ବୌଦ୍ଧ:ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ଜିଲ୍ଲା । ବିଭିନ୍ନ ଅଞ୍ଚଳରେ ଅନେକ ବୃକ୍ଷରାଜି, ଔଷଧୀୟ ଗୁଳ୍ମଲତା, ଖାଦ୍ୟ ଉପଯୋଗୀ ତରୁଲତା ରହିଛି । ସେଥିମଧ୍ୟରୁ ଅନ୍ୟତମ ହେଉଛି 'ବହଳ କଢ' । ମହାନଦୀ ଅବବାହିକାରେ ରହିଛି ଏଭଳି ବୃକ୍ଷ ଯାହାର ପତ୍ର ଓ କଢର ବେଶ ଚାହିଦା ରହିଛି । 'ବହଳ' କଢ ଅତ୍ୟନ୍ତ ସ୍ବାଦିଷ୍ଟ ହୋଇଥିବାବେଳେ ଏହାର ଯଥେଷ୍ଟ ଚାହିଦା ରହିଛି । ଏହି ସ୍ବତନ୍ତ୍ର ଖାଦ୍ୟର କୌଣସି ଚାଷ ହେଉନଥିବାବେଳେ ଏହାକୁ କେବଳ ସଂଗ୍ରହ କରାଯାଇ ବଜାରରେ ଉପଲବ୍ଧ କରାଯାଏ । ଇଂରାଜୀ ଭାଷାରେ ଏହି ବହଳ କଢକୁ 'କାମିଚେରୀ' କୁହାଯାଉଥିବାବେଳେ ବୌଦ୍ଧ ଜିଲ୍ଲାରେ ଏହାର ବେଶ ଚାହିଦା ରହିଛି । ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅନେକ ବୃକ୍ଷରାଜି, ଔଷଧୀୟ ଗୁଳ୍ମଲତା, ଖାଦ୍ୟ ଉପଯୋଗୀ ଗଛଲତା ରହିଛି ।
ଏମିତି କିଛି ବୃକ୍ଷ ରହିଛି ଯାହାକି କେବଳ ମହାନଦୀ ଅବବାହିକାରେ ଦୃଶ୍ୟମାନ ହୋଇଥାଏ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବହଳ ନାମକ ଏକ ବୃକ୍ଷ ପ୍ରଚୁର ମାତ୍ରାରେ ଦେଖାଯାଏ । ବୌଦ୍ଧ ଜିଲ୍ଲା ସହିତ ମହାନଦୀର ଉଭୟ ପାର୍ଶ୍ଵରେ ଥିବା ଜିଲ୍ଲାର କେତେକ ଅଞ୍ଚଳରେ ମଧ୍ୟ ଏହି ବହଳ ବୃକ୍ଷ ଦେଖିବାକୁ ମିଳେ । ବସନ୍ତ ଋତୁରେ ଏହି ଗଛ ପତ୍ରଝଡା ଦେଇଥିବାବେଳେ ଚୈତ୍ର ମାସ ବେଳକୁ ଏହି ଗଛରେ ନୂଆ ପତ୍ର କଅଁଳିଥାଏ । ଏହାଛଡା ଏହି ବହଳ ଗଛର ପତ୍ର ମଝିରେ ଟିକି ଟିକି ପେନ୍ଥାରେ ବହଳ କଢ ସୃଷ୍ଟି ହୋଇଥାଏ । ଏସବୁ କଢ ପେନ୍ଥା ଆକାରରେ ସଂଗ୍ରହ କରାଯାଇ ବଜାରରେ ଉପଲବ୍ଧ ହୋଇଥାଏ । ପ୍ରତ୍ୟେକ ବର୍ଷ ଏହି ଗ୍ରୀଷ୍ମପ୍ରବାହ ସମୟରେ ହିଁ ଏହି ବହଳ କଢ ଓ ପତ୍ର ସଂଗ୍ରହ କରାଯାଇଥାଏ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଜଙ୍ଗଲ ନିକଟବର୍ତ୍ତୀ ସ୍ଥାନରେ ବସବାସ କରୁଥିବା ଅଧିବାସୀ ଚୈତ୍ରମାସରେ ମହୁଲ, ଟୋଲ, ଚାର କୋଳି, ନିମ୍ବ ଫୁଲ, ବରଡ଼ା ପତ୍ର, ବହଳ ପତ୍ର ସହିତ ବହଳ କଢ ସଂଗ୍ରହ କରି ଜୀବିକା ନିର୍ବାହ କରିଥାଆନ୍ତି ।