ବଲାଙ୍ଗୀର: ଜିଲ୍ଲାର ଚୂଡାପାଲି ସ୍ଥିତ ଆଦିବାସୀ ଆଶ୍ରମ ସ୍କୁଲରୁ ନିଖୋଜ ହୋଇଯାଇଥିବା ସପ୍ତମ ଶ୍ରେଣୀ ଛାତ୍ର ଦିନକ ପରେ ଉଦ୍ଧାର ହୋଇଛି । ସ୍କୁଲରୁ ୨୦ କିମି ଦୂର ପାଟଣାଗଡ଼ ଅଞ୍ଚଳରୁ ପିଲାଟିକୁ ଗତକାଲି(ବୁଧବାର) ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଲୋକମାନେ ଛାତ୍ରଙ୍କୁ ପୋଲିସର ଜିମା ଦେଇଥିବା ବେଳେ ପୋଲିସ ପିଲାଟିର ବାପାମାଆ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଡାକି ହସ୍ତାନ୍ତର କରିଛି । ପୂର୍ବରୁ ଏଠି ଏକାଧିକ ଛାତ୍ର ହଷ୍ଟେଲରୁ ଫେରାର ମାରିବାର ଅଭିଯୋଗ ହୋଇଆସିଛି । ଏପରି ସ୍ଥଳେ ଦୁଇ ଦିନ ତଳେ ପୁଣି ଜଣେ ଛାତ୍ର ଏଠୁ ନିଖୋଜ ହେବା ଘଟଣା ସାମ୍ନାକୁ ଆସିଥିଲା ।
ମଙ୍ଗଳବାର ଦିନ ସମ୍ପୃକ୍ତ ସପ୍ତମ ଶ୍ରେଣୀ ଛାତ୍ର ଜଣକ ଚୂଡାପାଲିରୁ ୨୦ କିମି ଚାଲି ଚାଲି ପାଟଣାଗଡରେ ପହଞ୍ଚିବା ପରେ ତାକୁ ଦେଖି ଲୋକଙ୍କ ସନ୍ଦେହ ହୋଇଥିଲା । ପଚରାଉଚରା ପରେ ଘଟଣା ଜଣାପଡିଥିଲା । ପିଲାଟି ସ୍କୁଲରୁ ଲୁଚିକି ଚାଲି ଆସିଥିବା ଜାଣି ଲୋକମାନେ ତାକୁ ପାଟଣାଗଡ଼ ପୋଲିସକୁ ହସ୍ତାନ୍ତର କରିଥିଲେ । ଏହାପରେ ପୋଲିସ ସଂପୃକ୍ତ ଛାତ୍ରର ବାପାମାଆ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଡାକି ହସ୍ତାନ୍ତର କରିଥିଲା । ତେବେ ସ୍କୁଲରେ ଅକଥନୀୟ ନିର୍ଯାତନା ଦିଆଯାଇଥିବାରୁ ସେ ସ୍କୁଲ ଛାଡ଼ି ଫେରାର ମାରିଥିବା ଅଭିଯୋଗ ଆଣିଛି ଛାତ୍ର ଜଣକ ।
ପିଲାଟିର ଅଭିଯୋଗ ଅନୁସାରେ, ସ୍କୁଲର ଦଶମ ଶ୍ରେମୀ ପିଲା ତାକୁ ମାରପିଟ୍ କରିବା ସହ ତା'ଠାରୁ ଶହେ ଟଙ୍କା ନେଇ ଯାଇଥିଲେ । ସିନିୟରମାନଙ୍କ ନିର୍ଯାତନା ସହି ନପାରି ସେ ହଷ୍ଟେଲରୁ ଚାଲି ଆସି ଘରକୁ ଯାଉଥିଲା । ଏ ସମ୍ପର୍କରେ ସେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନି ବୋଲି ପିଲାଟି ଅଭିଯୋଗ କରିଛି ।