ଓଡିଶା

odisha

ETV Bharat / state

ଅନିଶ୍ଚିତତା ଭିତରେ ବଲାଙ୍ଗୀର ଲୋକ ଉତ୍ସବ, ଦ୍ଵନ୍ଦରେ ଜିଲ୍ଲାବାସୀ - ବଲାଙ୍ଗୀର ଲୋକ ଉତ୍ସବ

Balangir Loka Utsav: କଳା ଓ କଳାକାର ତଥା ଲୋକଙ୍କ ଉତ୍ସବ 'ବଲାଙ୍ଗୀର ଲୋକ ଉତ୍ସବ' ଚଳିତ ବର୍ଷ ହେବା ନେଇ ଦ୍ଵନ୍ଦ ଦେଖା ଦେଇଛି । ଅଧିକ ପଢ଼ନ୍ତୁ

ବଲାଙ୍ଗୀର ଲୋକ ଉତ୍ସବ
ବଲାଙ୍ଗୀର ଲୋକ ଉତ୍ସବ

By ETV Bharat Odisha Team

Published : Feb 7, 2024, 10:05 PM IST

ବଲାଙ୍ଗୀର ଲୋକ ଉତ୍ସବ

ବଲାଙ୍ଗୀର:ଅନିଶ୍ଚିତତା ଭିତରେ ବଲାଙ୍ଗୀରର ଜିଲ୍ଲାସ୍ତରୀୟ ଲୋକ ଉତ୍ସବ । କଳା ଓ କଳାକାର ତଥା ଲୋକଙ୍କ ଉତ୍ସବ 'ଲୋକ ଉତ୍ସବ' ଚଳିତ ବର୍ଷ ହେବା ନେଇ ଦ୍ଵନ୍ଦ ଦେଖା ଦେଇଛି । ଏହି ଲୋକ ଉତ୍ସବ ହେବ କି ନାହିଁ ଏହାକୁ ନେଇ ସନ୍ଦେହ ଉପୁଜିଛି । ଯାହାକୁ ନେଇ ଉଭୟ କଳାକାର ଓ ବଲାଙ୍ଗୀରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ତେବେ ପ୍ରତିବର୍ଷ ଡିସେମ୍ବରରୁ ଫେବୃୟାରୀ ମାସ ମଧ୍ୟରେ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଲୋକ ଉତ୍ସବ ଆୟୋଜିତ ହୋଇଥାଏ । ଯେଉଁଥିରେ ସ୍ଥାନୀୟ ଲୋକକଳା ନୃତ୍ୟ, ସଂଗୀତ ଓ ରାଜ୍ୟ ବାହାର ଲୋକକଳାରଙ୍କ ମିଳନ ହୋଇଥାଏ । ଲୋକ ବିଭିନ୍ନ ଲୋକକଳାକୁ ଉପଭୋଗ କରିବା ସହ ବିଭିନ୍ନ ସଂସ୍କୃତିକୁ ପାଖରୁ ଜାଣିବାର ସୁଯୋଗ ପାଇ ଆସିଛନ୍ତି । ସେହିପରି ଲୋକ ତଥା କଳାକାର ଏହି ଉତ୍ସବକୁ ଅପେକ୍ଷା କରି ରହିଥାନ୍ତି । ହେଲେ ଏଥର ଏହି ଅପେକ୍ଷା ଅନ୍ତ ହେବ ନାହିଁ ବୋଲି ପ୍ରତିତ ହୋଇଛି ।

ସୂଚନା ଅନୁସାରେ, କିଛି ମାସ ପୂର୍ବରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଲୋକ ଉତ୍ସବ ଆୟୋଜନ ପାଇଁ ବୈଠକ ବସିଥିଲା । ଏଥିରେ ବିଭିନ୍ନ କମିଟି ମଧ୍ୟ ଗଠିତ ହୋଇଥିଲା । ହେଲେ ଗଠିତ ହୋଇଥିବା କମିଟି ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ଅଭାବ ପରେ କମିଟି ସଦସ୍ୟମାନେ ଶେଷ ମୁହୂର୍ତ୍ତରେ ଇସ୍ତଫା ଦେବା ଯୋଗୁଁ ଏଭଳି ଅବସ୍ଥା ହୋଇଥିବାର ଜଣା ପଡ଼ିଛି । ଯେଉଁମାନେ ଲୋକ ଉତ୍ସବ କରିବା ପାଇଁ ବିଭିନ୍ନ କମିଟିରେ ରହିଲେ ସେମାନେ କାହିଁକି ଏଭଳି କଲେ । ଯଦି ସେମାନେ ଉତ୍ସବ କରିବା ପାଇଁ ସମର୍ଥ ନଥିଲେ ତାହେଲେ କାହିଁକି ପଦ ପଦବୀରେ ରହିଥିଲେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ସେପଟେ କଳାକାର ଓ ସାଧାରଣ ଲୋକ ଏହାକୁ ନେଇ ବିଭିନ୍ନ ଆରୋପ ପ୍ରତ୍ୟାରୋପ କରିଛନ୍ତି । କିଛି ଲୋକ ଓ ବୁଦ୍ଧିଜୀବୀ ଲୋକ ଉତ୍ସବ ହେବା ନେଇ ମଧ୍ୟ ଆଶାବାଦୀ ଅଛନ୍ତି ।

ଏନେଇ ବଲାଙ୍ଗୀରର ବରିଷ୍ଠ କଳାକାର ମୁରଲୀ ପତି କହିଛନ୍ତି ଯେ, ଏଥର ଜିଲ୍ଲା ପ୍ରଶାସନ ଓ ଗଠିତ କମିଟି ମଧ୍ୟରେ ସମନ୍ଵୟର ଅଭାବ ଏହି ପରିସ୍ଥିତି କରିଛି । ଯାହା ପାଇଁ ଉଭୟ କମିଟି ଓ ଜିଲ୍ଲା ପ୍ରଶାସନ ଦାୟୀ । ସେହିପରି ବର୍ଷ ତମାମ ଅପେକ୍ଷାରତ ଥିବା ସାଧାରଣ ଲୋକ, କଳାକାର ସମସ୍ତଙ୍କୁ ଧକ୍କା ଲାଗିଛି ବୋଲି ସେ କହିଛନ୍ତି । ସେହିପରି ଅନ୍ୟ ଜଣେ କଳାକାର ରାମ ଦାସ କହିଛନ୍ତି ଯେ, ଏହି ଲୋକ ଉତ୍ସବରେ ଏଥର ବ୍ୟତିକ୍ରମ ଦେଖା ଦେଇଛି । ଏଥିପାଇଁ ସମସ୍ତେ ଦାୟୀ ବୋଲି ସେ କହିଛନ୍ତି ଏବଂ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....ଏକାମ୍ର ଉତ୍ସବର ଚତୁର୍ଥ ସନ୍ଧ୍ୟା: ନୃତ୍ୟରେ ପ୍ରଦର୍ଶିତ ହେଲା ଓଡ଼ିଶାର ଇତିହାସ

ଅନ୍ୟପକ୍ଷେ ବଲାଙ୍ଗୀରର ବୁଦ୍ଧିଜୀବୀ ନିମେଇ ଚରଣ ପାଢ଼ୀ କହିଛନ୍ତି ଯେ, କିଛି ସମନ୍ୱୟ ଅଭାବ ସହିତ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ବଦଳି ହେବା ଯୋଗୁଁ ଏଭଳି ଅବସ୍ଥା ହୋଇଛି । ସେହିପରି ନୂଆ ଜିଲ୍ଲାପାଳ ଏବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଏବଂ ତାଙ୍କ ସହ ଆଲୋଚନା କରିବେ ତଥା ଆଗକୁ ନିଶ୍ଚିତ ଲୋକ ମହୋତ୍ସବ ହେବ ବୋଲି ସେ ଆଶାବାଦୀ ଅଛନ୍ତି । ସେପଟେ ପ୍ରଶାସନ ଏଥିରେ ସିଧାସଳଖ କିଛି ପ୍ରତିକ୍ରିୟା ଦେଇ ନାହିଁ । ଲୋକ ଉତ୍ସବ ପାଇଁ ଗଠିତ କମିଟି ଏହାର ଜବାବ ଦେଇ ପାରିବ ବୋଲି ଫୋନ ଯୋଗେ ସୂଚନା ଦେଇଛନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details