଆରେ ରାଜ୍ୟ ସରକାର ଡ୍ରାଇଭରଙ୍କ ସ୍ବାବଲମ୍ବୀ ଓ ଯାତ୍ରିଙ୍କ ସୁବିଧା ଦୃଷ୍ଟିରୁ ଅନ୍ୟ ଟ୍ୟାକ୍ସି ପ୍ରଦାନକାରି ସଂସ୍ଥାକୁ ଟକ୍କର ଦେଲା ଭଳି ନିଜସ୍ବ ଓଡ଼ିଶା ଯାତ୍ରି ଟ୍ୟାକ୍ସି ସେବା ଆପ ଲଞ୍ଚ ପାଇଁ ଯୋଜନ ଚାଲିଛି । ଫଳରେ ଓଡିଶାରେ ପ୍ରଥମ ଥର ପାଇଁ ସରକାରୀ ପରିଚାଳିତ ଅନଲାଇନ ଟ୍ୟାକ୍ସି ସେବାର ସୁବିଧା ମିଳିବ । ଫଳରେ ଆଗାମୀ ଦିନରେ ଟ୍ୟାକ୍ସି ପରିଚାଳନା କ୍ଷେତ୍ରରେ ଏକ ଯୁଗାନ୍ତକାରି ପଦକ୍ଷେପ ନେବାକୁ ଯାଉଛି ବୋଲି କ୍ରୁଟ ପକ୍ଷରୁ ଏନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚିତ କରାଯାଇଛି ।
୮ଟି ସହର ସମ୍ମାନିତ:
ତେବେ ସର୍ବଭାରତୀୟ ସ୍ତରରେ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଦେଶର ଅନେକ ସହରରୁ ସର୍ଭେ କରାଯାଇଥିଲା । ବିଭିନ୍ନ ବର୍ଗରେ ଏହି ସେବା ନେଇ ସର୍ବେକ୍ଷଣରେ ସହରାଞ୍ଚଳ ପରିବହନ ସମାଧାନର ମାନକୀକରଣ ଏବଂ ଅନୁକୂଳତାକୁ ଦୃଷ୍ଟିରେ ରଖି ଜାତୀୟ ସ୍ତରରେ ଓଡିଶାର ରାଜଧାନୀ ଭୁବନେଶ୍ୱର ଏହି ଚୟନ ତାଲିକା ସାର୍ବଜନିନ ପରିବହନ ସେବାର ଶ୍ରେଷ୍ଠ ସହର ଭାବେ ବିବେଚିତ ହୋଇଥିଲା । ଏହି ସମ୍ମାନ ଅନ୍ୟ ବର୍ଗରେ ଅଣମୋଟର ପରିବହନ ବ୍ୟବସ୍ଥା ଥିବା ସହର ଶ୍ରୀନଗର ମଧ୍ୟ ପୁରସ୍କାର ମିଳିଛି ।