ବଲାଙ୍ଗୀର:ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଜିଲ୍ଲାର ଆଉ ଏକ ପର୍ଯ୍ୟଟନସ୍ଥଳୀ ଚାନ୍ଦିଲି ପାହାଡ଼। ଅନେକ ଚମତ୍କାର ବିଷୟ ବସ୍ତୁ, ଧାର୍ମିକ ଆସ୍ଥା, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ପର୍ଯ୍ୟଟନସ୍ଥଳୀରେ ଏବେ ଜମୁଛି ଭିଡ। ଏହି ପର୍ଯ୍ୟଟନସ୍ଥଳୀର ସଠିକ ବିକାଶ ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ସହ ଅଞ୍ଚଳର ବିକାଶ ହେବ ବୋଲି ମତ ପ୍ରକାଶ ପାଇଛି ।
ଚାନ୍ଦିଲି ପାହାଡ଼ :
ବଣ ପାହାଡ଼ ଘେରା ବଲାଙ୍ଗୀର ଜିଲ୍ଲା । ଏଠାକାର ଅନେକ ପର୍ଯ୍ୟଟନସ୍ଥଳୀରେ ରହିଛି ସ୍ୱତନ୍ତ୍ର ଇତିହାସ । ଯାହାକି ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ଆସିଛି । ଏହିଭଳି ଆଉ ଏକ ଅନ୍ୟନ୍ୟ ପର୍ଯ୍ୟଟନସ୍ଥଳୀ ଚାନ୍ଦିଲି ପାହାଡ଼ ମଧ୍ୟ ତାର ସ୍ୱତନ୍ତ୍ର ପରିଚୟ ପାଇଁ ପ୍ରସିଦ୍ଧ ଅଟେ । ଧାର୍ମିକ ଆସ୍ଥା, ଐତିହାସିକ ପୃଷ୍ଠ ଭୂମି, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ କିଛି ଚମତ୍କାର ବିଷୟ ବସ୍ତୁ ଏହାକୁ ଦେଇଛି ସ୍ୱତନ୍ତ୍ର ପରିଚୟ । ଯାହା ପାଇଁ ଏବେ ଏଠାକୁ ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସୁଛନ୍ତି । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଶଣ୍ଡ ଗ୍ରାମରେ ଅବସ୍ଥିତ ଏହି ପର୍ଯ୍ୟଟନ ସ୍ଥଳୀ 'ଚାନ୍ଦିଲି ପାହାଡ଼' । ବଲାଙ୍ଗାୀର ସହରଠାରୁ 45 କିଲୋମିଟର ଦୂରରେ ଏହା ଅବସ୍ଥିତ । ଚାନ୍ଦିଲି ପାହାଡ଼ 600 ବର୍ଗ କିଲୋମିଟର ପରିଧିର ହୋଇଥିବାବେଳେ ପାହାଡ଼ର ଉଚ୍ଚତା 40 ଫୁଟ । ଏଠାକୁ ଯିବାକୁ ହେଲେ ଚାରି ଚକିଆ ଯାନ କିମ୍ବା ବସ ଯୋଗେ ଯିବାକୁ ପଡିଥାଏ ।
ଚାନ୍ଦିଲି ପାହାଡ଼ର ଐତିହାସିକ କଥାବସ୍ତୁ:
ଗବେଷକଙ୍କ ମତରେ, ଐତିହାସିକ ପୃଷ୍ଠଭୂମିରେ ଅବହମାନ କାଳରେ ମୁନି ଋଷି ଏଠାରେ ରହି ତାପସ୍ୟା କରିଥିବା କୁହାଯାଏ । ସେହିପରି ତନ୍ତ୍ରମନ୍ତ୍ରର ମଧ୍ୟ ସାଧନା ହୋଇ ଆସୁଥିଲା । ଯାହାର ଚିହ୍ନ ଆଜି ବି ଏଠାରେ ରହିଛି । ସେହିପରି ଏଠାରେ 35ରୁ ଉର୍ଦ୍ଧ୍ବ ଗୁମ୍ଫା ରହିଥିବା କୁହାଯାଏ । ଯାହା ମଧ୍ୟରୁ ଏଯାଏଁ 15ଟି ଗୁମ୍ଫାର ଚିହ୍ନଟ ହୋଇପାରିଛି । ସମାନ ଭାବରେ ଏଠାରେ ସୀତା କୁଣ୍ଡ, ସପ୍ତ ଫେଣି, ଭୀମ କୁଣ୍ଡ, ବଟ ବୃକ୍ଷ ଭଳି ଏକାଧିକ ସ୍ଥଳୀ ରହିଛି ଯାହା ସହ ଅନେକ ଚମତ୍କାର କଥା ଜଡିତ ଅଛି । ଏହାସହ ବାଘ ଗୁମ୍ଫା, ଚିତା ଗୁମ୍ଫା ଓ ବାଦୁଡି ଗୁମ୍ଫା ମଧ୍ୟ ରହିଛି । ଯେଉଁଥିରେ ଏକଦା ମହାବଳ ବାଘ ଓ ଚିତା ବାଘ ରାହୁଥିବାର କୁହାଯାଏ । ବାଦୁଡ଼ି ଗୁମ୍ଫାରେ ଏବେବି ଲକ୍ଷାଧିକ ବାଦୁଡ଼ି ରହିଛନ୍ତି । ସେହିପରି ଏବେ ଏହି ପର୍ଯ୍ୟଟନସ୍ଥଳୀ ଚାରିପଟେ ଘଞ୍ଚ ଜଙ୍ଗଲ ଥିବାବେଳେ ବେଶ ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ଦୃଶ୍ୟମାନ ହୋଇଥାଏ । ସେହିପରି ଏହି ଅଞ୍ଚଳ ଜଙ୍ଗଲୀ ପଶୁ ପକ୍ଷୀ ଯଥା କଲରାପତରିଆ, ଚିତା ବାଘ, ଭାଲୁ, ହରିଣ, ଝିଙ୍କ ଭଳି ଛୋଟ ଛୋଟ ଜୀବ ଜନ୍ତୁଙ୍କ ପ୍ରାକୃତିକ ଆବାସସ୍ଥଳୀ ଅଟେ।
ସୀତା କୁଣ୍ଡ :
ପାହାଡ଼ ଉପରେ ଥିବା ସୀତା କୁଣ୍ଡ ସହିତ ଅନେକ କାହାଣୀ ଜଡିତ ହୋଇ ରହିଛି । ଏହାର ସମ୍ପର୍କ ମହାଭାରତ ଯୁଗରେ ପଞ୍ଚୁ ପାଣ୍ଡବ ସହ ଥିବାର କୁହାଯାଏ । ଏହି ସୀତା କୁଣ୍ଡ ପାହାଡ଼ ଉପରେ ସ୍ଥିତ ଥିବାବେଳେ ଅକାତ ଗଭୀରର ଏହି କୁଣ୍ଡ ଅଟେ। ଯାହାର ପାଣି କେବେ ଶୁଖି ନ ଥାଏ। ଲୋକେ ଏଠାକୁ ଭୋଜି କରିବାକୁ ଆସିଲେ ଏଠିକାର ପାଣି ବ୍ୟବହାର ମଧ୍ୟ କରିଥାନ୍ତି । ଖରାରେ ମଧ୍ୟ ଏଠିକାର ପାଣି ବ୍ୟବହାର ସତ୍ତ୍ୱେ କେବେ ଶୁଖି ନଥାଏ । ସେହିପରି ଏହି ପାଣି ଏହି ପଥର ପାହାଡ଼ ଉପରେ କଉଠୁ ଆସେ ତାର କୌଣସି ଚିହ୍ନ ବର୍ଣ୍ଣ ନ ଥିବାବେଳେ ଏବେ ତାହା ରହସ୍ୟ ଘେରରେ ରହିଛି ।
ଭୀମ କୁଣ୍ଡ :
ଏଠାରେ ଥିବା ଅନ୍ୟ ପାଣି କୁଣ୍ଡ ଭୀମ କୁଣ୍ଡ ନାଁରେ ଜଣାଯାଏ । ଏଠାକାର ପାଣି ମଧ୍ୟ କେବେ ଶୁଖି ନଥାଏ । ଭୀମକୁଣ୍ଡ ପାଣି କେଉଁଠୁ ଆସିଥାଏ ଓ କେମିତି ଏଠାକାର ପାଣି ବ୍ୟବହାର ସତ୍ତ୍ୱେ ପୂର୍ବ ପରି ସେମିତି ରହିଥାଏ, ତାହା ମଧ୍ୟ ରହସ୍ୟ ହୋଇ ରହିଛି ।
ଚମତ୍କାର ବଟ ବୃକ୍ଷ :
ଏଠାରେ ଏକ ବଟ ବୃକ୍ଷ ରହିଛି ଯାହା ଶତାଧିକ ବର୍ଷ ହେବ ଥିବାବେଳେ ତାହା କେବେ ବଢି ନଥାଏ କିମ୍ବା ମରି ମଧ୍ୟ ନଥାଏ । ଏକ ବିରାଟ ପଥର ଖଣ୍ଡ ଉପରେ ଏହି ବଟ ବୃକ୍ଷ ଥିବା ବେଳେ ତାର ଉଚ୍ଚତା ମସ୍ତର 10 ଇଞ୍ଚ ହେବ । ହେଲେ ଏହି ବୃକ୍ଷ ସବୁବେଳେ ସବୁଜ ଥିବାବେଳେ ଶହ ଶହ ବର୍ଷ ହେବେ ଏହା ଏହି ଭଳି ରହିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ବୃକ୍ଷକୁ ସେମାନଙ୍କ ପୂର୍ବ ପିଢି ମଧ୍ୟ ଦେଖି ଆସିଛନ୍ତି ।
ନାଗସାପ ସଦୃଶ ପଥର :
ଏହା ଛଡା ଏଠି ବିରାଟ ପଥରର ଏକ ସପ୍ତଫେଣୀ ନାଗସାପ ସଦୃଶ ପଥର ରହିଛି । ଯାହାକୁ ଲୋକେ ଆଧ୍ୟାତ୍ମିକ ଦୃଷ୍ଟିରୁ ଦେଖି ଆସିଛନ୍ତି । ଏହାର ତଳେ ପଥରର କାଳୀ ମୂର୍ତ୍ତି ଓ ଶିବ ମୂର୍ତ୍ତି ରହିଛି । ଯାହାକୁ ଲୋକେ ନୀତି ଦିନ ଏଠି ପୂଜାର୍ଚ୍ଚନା କରନ୍ତି । ସେହିପରି ଏଠାରେ ଏକ ବିରାଟ କଇଁଛ ସଦୃଶ ଶିଳା ଖଣ୍ଡ, ଶଙ୍ଖ ସଦୃଶ ବିରାଟ ଶିଳା ଖଣ୍ଡ ରହିଛି। ଯାହା ସମସ୍ତଙ୍କୁ ଆକୃଷ୍ଟ କରି ଆସିଛି । ସେହିପରି ଏହି ପାହାଡ଼ ଉପରେ ଭଗବାନ ହନୁମାନଙ୍କ ପୂଜାର୍ଚ୍ଚନା କରାଯାଏ। ସେହିପରି ପ୍ରତିବର୍ଷ ଡିସେମ୍ବର 27 ତାରିଖରୁ ଏଠାରେ ଚାରି ଦିନ ଧରି 'ଚାନ୍ଦିଲି ମହୋତ୍ସବ' ଆୟୋଜନ କରାଯାଏ। ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ଲୋକେ ସାମିଲ ହୋଇଥାନ୍ତି ।
35ରୁ ଅଧିକ ଗୁମ୍ଫା :
ଏହି ଚାନ୍ଦିଲି ପାହାଡରେ 35ରୁ ଉର୍ଦ୍ଧ୍ବ ଛୋଟ ବଡ଼ ଗୁମ୍ଫା ଥିବା ସ୍ଥାନୀୟ ଲୋକେ କହନ୍ତି । ବର୍ତ୍ତମାନ ସୁଦ୍ଧା 15ଟି ଗୁମ୍ଫା ଠାବ ହୋଇଛି । ଯେଉଁଥିରେ ବାଘ ଗୁମ୍ଫା ମଧ୍ୟ ରହିଛି । ଲୋକଙ୍କ କହିବା ଅନୁସାରେ, ଏହି ଗୁମ୍ଫାରେ ପୂର୍ବରୁ ମହାବଳ ବାଘ ରହି ଆସୁଥିଲା । ସେହିପରି ଏଠାରେ ଆଉ ଏକ ଚିତା ଗୁମ୍ଫା ରହିଛି । ଯେଉଁ ଥିରେ ଚିତା ବାଘ ରହି ଆସୁଥିଲେ । ଏହା ଛଡା ଏଠି ଅନ୍ୟ ଗୁମ୍ଫା ମଧ୍ୟରେ ଏକ ବାଦୁଡ଼ି ଗୁମ୍ଫା ରହିଛି । ଯେଉଁଠି ଏବେବି ଲକ୍ଷାଧିକ ବାଦୁଡି ଅଛନ୍ତି । ରାତି ହେଲେ ସେମାନେ ସେଠାରୁ ବାହାରିଥାନ୍ତି । ଏହି ପାହାଡ଼ ଓ ସଲଗ୍ନ ଅଞ୍ଚଳରେ ବିଭିନ୍ନ ବନ୍ୟଜନ୍ତୁଙ୍କ ପ୍ରାକୃତିକ ଆବାସ ଅଟେ ।