ଓଡିଶା

odisha

ETV Bharat / state

ଓଡ଼ିଶା ମିଲେଟ ମିଶନ ଅନ୍ୟ ପାଇଁ ପାଲଟିଛି ଉଦାହରଣ

Assam Millets Mission team in Odisha: ଓଡିଶା ମିଲେଟ ମିଶନ ଏବେ ଅନ୍ୟ ପାଇଁ ଉଦାହରଣ ପାଲଟିଛି । ଓଡି଼ଶା ଗସ୍ତରେ ଆସି ମିଲେଟ ମିଶନକୁ ପ୍ରଶଂସା କଲେ ଆସାମ ମିଲେଟ୍ ମିଶନର ୧୫ ଜଣିଆ ପ୍ରତିନିଧି ଦଳ । ଅଧିକ ପଢନ୍ତୁ

ଓଡି଼ଶା ମିଲେଟ ମିଶନ ଅନ୍ୟ ପାଇଁ ପାଲଟିଛି ଉଦାହରଣ
ଓଡି଼ଶା ମିଲେଟ ମିଶନ ଅନ୍ୟ ପାଇଁ ପାଲଟିଛି ଉଦାହରଣ

By ETV Bharat Odisha Team

Published : Feb 3, 2024, 9:23 AM IST

ଭୁବନେଶ୍ବର: ଓଡ଼ିଶାର ମିଲେଟ୍ ମିଶନ ଏବେ ଅନ୍ୟ ରାଜ୍ୟ ପାଇଁ ଉଦହାରଣ ପାଲଟିଛି । ଏହି ମିଶନର ସଫଳତା ସମ୍ପର୍କରେ ଜାଣିବା ପାଇଁ ଆସାମ ମିଲେଟ୍ ମିଶନର ୧୫ ଜଣିଆ ପ୍ରତିନିଧି ଦଳ ଓଡ଼ିଶା ଆସିଥିଲେ । ଏହି ଦଳ କଳିଙ୍ଗ ଷ୍ଟାଡିୟମରେ ଥିବା ମିଲେଟ୍ ଶକ୍ତି କାଫେ, ପୁଷ୍ଟିଶସ୍ୟ ପ୍ରକ୍ରିୟାକରଣ ୟୁନିଟ୍, ମାଣ୍ଡିଆ କ୍ଷେତ ପରିଦର୍ଶନ ସହିତ ମାଣ୍ଡିଆ ସଂଗ୍ରହ କାର୍ଯ୍ୟ, ମାଣ୍ଡିଆ ଫସଲ ପ୍ରଦର୍ଶନ, ପ୍ରକ୍ରିୟାକରଣ ୟୁନିଟ୍, ବିହନ କେନ୍ଦ୍ର ଆଦି ସମ୍ପର୍କରେ ଅବଗତ ହୋଇଥିଲେ । ଏଥିସହ ଓଡ଼ିଶା ମିଲେଟ ମିଶନର ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍‌ର ଅଧିକାରୀମାନଙ୍କ ସହିତ ମିଲେଟ୍‌ ମିଶନର ପ୍ରଚାର ପ୍ରସାର ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ବିଶେଷକରି ମାଣ୍ଡିଆ କ୍ରୟ ଏବଂ ବିହନ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଥିଲା ।

ଓଡ଼ିଶା ମିଲେଟ ମିଶନ ସମ୍ପର୍କରେ ଅବଗତ ହେବା ପାଇଁ ଆସାମ ମିଲେଟ୍ ମିଶନର ୧୫ ଜଣିଆ ପ୍ରତିନିଧି ଦଳ ଜାନୁଆରୀ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିଥିଲେ । ଆସାମ ସରକାରଙ୍କ ଆସାମ କୃଷି ବ୍ୟବସାୟ ଏବଂ ଗ୍ରାମୀଣ ପରିବର୍ତ୍ତନ ପ୍ରକଳ୍ପ (ଓଆରଆଇଏସ)ର କୃଷି ପରାମର୍ଶଦାତା ଡକ୍ଟର ପ୍ରଣବ କୁମାର ମହାନ୍ତଙ୍କ ନେତୃତ୍ୱରେ ଗଠିତ ଏହି ଦଳରେ ଆସାମ ସରକାରଙ୍କ କୃଷି, ବିଦ୍ୟାଳୟ ଶିକ୍ଷା ବିଭାଗ, କୃଷି ବିଶ୍ୱବିଦ୍ୟାଳୟ, ଆସାମ କୃଷି ବ୍ୟବସାୟ ଏବଂ ଗ୍ରାମୀଣ ପରିବର୍ତ୍ତନ ପ୍ରକଳ୍ପ (ଆରଏଆଇଏସ), ଆସାମ ଗ୍ରାମୀଣ ଭିତ୍ତିଭୂମି ଏବଂ କୃଷି ସେବା (ଏଆରଆଇଏଏସ୍) ସୋସାଇଟିର ଅଧିକାରୀମାନେ ସାମିଲ ଥିଲେ ।

ଆସାମ ମିଲେଟ୍ ମିଶନର ପ୍ରତିନିଧ୍ ଦଳର ଅଧିକାରୀମାନଙ୍କୁ ସମ୍ବୋଧିତ କରି ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶସ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଆସାମ ରାଜ୍ୟ ପୁଷ୍ଟିଶସ୍ୟକୁ ପ୍ରୋତ୍ସାହନ ଦେବା ଦିଗରେ ପଦକ୍ଷେପ ନେଉଥିବା ଜାଣି ଖୁସି ବ୍ୟକ୍ତ କରିଥିଲେ । ଓଡ଼ିଶା ମିଲେଟ୍‌ ମିଶନର ଜ୍ଞାନ ଓ ଅଭିଜ୍ଞତା ଆସାମ ସହ ବାଣ୍ଟିବା ଦିଗରେ ସମସ୍ତ ସହାୟତା ଯୋଗାଇ ଦିଆଯିବ । ଏହାକୁ ମିଶନ ମୋଡ଼ ଆଭିମୁଖ୍ୟରେ ସମ୍ପାଦନ କରିବା, ତୃଣମୂଳ ସ୍ତରର ଅଭିଜ୍ଞତା ଥିବା ଏକ ସଂଗଠନର ନେତୃତ୍ୱରେ ଏକ ପ୍ରୋଗ୍ରାମ ସେକ୍ରେଟାରିଏଟ୍ ପ୍ରତିଷ୍ଠା କରିବା ଏବଂ ଏଥିପାଇଁ ଦୀର୍ଘମିଆଦୀ ବଜେଟ୍ ଆବଣ୍ଟନର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଥିଲେ । ଓଡ଼ିଶା ମିଲେଟ ମିଶନର ସଫଳତାର ଚାବିକାଠି ହେଉଛି କ୍ରୟ ବ୍ୟବସ୍ଥା । ଓଏସ୍ଏମ୍ ସୁଆଁ, କାଙ୍ଗୁ, ବାଜରା ଆଦି ପାଇଁ ବେଞ୍ଚମାର୍କ ମୂଲ୍ୟ ଉପରେ ମଧ୍ୟ କାମ କରୁଛୁ ବୋଲି କହିଥିଲେ ପ୍ରମୁଖ ଶାସନ ସଚିବ ।

ଓଏସ୍ଏମ୍‌ର ଏହି ଅଭିଜ୍ଞତା ନିଶ୍ଚିତ ଭାବରେ ଆସାମ ରାଜ୍ୟରେ ପୁଷ୍ଟିଶସ୍ୟର ପ୍ରଚାର ପ୍ରସାର ଦିଗରେ ନିଆଯାଉଥିବା ପଦକ୍ଷେପକୁ ସଫଳ ରୂପାୟନ ଦେବ ବୋଲି ଡ. ପାଢ଼ୀ ଆଶା ବ୍ୟକ୍ତ କରିଥିଲେ । ଆସାମ ସରକାରଙ୍କ କୃଷି ଉପଦେଷ୍ଟା ପ୍ରଣବ କୁମାର ମହାନ୍ତ କହିଥିଲେ ଯେ, ଓଡ଼ିଶା ମିଲେଟ୍ ମିଶନରୁ ଶିଖିବାକୁ ଆମେ ଏଠାକୁ ଆସିଛୁ, ଯାହା କେବଳ ପୁଷ୍ଟିଶସ୍ୟକୁ ପ୍ରୋତ୍ସାହନ କ୍ଷେତ୍ରରେ ସଫଳ ନୁହେଁ ବରଂ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଅନୁଷ୍ଠାନମାନେ ଏହି ମଡେଲର ସଫଳତାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହା ଆସାମ ମିଲେଟ୍ ମିଶନକୁ ଆଗକୁ ନେବାରେ ସାହାଯ୍ୟ କରିବ ।

ଏହା ମଧ୍ୟ ପଢନ୍ତୁ:ମିଲେଟ ମିଶନ ସମ୍ମିଳନୀକୁ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ ଟୁଡୁ

ପ୍ରତିନିଧି ଦଳ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, କଳିଙ୍ଗ ଷ୍ଟାଡିୟମରେ ଥିବା ମିଲେଟ୍ ଶକ୍ତି କାଫେ, କଳାଭୂମି– ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ, ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ଏବଂ ଭୁବନେଶ୍ବର ବରମୁଣ୍ଡା ସ୍ଥିତ ପୁଷ୍ଟିଶସ୍ୟ ପ୍ରକ୍ରିୟାକରଣ ୟୁନିଟ୍ ପରିଦର୍ଶନ କରିଥିଲେ । ଏହାସହ ଏହି ଦଳ ନୟାଗଡ ଜିଲ୍ଲାରେ କ୍ଷେତ ପରିଦର୍ଶନ କରି ମାଣ୍ଡିଆ ସଂଗ୍ରହ କାର୍ଯ୍ୟ, ମାଣ୍ଡିଆ ଫସଲ ପ୍ରଦର୍ଶନ, ପ୍ରକ୍ରିୟାକରଣ ୟୁନିଟ୍, ବିହନ କେନ୍ଦ୍ର ଆଦି ସମ୍ପର୍କରେ ଅବଗତ ହୋଇଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଏବଂ ଓଡ଼ିଶା ମିଲେଟ ମିଶନର ଅଧିକାରୀଙ୍କ ସହ ମିଶନର କାର୍ଯ୍ୟକାରିତା ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ ।

ସେହିପରି ପ୍ରତିନିଧି ଦଳ ଦଶପଲ୍ଲା ବ୍ଲକ ଘୁଗୁଡିପଦା ପଞ୍ଚାୟତର କାଚପାଲି ଗ୍ରାମରେ ବ୍ରାହ୍ମଣୀଦେବୀ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତ ଏକ ୟୁନିଟ୍ ପରିଦର୍ଶନ କରିଥିଲେ । ଏହାପରେ ଏକ ମାଣ୍ଡିଆ କ୍ଷେତ ପରିଦର୍ଶନ କରିବା ସହ ଘୁଗୁଡ଼ିପଡ଼ାରେ ମାଣ୍ଡିଆ ମଣ୍ଡି ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ । ଗସ୍ତର ଶେଷ ଦିନରେ ଏହି ଦଳ ପୁରୀ ସ୍ଥିତ ମିଲେଟ୍‌ ଶକ୍ତି କାଫେ ପରିଦର୍ଶନ କରିଥିଲେ ଏବଂ ମିଶନ ଶକ୍ତି ଭବନ ଯାଇ ଓଡ଼ିଶା ମିଲେଟ ମିଶନର ସଫଳତାରେ ମିଶନ ଶକ୍ତି କିପରି ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ସେ ସଂପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details