ଭଦ୍ରକ:ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ । ଚାଷ ଜମିକୁ ଘର ବାଡି କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଭଦ୍ରକ ତିହିଡ଼ି ତହସିଲ ଅଧିନସ୍ଥ ଗଦି ରାଜସ୍ବ ନିରୀକ୍ଷକ ଭାଗବତ ଖଟୁଆ । 5 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି ।
କଣ ଥିଲା ଘଟଣା ?
ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲ ଅନ୍ତର୍ଗତ ବିଜୟ ମଲ୍ଲିକ ନାମକ ଜନୈକ ବ୍ୟକ୍ତି ନିଜର ଚାଷ ଜମିକୁ ଘର ବାଡି କିସମରେ ପରିବର୍ତ୍ତନ କରିବା ପାଇଁ ତିହିଡ଼ି ତହସିଲଦାରଙ୍କ ନିକଟରେ ଏକ ନାମଜାରୀ ମକଦ୍ଦମା ମୂଳେ ଆବେଦନ କରିଥିଲେ । ଏହି ମାମଲାକୁ ବିଚାର କରି ତିହିଡ଼ି ତହସିଲଦାର କ୍ଷେତ୍ରୀୟ ତଦନ୍ତ କରିବା ପାଇଁ ଗଦି ଆରଆଇ ଅଫିସକୁ ମାମଲାଟି ପଠାଇଥିଲେ । କାରଣ ଜମିଟି ଗଦି ଆରଆଇ ଅଫିସ ଅଧୀନରେ ଥିବା ଜଣାପଡ଼ିଛି । ତେଣୁ ଗଦି ଆର ଆଇ ଅଫିସର ଆର.ଆଇ ଭାଗବତ ଖଟୁଆ ତିହିଡ଼ି ତହସିଲଦାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜମିକୁ କ୍ଷେତ୍ରୀୟ ତଦନ୍ତ କରିବା ପାଇଁ ସେଠାକୁ ଯାଇଥିଲେ । ହେଲେ ଏହା ଏକ ଚାଷ ଜମି କିସମର ଜମି ହୋଇଥିବା ଦର୍ଶାଇ, ନିୟମ ଅନୁଯାୟୀ ତାହାର କିସମ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ଆର. ଆଇ ଭାଗବତ ଖଟୁଆ ସମ୍ପୃକ୍ତ ବ୍ୟକ୍ତିଙ୍କୁ କହିଥିଲେ ।
ତେବେ ଏନେଇ ଯଦି ସେ କୌଣସି ମତେ କିସମ ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି, ତେବେ 5 ହଜାର ଟଙ୍କା ପ୍ରଦାନ କରିବା ପାଇଁ ପଡିବ ବୋଲି କହିଥିଲେ । ଏନେଇ ଶେଷରେ ଆଜି ଗୁରୁବାର ଦିନ 5 ହଜାର ଟଙ୍କା ଦେବା ପାଇଁ କହିଥିଲେ ଆର. ଆଇ ଭାଗବତ ଖଟୁଆ । ଶେଷରେ ଅତିଷ୍ଠ ହେବା ପରେ ସମ୍ପୃକ୍ତ ବ୍ୟକ୍ତି ବାଲେଶ୍ବର ଭିଜିଲାନ୍ସ ଏସପିଙ୍କୁ ଏନେଇ ସୂଚନା ଦେଇଥିଲେ ।
ଯୋଜନା ଅନୁସାରେ ଚଢାଉ:
ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଏବଂ ବାଲେଶ୍ବର ଭିଜିଲାନ୍ସ ଟିମ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଆଜି ପୂର୍ବ ପ୍ରସ୍ତୁତି ଅନୁଯାଇ ସମ୍ପୃକ୍ତ ବ୍ୟକ୍ତି ଗଦି ଆର ଆଇ ଅଫିସର ଆର. ଆଇ ଭାଗବତ ଖଟୁଆଙ୍କୁ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ 5 ହଜାର ଟଙ୍କା ଦେବା ପାଇଁ ଆସିଥିବା ବେଳେ ଏହି ସମୟରେ ଆଗରୁ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ଗିରଫ କରିବା ସହିତ ସମସ୍ତ ଟଙ୍କା ଜବତ କରିଥିଲେ । ଘଟଣାର ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ପକ୍ଷରୁ ଆର. ଆଇ ଭାଗବତ ଖଟୁଆଙ୍କୁ କାର୍ଯ୍ୟାଳୟରେ ପଚରା ଉଚରା କରିଥିଲେ । ପରେ ଘଟଣାର ଅଧିକ ତଦନ୍ତ କରିବା ପାଇଁ ତାଙ୍କୁ ତିହିଡ଼ି ତହସିଲ ଅଫିସକୁ ନେଇ ଯାଇଥିଲେ । ଏଥିସହ ଆରଆଇଙ୍କ କାର୍ଯ୍ୟାଳୟ ଏବଂ ଘର ଉପରେ ଚଢ଼ାଉ ଜାରି ରହିଛି ।