ବଲାଙ୍ଗୀର:ଭୀଷଣ ଗ୍ରୀଷ୍ମପ୍ରବାହରେ ଛଟପଟ ହେଉଛି ଜନଜୀବନ । ମଣିଷଠୁ ପଶୁପକ୍ଷୀ, ସମସ୍ତେ ମୁଣ୍ଡଫଟା ତାତିରେ ଆଉଟୁପାଉଟୁ ହେଉଛନ୍ତି । ମଣିଷ ସିନା ନିଜ ବୁଦ୍ଧିବଳରେ ଗରମରୁ ରକ୍ଷା ପାଇଯାଉଛି, ହେଲେ ନିରୀହ ପକ୍ଷୀମାନେ ପାଣି ମୁନ୍ଦାଏ ବିନା ମୃତ୍ୟୁମୁଖରେ ପଡୁଛନ୍ତି । ତେଣୁ ଏହି ପକ୍ଷୀଙ୍କର ଶୋଷ ମେଣ୍ଟାଇବାକୁ ଅଣ୍ଟା ଭିଡିଛନ୍ତି ବଲାଙ୍ଗୀରର ୩ ଜଣ ଯୁବକ । ସେମାନେ ପ୍ରାୟ ୫୦୦ ଗଛରେ ମାଟିପତ୍ର ବାନ୍ଧି ସେଥିରେ ପାଣି ବ୍ୟବସ୍ଥା କରି ପକ୍ଷୀଙ୍କର ତୃଷ୍ଣା ନିବାରଣ କରୁଛନ୍ତି ।
ପ୍ରବଳ ଗରମରେ ସମସ୍ତେ ଛଟପଟ ହେଉଥିବାବେଳେ ନିରୀହ ପଶୁପକ୍ଷୀଙ୍କ କଥା କ୍ବିଚିତ୍ ଲୋକେ ଚିନ୍ତା କରିଥାନ୍ତି । କିନ୍ତୁ ନିରୀହ ପକ୍ଷୀଙ୍କ ପାଇଁ ବଲାଙ୍ଗୀରରେ ୩ ପକ୍ଷୀପ୍ରେମୀ ଯୁବକଙ୍କ ମହତ୍ ଉଦ୍ୟମ ଏବେ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛି । ଏହି ଯୁବକମାନେ ହେଲେ ପ୍ରଶାନ୍ତ ମହାକୁର, ନିଗମାନନ୍ଦ ପରିଡ଼ା ଓ ସଚ୍ଚିଦାନନ୍ଦ ନାୟକ । ଏମାନେ ଅସହ୍ୟ ଖରା ତାତିକୁ ଖାତିର ନକରି ସହର ସାରା ବୁଲି ବୁଲି ପକ୍ଷୀଙ୍କ ଜୀବନ ରକ୍ଷା ପାଇଁ ଗଛ ଡାଳରେ ପାଣି ରଖୁଛନ୍ତି ।
ଏହି ତିନି ବନ୍ଧୁ ନିତି ଦିନ ସକାଳୁ ସକାଳୁ ଘରୁ ବାହାରି ଯାଆନ୍ତି । ସହରର ସମସ୍ତ ରାସ୍ତାକଡ଼ରେ ଥିବା ଗଛଗୁଡିକରେ ମାଟିପାତ୍ର ବାନ୍ଧି ସେଥିରେ ପାଣି ରଖନ୍ତି । କିଛି ମାଟିପାତ୍ରକୁ ନିଜସ୍ବ ଖର୍ଚ୍ଚରେ କିଣୁଥିବା ବେଳେ ଆଉ କିଛି ମନ୍ଦିର ଭଳି ପୂଜାସ୍ଥଳୀରେ ଫିଙ୍ଗା ଯାଉଥିବା ଅଦରକାରୀ ପାତ୍ର ସଂଗ୍ରହ କରନ୍ତି । ସେହି ପାତ୍ରରେ ପାଣି ରଖି ଗଛ ଡାଳରେ ବାନ୍ଧି ଦିଅନ୍ତି । ଏହି ଭୀଷଣ ଖରାରେ ନିରୀହ ପକ୍ଷୀମାନେ ଯେପରି ପାଣି ବିକଳରେ ମୃତ୍ୟୁମୁଖରେ ନପଡନ୍ତି, ସେଥିପାଇଁ ତିନି ଯୁବକଙ୍କ ଏହି ମହତ୍ ପ୍ରୟାସ ।