ଓଡିଶା

odisha

ETV Bharat / state

ଚିନ୍ତାରେ ଉପକୂଳ ଅନୁପ୍ରବେଶ, ଅତ୍ୟାଧୁନିକ ହେବ ସାମୁଦ୍ରିକ ପାଟ୍ରୋଲିଂ: DGP - INFILTRATION THREAT IN ODISHA COAST

ବଦଳିବ ଓଡ଼ିଶା ସାମୁଦ୍ରିକ ପାଟ୍ରୋଲିଂ ଓ ସର୍ଭିଲାନ୍ସ ଢାଞ୍ଚା । ଅତ୍ୟାଧୁନିକ ବୋଟ ପାଇଁ ସରକାରଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ(DGP) ପ୍ରସ୍ତାବ ।

ଆଶଙ୍କା ବଢାଇଲାଣି ଉପକୂଳ ଅନୁପ୍ରବେଶ
ଆଶଙ୍କା ବଢାଇଲାଣି ଉପକୂଳ ଅନୁପ୍ରବେଶ (ETV Bharat Odisha)

By ETV Bharat Odisha Team

Published : Nov 21, 2024, 12:02 PM IST

ଭୁବନେଶ୍ବର: ଚିନ୍ତା ବଢାଇଲାଣି ଉପକୂଳ ଅନୁପ୍ରବେଶ ସଙ୍କଟ । ପଡୋଶୀ ବାଂଲାଦେଶରୁ ଶରଣାର୍ଥୀମାନେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଗତ ଦଶନ୍ଧି ଧରି ଅନୁପ୍ରବେଶ କରିବାରେ ଲାଗିଛନ୍ତି । କେବଳ ଅନୁପ୍ରବେଶ ନୁହେଁ ବରଂ କେତେକାଂଶରେ ଜଙ୍ଗଲ ଜମି ମଧ୍ୟ ସେମାନଙ୍କ ଦ୍ବାରା ଜବରଦଖଲ ହୋଇ ସାରିଲାଣି । ଏହାରି ମଧ୍ୟରେ ଏବେ ବାଂଲାଦେଶରେ ଜାରି ରହିଥିବା ରାଜନୈତିକ ଅସ୍ଥିରତା ଓ ମାନବୀୟ ସଙ୍କଟ ଓଡିଶା ଉପକୂଳରେ ଅନୁପ୍ରବେଶ ଆଶଙ୍କାକୁ ଦୁଇଗୁଣ କରିଛି । ଏହାକୁ ଦୃଷ୍ଟିରେ ରଖି ଓଡିଶା ପୋଲିସ ସାମୁଦ୍ରିକ ସୁରକ୍ଷା ଓ ସର୍ଭିଲାନ୍ସ ବ୍ୟବସ୍ଥାକୁ କଡାକଡି ତଥା ଅତ୍ୟାଧୁନିକ କରିବାକୁ ଯାଉଛି ।

  • ଓଡିଶାରେ ଅଛି ଦୀର୍ଘ ୪୮୦ କିମି ସାମୁଦ୍ରିକ ସୀମା:-

ପୂର୍ବ-ଭାରତୀୟ ରାଜ୍ୟ ଓଡିଶାରେ ସମୁଦ୍ର ସଲଗ୍ନ ୬ଟି ଜିଲ୍ଲାର ମୋଟ ୪୮୦ କିଲୋମିଟର ବେଳାଭୂମି ରହିଛି । ଏହି ଜଳସୀମାରେ ପୂର୍ବାପେକ୍ଷା ମାରିଟାଇମ୍‌ ପାଟ୍ରୋଲିଂକୁ ବ୍ୟାପକ ଓ ଅତ୍ୟାଧୁନିକ କରିବ ପୋଲିସ । ଏଥିପାଇଁ ରାଜ୍ୟ ପୋଲିସ ସ୍ବତନ୍ତ୍ର ଆକ୍ସନପ୍ଲାନ ପ୍ରସ୍ତୁତ କରି ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦେଇଛି । ଏନେଇ ନୁତନ ତଥା ଅତ୍ୟାଧୁନିକ ବୋଟ ଓ ପାଟ୍ରୋଲିଂ ଭେସେଲ ସହ ଡ୍ରୋନ ଓ ମାନବ ସମ୍ବଳ ନିଯୁକ୍ତ ବଢାଇବାକୁ ଯୋଜନା କରିଛି ପୋଲିସ । ତଟ ସୁରକ୍ଷା ନେଇ ଅତ୍ୟାଧୁନିକ ଡ୍ରୋନ ବ୍ୟବହାର କରିବାକୁ ଯାଉଛି ପୋଲିସ । ଫଳରେ ଆସନ୍ତା ବଜେଟରେ ଉପକୂଳ ସୁରକ୍ଷା ପ୍ରସଙ୍ଗରେ ସ୍ବତନ୍ତ୍ର ବ୍ୟୟ ବରାଦ ମଧ୍ୟ କରିପାରନ୍ତି ରାଜ୍ୟ ସରକାର ।

ଆଶଙ୍କା ବଢାଇଲାଣି ଉପକୂଳ ଅନୁପ୍ରବେଶ (ETV Bharat Odisha)
  • ଅତ୍ୟାଧୁନିକ ସରଞ୍ଜାମ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛୁ :-

ଏନେଇ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି,‘‘ ଆମର ୧୮ଟି ସାମୁଦ୍ରିକ ଥାନା ରହିଛି । ସେଗୁଡିକରେ ମୋଟ ୧୫ଟି ବୋଟ୍‌ ରହିଛି । ସେସବୁ ବୋଟ ପୁରୁଣା ହୋଇଗଲାଣି । ତେଣୁ ପୋଲିସକୁ ୧୦ଟି ଅତ୍ୟାଧୁନିକ ବୋଟ ଯୋଗାଇ ଦେବା ପାଇଁ ଆମେ ସରକାରଙ୍କ ନିକଟରେ ଏକ ପ୍ରସ୍ତାବ ରଖିଛୁ । ବିଧାନସଭାରେ ଯେଉଁ ବଳକା ବଜେଟରେ ଏ ନେଇ ଆଲୋଚନା ହେବ । ଆମେ ଆଶା କରୁଛୁ ସେଥିରେ କିଛି ଆମକୁ ଫଣ୍ଡ ମିଳିବ । ଏଥିରେ ଆମେ କିଛି ମେକାନାଇଜ୍‌ ବୋଟ ଭଡାରେ ନେଇପାରିବୁ । ଡ୍ରୋନ ସର୍ଭିଲାନସ ସହ ଇଣ୍ଟର-ସେପ୍ଟର ଭଳି କୋଷ୍ଟାଲ ପାଟ୍ରୋଲିିଂ ଗୁରୁତ୍ବ ଦେଇପାରିବୁ । ଏଥିସହ ଆଗାମୀ ୨୫-୨୬ ବଜେଟ ପାଇଁ ଫାଷ୍ଟ ଇଣ୍ଟର-ସେପ୍ଟର ପାଇଁ ପ୍ରସ୍ତାବ ମଧ୍ୟ ଦେବୁ ।’’

ଆଶଙ୍କା ବଢାଇଲାଣି ଉପକୂଳ ଅନୁପ୍ରବେଶ (ETV Bharat Odisha)
  • ଉନ୍ନତମାନର ସରଞ୍ଜାମ ଓ ମାନବ ସମ୍ବଳ ପ୍ରତି ପୋଲିସ ଧ୍ୟାନ ଦେଉ: ବରିଷ୍ଠ ସାମ୍ବାଦିକ

ଏନେଇ ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ କାନୁନଗୋ କହିଛନ୍ତି, ‘‘ ସମୁଦ୍ରପଥରେ ବାଂଲାଦେଶରୁ ଓଡ଼ିଶା ଉପକୂଳ ମାତ୍ର 8ରୁ 9 ଘଣ୍ଟା ଲାଗୁଛି । ଫଳରେ ସେମାନେ ଦେଶୀଡଙ୍ଗା ମାଧ୍ୟମରେ ମଧ୍ୟ ଓଡିଶା ଉପକୂଳରେ ପହଞ୍ଚି ହେନ୍ତାଳ ବଣକୁ କାଟି ଜବରଦଖଲ କରୁଛନ୍ତି । ତେବେ ଏବେ ପୋଲିସ ଯେଉଁ ବ୍ୟବସ୍ଥା ଗ୍ରହଣ କରିଛି, ଏହାଦ୍ବାରା ଉପକୂଳ ସୁରକ୍ଷା ସୁନିଶ୍ଚିତ ହେବ । ଅନୁପ୍ରବେଶ ଉପରେ ରୋକ ଲାଗିବା ସହ ସାମୁଦ୍ରିକ ସୁରକ୍ଷା ବଢ଼ିବ । ବେଆଇନ କାରବାର ତଥା ଅନ୍ତର୍ଜାତୀୟ ସୀମାପାର ନିଶା କାରବାର, ଅସ୍ତ୍ର ଶସ୍ତ୍ର କାରବାର, ଜାଲି ନୋଟ କାରବାର ଆଦି ରୋକାଯାଇ ପାରିବ । ତେଣୁ ଆବଶ୍ୟକୀୟ ଉନ୍ନତମାନର ସରଞ୍ଜାମ ଓ ମାନବ ସମ୍ବଳ ନିଯୁକ୍ତ ଉପରେ ସରକାର ଗୁରୁତ୍ୱ ଦେବା ଦରକାର । ’’

ଆଶଙ୍କା ବଢାଇଲାଣି ଉପକୂଳ ଅନୁପ୍ରବେଶ (ETV Bharat Odisha)
  • ଉପକୂଳ ସୁରକ୍ଷାରେ ନିଯୁକ୍ତି ପାଇବେ ୩ ହଜାର ଅବସରପ୍ରାପ୍ତ ଯବାନ

ବିଶେଷ କରି ବାଲେଶ୍ବର ଓ ଭଦ୍ରକ କେନ୍ଦ୍ରାପଡା ଉପକୂଳକୁ ସାମୁଦ୍ରିକ ପଥରେ ଏକ ପ୍ରକର ପ୍ରତିବନ୍ଧକ ସହ ସୁରକ୍ଷା ସୁନିଶ୍ଚିତ ହୋଇପାରିବ ଉପକୂଳ ସୁରକ୍ଷାକୁ ଗୁରୁତ୍ୱ ଦେଇ ଉପକୂଳର ପାଟ୍ରୋଲିଂ ଲାଗି ୩ ହଜାର ଅବସରପ୍ରାପ୍ତ ଯବାନଙ୍କୁ ନିଯୁକ୍ତି ପାଇ ଯୋଜନା କରିଛି ଓଡ଼ିଶା ପୋଲିସ । ଯେଉଁଥିରେ ‘ସିଏପିଏଫ’ ଅର୍ଥାତ କେନ୍ଦ୍ରୀୟ ଫୋର୍ସରେ କାମ କରିଥିବା ବ୍ୟକ୍ତିବିଶେଷ, ତଟରକ୍ଷୀ ବାହିନୀ, ନୌସେନା ଓ ସ୍ଥଳସେନାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ନେଇ ପ୍ରାଥମିକ ନିଯୁକ୍ତି ପ୍ରକ୍ରିୟା ସାରିବା ପାଇଁ ଯୋଜନା କରୁଛି ଓଡିଶା ପୋଲିସ । ଏନେଇ ବିସ୍ତୁତ ରୂପରେଖ ପ୍ରସ୍ତୁତ କରାଯାଇ ନିଯୁକ୍ତ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କହିଛନ୍ତି ପୋଲିସ ଡି.ଜି ଓ୍ବାଇ.ବି ଖୁରାନିଆ କହିଛନ୍ତି ।

ଆଶଙ୍କା ବଢାଇଲାଣି ଉପକୂଳ ଅନୁପ୍ରବେଶ (ETV Bharat Odisha)
  • ଡ୍ରୋନ ସାହାଯ୍ୟରେ ହେବ ପାଟ୍ରୋଲିଂ

ଉଚ୍ଚକ୍ଷମତା ବିଶିଷ୍ଟ ଡ୍ରୋନ ଆଣିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଡ୍ରୋନ କ୍ୟାମେରା ଦ୍ବାରା ଉପକୂଳଠାରୁ ପ୍ରାୟ ୧୦ ରୁ ୧୫ କିଲୋମିଟର ପରିଧି ମଧ୍ୟରେ ନଜର ରଖାଯାଇ ପାରିବ । ଫଳରେ ସନ୍ଦେହଜନକ କୌଣସି ଗତିବିଧି ନଜର ଆସିଲେ, ଏହାର ଚିତ୍ର ଓ ଭିଡିଓ ଉତ୍ତୋଳନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ।

  • ଆସୁଛି ଅତ୍ୟାଧୁନିକ ବୋଟ

ଓଡ଼ିଶାରେ ୪୮୦ କିଲୋମିଟର ସମୁଦ୍ର ଉପକୂଳବର୍ତ୍ତୀ ଲାଇନ ରହିଛି । କେଉଁଠି ବାଲେଶ୍ବର ଉପକୂଲ ଭଳି ଜଳରାଶିର ଗଭୀରତା କମ ରହିଥିବା ବେଳେ ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ସାମୁଦ୍ରିକ ଉପକୁଳ ଅଧିକ ଗଭୀର ରହିଛି । ତେଣୁ ସେସବୁ ଅଞ୍ଚଳକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ଉନ୍ନତ ଢାଞ୍ଚାର ବୋଟ ବା ‘ମେକାନାଇଜଡ୍‌ ବୋଟ’ ଅଣାଯାଉଛି । ଯାହାଦ୍ବାରା ଗଭୀର ସମୁଦ୍ର ଜଳରାଶି ହେଉ ବା ସ୍ବଳ୍ପ ଜଳରାଶିରେ ମଧ୍ୟ ପାଟ୍ରାୋଲିଂ ଓ ଇଣ୍ଟରସେଫ୍ଟ କରିବାରେ ପୋଲିସ ସକ୍ଷମ ହେବ । ଏହି ବୋଟଗୁଡିକୁ କୋଷ୍ଟଗାର୍ଡରେ କାର୍ଯ୍ୟରତ ଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ଜରିଆରେ ବ୍ୟବହାର କରିବାକୁ ପୋଲିସ ଲକ୍ଷ୍ୟ ରଖିଛି ।

ଏହା ମଧ୍ୟ ପଢନ୍ତୁ :- ଉପକୂଳ ସୁରକ୍ଷା ପାଇଁ ଅସ୍ତରଙ୍ଗରେ ନୌସେନାର ସମରାଭ୍ୟାସ 'ସି ଭିଜିଲ'

ଏହା ମଧ୍ୟ ପଢ଼ନ୍ତୁ...ଶତ୍ରୁପକ୍ଷକୁ ଦିଆଯିବ କଡ଼ା ଜବାବ, ଆରମ୍ଭ ହେଲା ସମରାଭ୍ୟାସ 'ସାଗର କବଚ' - sagar kavach

ଏହା ମଧ୍ୟ ପଢ଼ନ୍ତୁ...ଚାଇନା ଜାହାଜରେ ଆସିଥିଲେ 3 ଆଫ୍ରିକା ନାଗରିକ, ମାଟିକୁ ଓହ୍ଲାଇବାକୁ ଦେଲେନି ସୁରକ୍ଷାକର୍ମୀ - Paradip Port

  • ରାଡାର-ସର୍ଭିଲାନସକୁ ନଜର ରଖିଛି କୋଷ୍ଟଗାର୍ଡ

ବିଶେଷ କରି ଅନୁପ୍ରବେଶ ନେଇ ଟେକ୍ନୋଲୋଜିର ସାହାରା ନିଆଯାଉଛି । ଟେକ୍ନୋଲୋଜିର ବ୍ୟବହାର କରି କୋଷ୍ଟାଲ ରାଡାର ଚେକ୍ ହେଉଛି । ଅର୍ଥାତ କୌଣସି ଗତିବିଧି ବା ସେଭଳି କିଛି ହେଉଛି କି ନାହିଁ ସେନେଇ ରାଡାର ସର୍ଭିଲାନ୍ସ ଜରିଆରେ ମଧ୍ୟ ନଜର ରଖାଯାଇଛି ।

  • ଅନୁପ୍ରବେଶକାରୀଙ୍କୁ ଚେତାବନୀ ଦେଇଥିଲେ ମୁଖ୍ୟମନ୍ତ୍ରୀ:-

ତେବେ ବାଂଲାଦେଶ ଅନୁପ୍ରବେଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିହ୍ନଟ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ତହସିଲ, ବ୍ଲକ ଓ ଥାନା ସ୍ତରରେ କମିଟି ଗଠନ କରି ନଜର ରଖିବା ସହ ତଥ୍ୟ ସଂଗ୍ରହ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ରାଜ୍ୟରେ କେତେ ବାଂଲାଦେଶୀ ଅନୁପ୍ରବେଶକାରୀ ରହିଛନ୍ତି ତାର ଚିହ୍ନଟ ହୋଇପାରିବ ।

  • ରାଜ୍ୟରେ କେଉଁଠି ଓ କେତେ ଅଛନ୍ତି ଅନୁପ୍ରବେଶକାରୀ

ବିଧାନସଭାରେ ଦିଆଯାଇଥିବା ତଥ୍ୟରୁ ପ୍ରାପ୍ତ ସୂଚନା ଅନୁଯାୟୀ, ୨୦୨୧ ମସିହା ସୁଦ୍ଧା ରାଜ୍ୟରେ ସମୁଦାୟ ୩,୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ବିଭିନ୍ନ ଜିଲ୍ଲାରେ ରହିଛନ୍ତି । ବରଗଡ- ୨, ଭଦ୍ରକରେ ୧୯୯, କେନ୍ଦ୍ରାପଡ଼ାରେ ୧୬୪୯, ଭୁବନେଶ୍ଵରରେ୧୭, ଜଗତସିଂପୁରରେ ୧୧୧୨, ମାଲକାନଗିରିରେ ୬୫୫ ଓ ନବରଙ୍ଗପୁର ଜିଲ୍ଲାରେ ୧୦୬ ଜଣ ଅନୁପ୍ରବେଶକାରୀ ବସବାସ କରୁଥିବା ସରକାରୀ ତଥ୍ୟ କହୁଛି । ମାତ୍ର ଏହାର ବାସ୍ତବ ସଂଖ୍ୟା ସରକାରୀ ରେକର୍ଡଠାରୁ ଅଧିକ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details