ବଲାଙ୍ଗୀର: ନିଜେ କ୍ଷେତରେ ଟ୍ରାକ୍ଟର ଚଳାଇବାକୁ ମନା କରିବାରୁ ଆଦିବାସୀ ଯୁବତୀଙ୍କୁ ଅକଥନୀୟ ନିର୍ଯାତନା । ଯୁବତୀଙ୍କୁ ସଂପୃକ୍ତ ଟ୍ରାକ୍ଟର ଡ୍ରାଇଭର ମାଡ ମାରିବା ସହ ବିଷ୍ଠା ମୁହଁରେ ଲଗାଇ ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲାରୁ । ଏନେଇ ଯୁବତୀ ଜଣଙ୍କ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ।
ଆକ୍ରମଣ ସହ ମୁହଁରେ ବିଷ୍ଠା ବୋଳିଲେ:
ପୀଡିତାଙ୍କ ଅଭିଯୋଗ ଅନୁସାରେ, ନିଜ ବିଲରେ ଚଣା ବୁଣିଥିଲେ । ତେବେ ଗାଁର ଜଣେ ଯୁବକ ଟ୍ରାକ୍ଟର ନେଇ ତା ଉପରେ ମଡାଇ ଦେଇଥିଲେ । ଯାହାକୁ ନେଇ ସେ ତାଙ୍କୁ ବାରଣ କରିଥିଲେ । ଏହାକୁ ନେଇ କଥା କଟାକଟି ହୋଇଥିଲା । ତେବେ ଏହାକୁ ନେଇ ସଂପୃକ୍ତ ଯୁବକ ଜଣକ ଦିନକ ପରେ ଯୁବତୀଙ୍କୁ ଆକ୍ରମଣ କରିଥିଲା । ଯୁବତୀ ଜଣକ ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ଯୁବକ ଜଣକ ତାଙ୍କୁ ଓ ତାଙ୍କ ବଡମାଙ୍କୁ ଆକ୍ରମଣ କରିବା ସହ ଯୁବତୀଙ୍କ ମୁହଁରେ ଵିଷ୍ଠା ବୋଳି ଦେଇଥିଲା । ଅସଭ୍ୟ ଭାଷାରେ ଗାଳି ଗୁଲଜ ସହ ତାଙ୍କୁ ମାରିଦେବାକୁ ଧମକ ଦେଇଥିଲା ବୋଲି ଅଭିଯୋଗ ଆସିଛି ।
ଥାନାରେ ଅଭିଯୋଗ କଲେ ଯୁବତୀ:
ତେବେ ଏହି ମାମଲାକୁ ନେଇ ସଂପୃକ୍ତ ଯୁବତୀ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ୍ ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିବା ବେଳେ ସଂପୃକ୍ତ ଫେରାର ଯୁବକକୁ ଧରିବା ପାଇଁ ତନାଘନା ଜାରି ରଖିଛି । ସେପଟେ ପୀଡ଼ିତା ଯୁବତୀ କହିଛନ୍ତି "ଆମ କ୍ଷେତରେ ଚଣା ବୁଣି ଥିଲୁ । ଗାଁର ଯୁବକ ଅଭୟ ବାଗ ଆମ କ୍ଷେତରେ ଟ୍ରାକ୍ଟର ମଡ଼ାଇ ଦେଇଥିଲା । ଯାହା ଫଳରେ ଆମ ଚଣା ଚାଷ ନଷ୍ଟ ହେବାରୁ ମୁଁ ତାକୁ ଏହା କରିବାକୁ ମନା କରିଥିଲି । ଏବଂ ଏହାକୁ ଗରଜ ରଖି ମୁଁ ଗାଧୋଇ ଫେରୁ ଥିବା ବେଳେ ମତେ ଆକ୍ରମଣ କରିଥିଲା । ଯେଉଁଥିରେ ମତେ ତଳେ ପକାଇ ସେ ମୋ ମୁହଁରେ ବିଷ୍ଠା ବୋଳିବା ସହ ଖୁଆଇ ଦେଇଥିଲା । ଏବେ ଏହାର ଅଭିଯୋଗ ମୁଁ ଥାନାରେ କରିଛି ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବି ମୁଁ କରୁଛି" ।