ଓଡିଶା

odisha

ETV Bharat / state

ଦାଦନ ଗଡର ସଫଳ ଚାଷୀ ମନ୍ମୟ, ଅନ୍ୟ ପାଇଁ ସାଜିଛନ୍ତି ପ୍ରେରଣା - SUCCESSFUL FARMER MANMAYA

ପଢିଛନ୍ତି ମେକାନିକାଲ ଇଞ୍ଜିନିୟରିଂ । ଚାକିରି ପଛରେ ନ ଧାଇଁ ଆଜି ସଫଳ ଚାଷୀର ପାଇଛନ୍ତି ଟ୍ୟାଗ । ବଲାଙ୍ଗୀରର ମନ୍ମୟ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ।

SUCCESSFUL FARMER MANMAYA
SUCCESSFUL FARMER MANMAYA (ETV BHARAT ODISHA)

By ETV Bharat Odisha Team

Published : Jan 5, 2025, 8:16 PM IST

ବଲାଙ୍ଗୀର: ପାଠ ପଢି ସମସ୍ତଙ୍କ ଚାକିରି କରିବାକୁ ଇଚ୍ଛା ଥାଏ । କିଏ ଡାକ୍ତର ତ ଆଉ କିଏ ଇଞ୍ଜିନିୟର ପୁଣି କିଏ ସରକାରୀ ଚାକିରି କରିବାକୁ ସ୍ବପ୍ନ ଦେଖିଥାଏ । କିନ୍ତୁ ଆମେ ଆପଣଙ୍କୁ ଏମିତି ଜଣେ ଯୁବକଙ୍କ କଥା କହିବୁ ଯିଏକି ପାଠ ପଢିଛନ୍ତି ମେକାନିକାଲ ଇଞ୍ଜିନିୟରିଂ, କିନ୍ତୁ ତାଙ୍କର ଚାକିରି କରିବାକୁ ଇଚ୍ଛା ନାହିଁ । ଯେଉଁ ଜିଲ୍ଲାରେ ଚାକିରି ଅଭାବ ଯୋଗୁଁ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି ସେହି ଜିଲ୍ଲାରେ ସେ ପାଠ ପଢି ମଧ୍ୟ ଚାକିରି କରିବା ବଦଳରେ ଚାଷୀ ପାଲଟି ଯାଇଛନ୍ତି । କାହାର ଅଧିନରେ କାମ କରିବା ବଦଳରେ ନିଜ ସ୍ବାଧିନତାରେ ସେ କାମ କରିବାକୁ ଚାହାନ୍ତି । ସେଥି ପାଇଁ ଚାଷକୁ ନିଜ ଜୀବନ ଜୀବିକା ଭାବି ନେଇଛନ୍ତି । ସେ ହେଉଛନ୍ତି ବଲାଙ୍ଗୀର ଜିଲ୍ଲାର ଦରୋହ ମୁଣ୍ଡା ଗ୍ରାମର ମନ୍ମୟ ଦାସ। ଚାଷ ଜମିରେ ବିଭିନ୍ନ ପ୍ରକାର ଫସଲ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ଅନ୍ୟ ରାଜ୍ୟକୁ ମଧ୍ୟ ରପ୍ତାନୀ କରୁଛନ୍ତି । ଏକାଧିକ ଲୋକଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି ।

ଶୁଖିଲା ପଡିଥିବା ଜମିକୁ ସବୁଜ କ୍ଷେତରେ ପରିଣତ କଲେ ମନ୍ମୟ:

SUCCESSFUL FARMER MANMAYA (ETV BHARAT ODISHA)

45 ଏକର ଚାଷ ଜମିରେ ବିଭିନ୍ନ ପ୍ରକାର ଫସଲ ଫଳାଇଛନ୍ତି ମନ୍ମୟ । କଦଳୀ ଠାରୁ ଆରମ୍ଭ କରି ଧାନ, କପା, ଷ୍ଟ୍ରବେରୀ, ମକା, ସେଓ, ଆଳୁ, ଥାଇଲାଣ୍ଡ ବରକୋଳି, ଆମ୍ବ, ସପେଟା, ନଡିଆ, ତରଭୁଜ ଓ ମହୁ ଭଳି ଚାଷ କରିବାରେ ସଫଳ ହୋଇଛନ୍ତି । ଜଳସେଚନ ପ୍ରଣାଳୀ ଡ୍ରିପଡ୍ରପ ଓ ମଲଚିଂ ପ୍ରଣାଳୀରେ ଚାଷ କରି ସବୁ ପ୍ରକାରର ଚାଷକୁ ଏଠି ସମ୍ଭବ କରି ଦେଖାଇଛନ୍ତି ସେ । ବିନା ସାର ଔଷଧରେ ସେ ଅର୍ଗାନିକ ଫାର୍ମିଂ କରି ଆସୁଛନ୍ତି । 15 ବର୍ଷ ହେବ ସେ ନିଜ ଦୃଢ ଇଚ୍ଛା ଶକ୍ତି, ଅକ୍ଲାନ୍ତ ପରିଶ୍ରମ ବଳରେ ନିଜ ଶୁଖିଲା ପଡିଥିବା ଜମିକୁ ଏବେ ସବୁଜ କ୍ଷେତରେ ପରିଣତ କରିପାରିଛନ୍ତି । 50 ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମଧ୍ୟ ଦେଇ ପାରିଛନ୍ତି ସେ ।

successful farmer manmaya (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଧାନଚାଷ ଦେଇଛି ପରିଚୟ, ଗୋଟିଏ ଗଛରେ ଫଳୁଛି ୯ କେଣ୍ଡା ଧାନ - ଖୋର୍ଦ୍ଧା ଧାନ ଚାଷ

ଏହା ମଧ୍ୟ ପଢନ୍ତୁ-ଚାଷ ପାଇଁ ବଦଳାଇଲେ ପେଷା; ଚାକିରୀ ଛାଡ଼ି ଚାଷକୁ ବେଉସା, ସଫଳ ହଲେ ଚନ୍ଦନ - ସଫଳ ଚାଷୀ ଚନ୍ଦନ କୁମାର ଖୁଣ୍ଟିଆ

ରୋଜଗାର ଗ୍ୟାରେଣ୍ଟି ଗେଣ୍ଡୁଫୁଲ, SHG ମହିଳାଙ୍କୁ କରିଛି ସ୍ବାବଲମ୍ବୀ

ଦାଦନ ଗଡ଼ରେ ପରିବା କ୍ରାନ୍ତି ଆଣିଛନ୍ତି କୃଷ୍ଣଚନ୍ଦ୍ର, ୨ ଶହ ଚାଷୀଙ୍କୁ ଦେଇଛନ୍ତି ରୋଜଗାର

ଦାଦନ ଗଡର ସଫଳ ଚାଷୀ ମନ୍ମୟ :

ବଲାଙ୍ଗୀର ଏକ ଦାଦନ ପ୍ରବଣ ଜିଲ୍ଲା ଅଟେ । ଏଠାକାର ସବୁଠାରୁ ବଡ ସମସ୍ୟା ଦାଦନ । ଜିଲ୍ଲାରେ କୌଣସି କଳକାରଖାନା ନଥିବାରୁ ନିଯୁକ୍ତିର ଘୋର ଅଭାବ ରହିଛି । କୌଣସି ଚାକିରିର ସୁବିଧା ସୁଯୋଗ ନପାଇ ପେଟପାଟଣା ପାଇଁ ଯୁବକ ଅନ୍ୟ ରାଜ୍ୟକୁ ଯାଇ ଦାଦନ ପାଲଟି ଯାଉଛନ୍ତି । ଏଭଳି ସମସ୍ୟା ମଧ୍ୟରେ ମନ୍ମୟ ପାଠପଢି ଚାକିରି ଆଶା ନ କରି ଚାଷକୁ ଆପଣାଇ ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ସେପଟେ କୃଷି ବିଭାଗ ଓ ଉଦ୍ୟାନ ବିଭାଗ ମଧ୍ୟ ଏହି ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ତାଙ୍କୁ ସବୁ ପ୍ରକାରର ସାହାଯ୍ୟ ଯୋଗାଇ ଦେବେ ବୋଲି କହିଛନ୍ତି ।

SUCCESSFUL FARMER MANMAYA (ETV BHARAT ODISHA)

କଣ କୁହନ୍ତି ମନ୍ମୟ ?

ଯୁବ ଚାଷୀ ମନ୍ମୟ ଦାସ କହିଛନ୍ତି, "ମୁଁ ମେକାନିକାଲ ଇଞ୍ଜିନିୟରିଂ ପାଠ ପଢ଼ିଛି । ହେଲେ ଚାକିରି ନ କରି ଚାଷ କରିବାକୁ ସ୍ଥିର କରିଥିଲି । ମୋ ଜିଲ୍ଲାରୁ ଲୋକ ମାନେ ଦାଦନ ଖଟିବାକୁ ଯାଉଛନ୍ତି । ମୁଁ ଚାଷ କଲେ କିଛି ଲୋକ କାମ ପାଇବେ ବୋଲି ଭାବିଥିଲି । ସେଥି ପାଇଁ ଚାଷ କଲି । 45 ଏକର ଚାଷ ଜମି ମୋର ରହିଛି । 2008ରେ କଦଳୀ ଚାଷ କରିଥିଲି । ପ୍ରଥମ ଚାଷରେ ସଫଳ ହେବା ପରେ ଟ୍ରପିକାଲ ସେଓ ଚାଷ କରିଥିଲି । ଗତ ଦୁଇ ବର୍ଷ ହେବ ଷ୍ଟ୍ରବେରୀ ଚାଷ କରୁଛି । ଏହା ଛଡା ଧାନ, କପା, ଆମ୍ବ, ବରକୋଳି, ନଡିଆ, ମକା ଚାଷ ସହ ମାଛ ଚାଷ ମଧ୍ୟ କରୁଛି । ବୈଷୟିକ ଓ ଆଧୁନିକ ଜ୍ଞାନ କୌଶଳରେ ଜଳସେଚନ ସୁବିଧା କରିଛି । ଯାହାଦ୍ବାରା ଭଲ ଫସଲ ଅମଳ କରୁଛି । ମୋ ପାଖରେ ବର୍ଷ ତମାମ ଲୋକ କାମ କରୁଛନ୍ତି" । ବର୍ଷକୁ 10 ଲକ୍ଷ ଟଙ୍କା ରୋଜଗାର ହୋଇପାରୁଛି । ''

SUCCESSFUL FARMER MANMAYA (ETV BHARAT ODISHA)

ମନ୍ମୟଙ୍କୁ ସାହାଯ୍ୟ ଯୋଗାଇବ କୃଷି ବିଭାଗ:

ସେପଟେ କୃଷି ବିଭାଗ ଓ ଉଦ୍ୟାନ ବିଭାଗ ମଧ୍ୟ ଏହି ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ତାଙ୍କୁ ସବୁ ପ୍ରକାରର ସାହାଯ୍ୟ ଯୋଗାଇ ଦେବେ ବୋଲି କହିଛି । ମନ୍ମୟ ପାରମ୍ପରିକ ଚାଷ ସହ ଏଠି ଅନୁକୂଳ ନ ଥିବା ବିପରୀତ ଚାଷ କରି ସଫଳତା ପାଇଛନ୍ତି । ତାଙ୍କ ପ୍ରେରଣାରେ ଅନ୍ୟ ଚାଷୀ ମାନେ ମଧ୍ୟ ଉତ୍ସାହିତ ହେବାର ଦେଖିବାକୁ ମିଳିଛି । ତେବେ ଏଭଳି ହେଲେ ଜିଲ୍ଲାର ଅର୍ଥନୀତି ନିହାତି ଭାବରେ ସୁଦୃଢ ହେବ ବୋଲି ଉଦ୍ୟାନ ବିଭାଗ କହିଛି ।

ମନ୍ମୟଙ୍କୁ ଦେଖି ଚାଷ କରୁଛନ୍ତି ସ୍ଥାନୀୟ ଲୋକେ:

ଆଉ ଜଣେ ଚାଷୀ ସଞ୍ଜୀବ ଦାସ କହିଛନ୍ତି, "ମନ୍ମୟ ଦାସ ଏଠି 15 ବର୍ଷ ହେବ ଚାଷ କରି ଆସୁଛି । ସେ ସବୁ ବେଳେ ଭିନ୍ନ ଲାଭଦାୟକ ଚାଷ କରି ସଫଳ ହୋଇ ଆସୁଛି । ପ୍ରଥମରେ ସେ ଏଠି ମକା କରିଥିଲା । ମୁଁ କହିଥିଲି ଏଠି ମକ୍କା ହେବ ନାହିଁ । ହେଲେ ସେ ମକା ଚାଷ ସଫଳ ଭାବରେ କରି ଦେଖାଇଥିଲା । କପା ଅପେକ୍ଷା ମକାରେ ଲାଭ ଅଧିକ ଥିବା ହେତୁ ମୁଁ ମଧ୍ୟ ମକା ଚାଷ କରି ସଫଳ ହୋଇଛି । ସେହିପରି ସେ ବରକୋଳି, ଷ୍ଟ୍ରବେରୀ ଚାଷ କରିଛନ୍ତି । ଯାହା ଆମ ଅଞ୍ଚଳରେ ହେବା ସମ୍ଭବ ନୁହେଁ । ହେଲେ ଏହି ଚାଷରେ ମଧ୍ୟ ସେ ସଫଳ ହୋଇଛନ୍ତି । ତେଣୁ ମୁଁ ଓ ଅନ୍ୟ ମାନେ ଏହି ସବୁ ଚାଷ କରିବା ପାଇଁ ଆଗ୍ରହ ଦେଖାଉଛୁ ।'

ଇନୋଭିଟିଭ ଫାର୍ମର ମନ୍ମୟ:

ଜିଲ୍ଲା ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକପ୍ରଫୁଲ୍ଲ କୁମାର ଭଞ୍ଜ କହିଛନ୍ତି, "କିଛି ବର୍ଷ ପୂର୍ବରୁ ମୁଁ ଓ ଜିଲ୍ଲାପାଳ ତଥା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସେହି ଅଞ୍ଚଳକୁ ଜନ ଶୁଣାଣି ପାଇଁ ଯାଇଥିଲୁ । ସେଠି ଆମେ ମନ୍ମୟ ଦାସଙ୍କ ଚାଷ ସମ୍ପର୍କରେ ଜାଣିବାକୁ ପାଇଥିଲୁ । ଏହା ସହ ତାଙ୍କ ଚାଷ ବୁଲି ଦେଖିଥିଲୁ । ସେ ଇନୋଭେଟିଭ ଚାଷ କରି ଏଠି ବେଶ ସଫଳ ହୋଇଛନ୍ତି । କଦଳୀ, ବରକୋଳି, ଷ୍ଟ୍ରବେରୀ, ସେଓ ଚାଷ କରି ବେଶ ସଫଳ ହୋଇଛନ୍ତି । ଆମେ ତାଙ୍କୁ ଅଧା ଏକରରେ ଷ୍ଟ୍ରବେରୀ ଚାଷ କରିବା ପାଇଁ ଚାରା ଯୋଗାଇ ଦେଇଥିଲୁ । ଏବେ ତାହା ଅମଳ ହେବା ସହ ତାଙ୍କର ଭଲ ଲାଭ ହେଉଛି । ସେ ଚାଷ ମଧ୍ୟ କରି ସଫଳ ହୋଇଛନ୍ତି । ଯାହା ନିହାତି ଭାବରେ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ଅଟେ" । ଇନୋଭିଟିଭ ଫାର୍ମର ହେଉଛନ୍ତି ମନ୍ମୟ । ''

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details