ଓଡିଶା

odisha

ETV Bharat / state

ଖରାଦିନ ଆରମ୍ଭରୁ ଜଳିଲାଣି ଜଙ୍ଗଲ, ବନାଗ୍ନି ସଙ୍କଟ ଏଡ଼ାଇବାକୁ ସଚେତନତା ଜରୁରୀ - Forest Fires In Malkangiri

Forest Fire: ଖରାଦିନ ଆରମ୍ଭରୁ ଜଙ୍ଗଲରେ ନିଆଁ ମାଡ଼ିବାକୁ ଲାଗିଛି । ଏହାକୁ ରୋକିବାକୁ ବନବିଭାଗ ପଦକ୍ଷେପ ନେଉଥିବାବେଳେ ସଚେତନତା ଜରୁରୀ ହୋଇପଡ଼ିଛି । ଅଧିକ ପଢନ୍ତୁ

Forest Fires
Forest Fires

By ETV Bharat Odisha Team

Published : Mar 13, 2024, 8:33 PM IST

Forest Fires

ମାଲକାନଗିରି: ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଜଙ୍ଗଲରେ ନିଆଁ ମାଡ଼ିବାକୁ ଲାଗିଛି । ଫଳରେ ଅନେକ ଧନ ଜୀବନ ପ୍ରଭାବିତ ହେଉଛି । ମାର୍ଚ୍ଚ ମାସ ଆରମ୍ଭରୁ ଗ୍ରୀଷ୍ମ ପ୍ରଭାବରୁ ଜଙ୍ଗଲରେ ଥିବା ଗଛଗୁଡିକ ପତ୍ରଝଡା ଦେଇଥାଏ। ଶୁଖିଲା ପତ୍ରରେ ଜଙ୍ଗଲ ଆଚ୍ଛାଦିତ ହୋଇଯାଏ । ଏହି ସମୟରେ ମହୁଲ ଗଛରେ ଫୁଲ ଫୁଟିବା ଆରମ୍ଭ ହୋଇଥାଏ । ହେଲେ ଶୁଖିଲା ପତ୍ର ମଧ୍ୟରେ ପଡିଯିବା ଦ୍ବାରା ଏହାକୁ ସଂଗ୍ରହ କରିବା ବନାଞ୍ଚଳରେ ବାସ କରୁଥିବା ଅଧିବାସୀମାନଙ୍କ ପକ୍ଷରୁ କଷ୍ଟକର ହୋଇଥାଏ । ଯେଉଁଥିପାଇଁ ଅଳ୍ପ ସମୟ ମଧ୍ୟରେ ପ୍ରଚୁର ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଗଛ ତଳେ ଜମା ହୋଇଥିବା ଶୁଖିଲା ପତ୍ରକୁ ନିଆଁ ଲଗାଇ ପରିଷ୍କାର କରନ୍ତି ସେମାନେ । କିନ୍ତୁ ନିଆଁ ଲିଭାନଯିବାରୁ ଧୀରେ ଧୀରେ ଏହା ଜଙ୍ଗଲକୁ ବ୍ୟାପିଥାଏ । ଫଳରେ ଔଷଧୀୟ ବୃକ୍ଷ ନଷ୍ଟ ସହ ପଶୁ ପକ୍ଷୀଙ୍କ ଜୀବନ ହାନି ହୁଏ । ଏହାସହ ବାୟୁମଣ୍ଡଳ ଉତ୍ତପ୍ତ ଏବଂ ବିଷାକ୍ତ ହୋଇ ପରିବେଶ ଉପରେ କୁପ୍ରଭାବ ପକାଏ ।

Forest Fires


ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ଆଦିବାସୀମାନଙ୍କ ବର୍ତ୍ତମାନ ବନଜାତ ଦ୍ରବ୍ୟ ସଂଗ୍ରହରେ ବାଧା ସୃଷ୍ଟି ହୁଏ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ବନାଞ୍ଚଳରେ ବସବାସ କରୁଥିବା ଗ୍ରାମବାସୀଙ୍କୁ ନେଇ ବନ ସଂରକ୍ଷଣ ସମିତି ଗଠନ କରିଛନ୍ତି । ଜଙ୍ଗଲ, ବନ୍ୟଜନ୍ତୁ ଏବଂ ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଏହି ସମିତିଗୁଡିକ କାର୍ଯ୍ୟ କରୁଛି । ଏହାସହ ବନବିଭାଗ ଦ୍ବାରା ପ୍ରତି ରେଞ୍ଜରେ ୧୦ ଜଣ ଲେଖାଏଁ ଯୁବକଙ୍କୁ ନେଇ ଏକ ଫାୟାର ସ୍କ୍ବାଡ୍ ମଧ୍ଯ ଗଠନ କରାଯାଇଛି । ମାଲକାନଗିରି ବନଖଣ୍ଡର ୬ଟି ରେଞ୍ଜରେ ୬ଟି ଫାୟାର ସ୍କ୍ବାଡ୍ ରହିଥିବା ସୂଚନା ଦେଇଛନ୍ତି ମାଲକାନଗିରି ବନଖଣ୍ଡ ଏସିଏଫ ।

ସେ କହିଛନ୍ତି,"ଫାୟାର ସ୍କ୍ବାଡର କର୍ମଚାରୀଙ୍କୁ ବନବିଭାଗ ପକ୍ଷରୁ ସୁରକ୍ଷା କିଟ୍ ସହ ୟୁନିଫର୍ମ ଓ ନିଆଁ ଲିଭାଇବା ପାଇଁ ଏୟାର୍ ବ୍ଲୋୟର ଦିଆଯାଇଛି । ଏଥିପାଇଁ ଆମକୁ ଜନସାଧାରଣଙ୍କ ସହଯୋଗ ମଧ୍ୟ ଆବଶ୍ୟକ ।" ଅପରପକ୍ଷେ, ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳୁଥିବା ଅଭିଯୋଗ ଆଣିଛନ୍ତି ଫାୟାର ସ୍କ୍ବାଡ୍ କର୍ମଚାରୀ । ଦିନକୁ ୩୩୩ ଟଙ୍କା ବନବିଭାଗ ପ୍ରଦାନ କରୁଛି । ଏହା ପରିବର୍ତ୍ତେ ସେମାନଙ୍କୁ ଦିନ ପିଛା ପାରିଶ୍ରାମିକ ୫୦୦ ଟଙ୍କା ଦବାପାଇଁ ବନବିଭାଗକୁ ଅନୁରୋଧ କରିଛନ୍ତି କର୍ମଚାରୀ ।

ଏହା ମଧ୍ୟ ପଢନ୍ତୁ...ଖରାଦିନ ଆରମ୍ଭରୁ ସାଙ୍ଘାତିକ, ରାଜ୍ୟରେ ଜଳିଲାଣି ଜଙ୍ଗଲ

ଜଙ୍ଗଲରେ ଜଳୁଥିବା ନିଆଁ ଲିଭାଇବା ଓ ଲୋକଙ୍କୁ ସଚେତନ କରିବାରେ ବନବିଭାଗକୁ ବର୍ତ୍ତମାନ ସୁଧା ଶତ ପ୍ରତିଶତ ସଫଳତା ମିଳିନାହିଁ। ବନ ବିଭାଗରୁ ମିଳିଥିବା ସୂଚନା ମୁତାବକ, ଚଳିତ ମାସ ୧୦ତାରିଖ ସୁଧା ଜିଲ୍ଲାରେ ମୋଟ ୩୭୫ ସ୍ଥାନରେ ନିଆଁ ଲାଗିଥିଲା। ଏଥି ମଧ୍ଯରୁ ଫରେଷ୍ଟ ବ୍ଲକ ୯୫ ଟି ସ୍ଥାନ ଚିହ୍ନଟ କରାଯାଇଥିବାବେଳେ ନନ୍ ଫରେଷ୍ଟ ବ୍ଲକର ୨୮୦ ଟି ସ୍ଥାନ ଚିହ୍ନଟ ହୋଇଛି। ବାଲିମେଳା ରେଞ୍ଜର ୧୨୫ଟି ବ୍ଲକ ମଧ୍ଯରୁ ଫରେଷ୍ଟ ବ୍ଲକର ୩ ଟି ଥିବାବେଳେ, ନନ୍ ଫରେଷ୍ଟ ବ୍ଲକର ୧୨୨ଟି ରହିଛି । ଚିତ୍ରକୁଣ୍ଡା ରେଞ୍ଜର ୩୪ଟି ବ୍ଲକ ମଧ୍ଯରୁ ଫରେଷ୍ଟ ବ୍ଲକର ୧୮, ନନ୍ ଫରେଷ୍ଟ ବ୍ଲକର ୧୬ । କାଲିମେଳା ରେଞ୍ଜର ୬୩ ବ୍ଲକ ମଧ୍ଯରୁ ଫରେଷ୍ଟ ବ୍ଲକର ୨୧, ନନ୍ ଫରେଷ୍ଟ ବ୍ଲକର ୪୨ ରହିଛି । ସେହିଭଳି ମାଲକାନଗିରି ରେଞ୍ଜ ୭୦ ଟି ବ୍ଲକ ମଧ୍ଯରୁ ଫରେଷ୍ଟ ବ୍ଲକର ୨୨ ଟି ଥିବାବେଳେ ନନ୍ ଫରେଷ୍ଟ ବ୍ଲକର ୪୮ଟି ସ୍ଥାନ ରହିଛି । ମାଥିଲି ରେଞ୍ଜର ୭୨ ଟି ବ୍ଲକ ମଧ୍ଯରୁ ଫରେଷ୍ଟ ବ୍ଲକର ୨୩, ନନ୍ ଫରେଷ୍ଟ ବ୍ଲକର ୪୯ଟି ରହିଛି । ଠିକ୍ ସେହିଭଳି ମଟୁ ରେଞ୍ଜରେ ୧୧ଟି ବ୍ଲକ୍ ମଧ୍ଯରୁ ଫରେଷ୍ଟ ବ୍ଲକର ୮, ନନ୍ ଫରେଷ୍ଟ ବ୍ଲକର ୩ଟି ସ୍ଥାନ ଚିହ୍ନଟ କରାଯାଇଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସିଏଫ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details