ବ୍ରହ୍ମପୁର: ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରି ଦେବା ପାଇଁ ଲାଞ୍ଚ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ମଙ୍ଗଳବାର(୭ ତାରିଖ) ୨ଟି ଓ ଗତକାଲି (୮ ତାରିଖ) ୩ଟି ମାମଲାକୁ ମିଶାଇ ତାଙ୍କୁ ସମସ୍ତ ମାମଲାରେ ଦୋଷମୁକ୍ତ କରିଛନ୍ତି ବ୍ରହ୍ମପୁର ‘ଜେଏମଏଫସି’ କୋର୍ଟ । କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଗୋପାଳପୁର ଏବଂ ବ୍ରହ୍ମପୁରରେ ପ୍ରଦୀପଙ୍କ ସମର୍ଥକ ସେଲିବ୍ରେସନ କରିଥିବା ବେଳେ ପ୍ରଦୀପ ରାଜଧାନୀରେ ପ୍ରେସମିଟ କରି ପୂର୍ବ ସରକାର ଉପରେ ବର୍ଷିଛନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ପୂର୍ବତନ ଆଇଏଏସ ଅଫିସର ଭି.କେ. ପାଣ୍ଡିଆନ ଉପରେ ବର୍ଷିଛନ୍ତି ପ୍ରଦୀପ । ସେ କହିଛନ୍ତି, ସେ ଗୋପାଳପୁର ବିଧାୟକ ଥିବା ସମୟରେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିଲା । ସେମାନେ ତାଙ୍କୁ ପାର୍ଟିରୁ ବହିଷ୍କାର କରିଥିଲେ । ରାଜ୍ୟବାସୀ ଏବେ ଉକ୍ତ ଦଳକୁ କ୍ଷମତାକୁ ବାହାର କରି ଫିଙ୍ଗି ଦେଇଛନ୍ତି । "
- ଚାକିରି ପାଇଁ ଲାଞ୍ଚ ନେବା ମାମଲାରେ ପୂର୍ଣ୍ଣଚ୍ଛେଦ
ମଙ୍ଗଳବାର ଦୁଇଟି ମାମଲାରେ ଜେଏମଏଫସି (ରୁରାଲ) କୋର୍ଟ ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସମେତ ପୂର୍ବତନ ଆଇଏଫଏସ ଅଧିକାରୀ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଗତକାଲି (ବୁଧବାର) ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୋଳନ୍ଥରା ଥାନା ଅଞ୍ଚଳରେ ରହିଥିବା ଅନ୍ୟ ତିନୋଟି ମାମଲାରେ ମଧ୍ୟ ପ୍ରଦୀପଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ପ୍ରଦୀପଙ୍କ ବିରୋଧରେ ଥିବା ବହୁଚର୍ଚ୍ଚିତ ଚାକିରି ପାଇଁ ଲାଞ୍ଚ ନେବା ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।
- ଦଳରୁ ବହିଷ୍କୃତ ହୋଇଥିଲେ, ଜେଲ ଯାଇଥିଲେ ପ୍ରଦୀପ
ଏକଦା ତତ୍କାଳୀନ ଗୋପାଳପୁରର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ବିଜୁ ଜନତା ଦଳ’ର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବେଶ ନିକଟତର ତଥା ସବୁଠାରୁ ବିଶ୍ୱସ୍ଥ ଭାବେ ଗଣା ଯାଉଥିଲା । ହେଲେ ପରବର୍ତ୍ତୀ ସମୟରେ ଦୃଶ୍ୟପଟ୍ଟ ବଦଳିଥିଲା । ଜନବିରୋଧୀ ଆଖ୍ୟା ଦେଇ ଗୋଟିଏ ପରେ ଗୋଟିଏ ପ୍ରଦୀପଙ୍କ ବିରୋଧରେ 5ଟି ମାମଲା ରୁଜୁ ହୋଇଥିଲା । ଅଭିଯୋଗ ଥିଲା ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରି କରାଇଦେବା ଆଳରେ ମୋଟା ଅଙ୍କର ଲାଞ୍ଚ ନେଇଥିଲେ ପ୍ରଦୀପ । କେବଳ ପ୍ରଦୀପ ନୁହନ୍ତି ବରଂ ସେ ବନ୍ଧୁ ବାନ୍ଧିବାକୁ ଯାଉଥିବା ତତ୍କାଳୀନ ଆଇଏଫଏସ ଅଧିକାରୀ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।
- କୋଭିଡ ପରିଚାଳନା ତ୍ରୁଟି ନେଇ ପ୍ରଥମେ ମୁହଁ ଖୋଲିଥିଲେ
ପ୍ରଦୀପଙ୍କ ପ୍ରତିକ୍ରିୟା ଅନୁସାରେ, କୋଭିଡ ସମୟରେ ତତ୍କାଳୀନ ଗଞ୍ଜାମ ଜିଲ୍ଲାର ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ବାପାଙ୍କ ସ୍ୱାସ୍ଥ ଖରାପ ସମୟରେ ତତକାଳୀନ ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାଗତ ତ୍ରୁଟିକୁ ନେଇ ନବୀନଙ୍କୁ ଫୋନ କରି ମୁହଁ ଖୋଲିଥିବାରୁ ତାଙ୍କ ବିରୋଧରେ ଏପରି ଯୋଜନାବଦ୍ଧ ଷଡ଼ଯନ୍ତ୍ର ଆରମ୍ଭ ହୋଇଥିଲା । ପ୍ରଦୀପଙ୍କ ଏହି ଫୋନ କଲ ନବୀନଙ୍କ ନିକଟରେ ରହିଥିବା କିଛି ବରିଷ୍ଠ ଅଧିକାରୀଙ୍କୁ ବେଶ ବାଧିଥିଲା । ଯାହାକୁ ନେଇ ସେମାନେ ପ୍ରଦୀପଙ୍କୁ ନବୀନଙ୍କଠାରୁ ଦୂରେଇ ରଖିବାକୁ ଚିନ୍ତା କରିଥିଲେ । ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଜନ ବିରୋଧୀର ଆଖ୍ୟା ଦିଆଯିବା ଆରମ୍ଭ କରାଯାଇଥିଲା । ସେହି ସମୟରେ ଟାଟା ମୋର୍ଟସ୍ କମ୍ପାନୀରେ ନିଯୁକ୍ତି ଦେବା ନାମରେ ତତ୍କାଳୀନ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ଅଞ୍ଚଳର ଶିକ୍ଷିତ ଯୁବକ/ଯୁବତୀଙ୍କଠାରୁ ଟଙ୍କା ଠକି ନେଇଥିବା ନେଇ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନାରେ ଗୋଟିଏ ମାମଲା ସମେତ ଗୋଳନ୍ଥରା ଥାନାରେ ଚାରୋଟି ମାମଲାକୁ ମିଶାଇ ମୋଟ ପାଞ୍ଚଟି ମାମଲା ରୁଜୁ ହୋଇଥିଲା ।
- କଣ ଥିଲା ୫ଟି ମାମଲା
ଟାଟା କମ୍ପାନୀରେ ନିଯୁକ୍ତି ପ୍ରଦାନ ନାମରେ ଠକେଇ ନେଇ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଏଭଳି ମୋଟ ପାଞ୍ଚୋଟି ମାମଲା ରୁଜ୍ଜୁ ହୋଇଥିଲା । ମଙ୍ଗଳବାର ଦୁଇଟି ମାମଲାରେ ଗୋପାଳପୁରର ପୂର୍ବତନ ବିଧାୟକ ତଥା ବ୍ରହ୍ମପୁର ସାଂସଦ ପ୍ରଦୀପଙ୍କ ସମେତ ଆକାଶ ଓ ଅଭୟ ପାଠକଙ୍କୁ ନିର୍ଦ୍ଦୋଷରେ କୋର୍ଟରେ ଖଲାସ କରାଯାଇଥିଲା । ବ୍ରହ୍ମପୁର ଜେ.ଏମ୍.ଏଫ୍.ସି ରୁରାଲ କୋର୍ଟରେ ନିଜେ ପ୍ରଦୀପ ରହି ନିଜର ବୟାନ ଦେଇଥିବା ବେଳେ କୋର୍ଟ ପକ୍ଷରୁ ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ମାମଲାର ଜି.ଆର୍ କେଶ ନମ୍ବର- ୨୨୨୫/୨୦୨୦ ଏବଂ ବୈଦ୍ୟନାଥପୁର ଥାନାରେ ରୁଜୁ ହୋଇଥିବା ମାମଲାର ଜି.ଆର କେଶ ନମ୍ବର-୫୧୧/୨୦୨୧ ରେ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଅଭୟ ପାଠକ ଓ ଆକାଶ ପାଠକକୁ ନିର୍ଦ୍ଦେଶରେ ଖଲାସ କରାଯାଇଛି । ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନାରେ କାର୍ତ୍ତିକ ପ୍ରଧାନ ଅଭିଯୋଗ କରିଥିବା ବେଳେ ଗୋଳନ୍ଥରା ଥାନାରେ ଲକ୍ଷ୍ମୀ ନାୟକ ଅଭିଯୋଗ କରିଥିଲେ ।
- ଅନ୍ୟ ୩ ମାମଲା:-
ସେହିପରି ବୁଧବାର ଅନ୍ୟ ତିନୋଟି ମାମଲାର ରାୟ ପ୍ରକାଶ ପାଇଛି । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ମାମଲାର ଜି.ଆର୍ ୨୨୯୮/୨୧, ଜି.ଆର-୬୨/୨୧ ଏବଂ ଜି.ଆର ୫୬୮/୨୧ ରେ ରହିଥିବା ତିନୋଟି ମାମଲାରେ ମଧ୍ୟ କୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ଏହି ତିନୋଟି ମାମଲାରେ ଗୋଟିଏରେ ପ୍ରଦୀପଙ୍କ ସହଯୋଗୀ ତଥା ଅବସରପ୍ରାପ୍ତ ଅଧ୍ୟାପକ ସ୍ବର୍ଗତଃ ସର୍ବେଶ୍ଵର ରାଓ ରହିଛନ୍ତି । ସେହିପରି ଅନ୍ୟ ଏକ ମାମଲା ପ୍ରଦୀପଙ୍କ ଭାଇଙ୍କ ନାମକୁ ସାମିଲ କରାଯାଇଥିବା ବେଳେ ତାହାକୁ ବାଦ ଦେବା ପାଇଁ ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଠକେଇ ସମ୍ପର୍କିତ ସମସ୍ତ ମାମଲା ଶେଷ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ଗୋଟିଏ ଭିଜିଲାନ୍ସ ଏବଂ ଅନ୍ୟଟି କ୍ରାଇମବ୍ରାଞ୍ଚ ମାମଲାକୁ ମିଶାଇ ବର୍ତ୍ତମାନ ମୋଟ ଦୁଇଟି ମାମଲା ବିଚାରଣ ଆରମ୍ଭ ହୋଇଥିବା କହିଛନ୍ତି ପ୍ରଦୀପଙ୍କ ଆଇନଜୀବୀ ଦୀପକ ପଟ୍ଟନାୟକ ।
- ଦଳରୁ ବହିଷ୍କୃତ ହୋଇଥିଲେ ପ୍ରଦୀପ:
ଏକଦା ଗଞ୍ଜାମ ଜିଲ୍ଲା ‘ବିଜେଡି’ ଦଳର ଏକ ପ୍ରମୁଖ ନେତା ଭାବରେ ଜଣାଶୁଣା ପ୍ରଦୀପ ପାଣିଗ୍ରାହୀଙ୍କୁ ଜନବିରୋଧୀ ଆଖ୍ୟା ଦିଆଯାଇଥିଲା । କେବଳ ବିଜେଡି ଦଳରୁ ବହିଷ୍କାର କରାଯାଇଥିଲା ତାହା ନୁହେଁ, ତାଙ୍କରି ନାମରେ ବ୍ରହ୍ମପୁର ପୋଲିସ୍ ଜିଲ୍ଲାରେ ପାଞ୍ଚୋଟି ମାମଲା ରୁଜୁ ହେବା, ରାଜଧାନୀ ଭୁବନେଶ୍ୱରରେ ଆୟ ବର୍ହିଃଭୂତ ସମ୍ପତ୍ତି ଠୁଳ କରିବା ନେଇ ଏକ ମାମଲା ରୁଜୁ କରାଯିବା ସହିତ କ୍ରାଇମବ୍ରାଞ୍ଚରେ ଅନ୍ୟ ଏକ ମାମଲା ରୁଜୁ କରାଯାଇଥିଲା । ତାଙ୍କୁ ରାଜଧାନୀ ଭୁବନେଶ୍ୱରର ସରକାରୀ କ୍ବାର୍ଟରରୁ ଗିରଫ କରାଯାଇଥିଲା । ଦୀର୍ଘ 6 ମାସ ଧରି ପ୍ରଦୀପଙ୍କୁ ଜେଲରେ ରହିବାକୁ ପଡ଼ିଥିଲା । ପ୍ରଦୀପଙ୍କ ପରିବାର ସହ ସମ୍ପର୍କ ଯୋଡିବାକୁ ଯାଉଥିବା ପୂର୍ବତନ ଆଇଏଫଏସ ଅଭୟ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।
- ପୋଲିସ ଚାପରେ ଏତଲାରେ ହସ୍ତାକ୍ଷର କରିଥିଲୁ: ଅଭିଯୋଗକାରୀ
ପ୍ରଦୀପଙ୍କ ଆଇନଜୀବୀ ଦୀପକ ପଟ୍ଟନାୟକ କହିଛନ୍ତି,‘‘ବ୍ରହ୍ମପୁର ପୋଲିସ ଜିଲ୍ଲାର ବୈଦ୍ୟନାଥପୁର ଥାନାରେ ରୁଜୁ ହୋଇଥିବା ଗୋଟିଏ ମାମଲା ସମେତ ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଚାରୋଟି ମାମଲାରେ ଅଭିଯୋଗ କରିଥିବା ବ୍ୟକ୍ତି ବିଶେଷମାନେ ଅଭିଯୋଗ ପ୍ରତ୍ୟାହାର କରିଛନ୍ତି । ଘଟଣା ସମ୍ପର୍କରେ କିଛି ଜାଣିନଥିବା ଏବଂ କେବଳ ପୋଲିସ୍ ଦ୍ବାରା ଚାପର ବଶବର୍ତ୍ତୀ ହୋଇ ପୂର୍ବରୁ ଲିଖିତ ଏତଲାରେ ସେମାନେ ସ୍ୱାକ୍ଷର କରିଥିବା ଅଭିଯୋଗକାରୀମାନେ କୋର୍ଟରେ ବୟାନ ରଖିଥିଲେ । ସେମାନେ ପ୍ରଦୀପଙ୍କ ବିରୋଧରେ ଏତଲା ଦେବାକୁ ଚାହୁଁ ନଥିବା ବେଳେ ସେମାନଙ୍କୁ ଏହା କରିବା ପାଇଁ ବାଧ୍ୟ କରାଯାଇଥିବା ସେମାନେ ଶୁଣାଣିରେ ସ୍ବୀକାର କରିବା ପରେ ସମ୍ପୂର୍ଣ୍ଣ ମାମଲାରେ ୟୂଟର୍ଣ୍ଣ ଆସିଥିଲା ।’’
- ସେଲିବ୍ରେସନ କଲେ ପ୍ରଦୀପଙ୍କ ସମର୍ଥକ