ଓଡିଶା

odisha

ETV Bharat / state

ଭିତର ରତ୍ନଭଣ୍ଡାରରେ ସରିଲା ଭାରା ବନ୍ଧା, ଗୁପ୍ତନୀତି ପାଇଁ ଆଜି କାମ ବନ୍ଦ - RATNA BHANDAR REPAIR

ରତ୍ନଭଣ୍ଡାରରେ ବନ୍ଧା ହେଲା ୨୦ ଫୁଟ ଉଚ୍ଚ ଭାରା । କାଲିଠୁ ଚୂନ ଓ ପ୍ଲାଷ୍ଟର ଛଡା କାମ, ୩ ମାସ ମଧ୍ୟରେ ସରିବ ମରାମତି ।

ଭିତର ରତ୍ନଭଣ୍ଡାରରେ ସରିଲା ଭାରା ବନ୍ଧା କାମ, କାଲି ଛଡାଯିବା ପ୍ଲାଷ୍ଟର
ଭିତର ରତ୍ନଭଣ୍ଡାରରେ ସରିଲା ଭାରା ବନ୍ଧା କାମ, କାଲି ଛଡାଯିବା ପ୍ଲାଷ୍ଟର (ETV Bharat Odisha)

By ETV Bharat Odisha Team

Published : Dec 18, 2024, 8:04 AM IST

Updated : Dec 18, 2024, 9:18 AM IST

ପୁରୀ: ଗକକାଲିଠାରୁ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି କାମ ଆରମ୍ଭ କରିସାରିଛି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) । ମରାମତିର ପ୍ରଥମ ଦିନରେ ଭିତର ରତ୍ନ ଭଣ୍ଡାରରେ ପ୍ରଥମ ଲୁହା ଭାରା ବନ୍ଧାଯାଇଛି । ଗତକାଲି ଲୁହା ସ୍କାଫ ଫୋଲ୍ଡିଙ୍ଗ ତଥା ଲୁହା ଭାରା ବନ୍ଧା କାର୍ଯ୍ୟ ଶେଷ ହୋଇଛି । ଆଜି ମରାମତି ବନ୍ଦ ରହିବ ଓ ଆସନ୍ତାକାଲି (ଗୁରୁବାର)ଠାରୁ ପ୍ଲାଷ୍ଟର ଛଡା କାମ ଆରମ୍ଭ ହେବା ନେଇ ‘ଏଏସଆଇ’ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

  • ଭିତର ଭଣ୍ଡାରରେ 20 ଫୁଟ ଉଚ୍ଚ ଲୁହାର ଭାରା :-

ଏଏସଏଆଇ ଅଧୀକ୍ଷକ ଡିବି ଗଡନାୟକଙ୍କ ସୂଚନା ଅନୁସାରେ, ମରାମତି କାର୍ଯ୍ୟ କରିବା ପାଇଁ ଗୋଟିଏ ପାର୍ଶ୍ୱରେ ପ୍ରାୟ ୨୦ ଫୁଟ୍ ଉଚ୍ଚର ଲୁହାର ଭାରା ବନ୍ଧା ଯାଇଛି । ଭିତର ଭଣ୍ଡାରରେ ଏହି ଭାରା ବନ୍ଧାଯାଇଛି । ଏହି ଭାରା ବ୍ୟବହାର କରି ‘ଏଏସଆଇ’ ଦ୍ଵାରା ନିଯୁକ୍ତ କୁଶଳୀ କାରିଗର କାନ୍ଥ, ଛାତ ଓ ବିଭିନ୍ନ ସ୍ଥାନରେ ଥିବା କ୍ରାକ୍ସ୍ ବା ଫାଟ ମରାମତି କାମ କରିବେ । ଗୋଟିଏ ଗୋଟିଏ ପାର୍ଶ୍ୱରେ ଭାରା ବାନ୍ଧି ଚୂନ ଛଡ଼ାଇବା ସହ ମରାମତି କାର୍ଯ୍ୟ କରାଯିବାକୁ ଯୋଜନା ରଖାଯାଇଛି । ଗତକାଲି ପ୍ରଥମ ଦିନରେ ପରୀକ୍ଷାମୂଳକ ଭାବରେ ଗୋଟିଏ ପାର୍ଶ୍ୱରେ କିଛି ଅଂଶରେ ଚୂନ ଛଡାଯାଇଛି । ପରେ ସମସ୍ତ ଚୂନ ପ୍ଲାଷ୍ଟର ହଟାଯିବ ।

ଭିତର ରତ୍ନ ଭଣ୍ଡାରରେ ସରିଲା ଭାରା ବନ୍ଧା କାମ, କାଲି ଛଡାଯିବା ପ୍ଲାଷ୍ଟର (ETV Bharat Odisha)
  • ଆଜି ସ୍ବତନ୍ତ୍ର ନୀତି ପାଇଁ ମରାମତି କାମ ବନ୍ଦ:

ଆଜି (ବୁଧବାର) ମହାପ୍ରଭୁଙ୍କ ‘ଦିବା ପହୁଡ଼ ନୀତି’ ଥିବାରୁ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିବ ।ପରଦିନ ଆସନ୍ତାକାଲି (ଗୁରୁବାର) ଠାରୁ ପୁଣିଥରେ ମରାମତି କାର୍ଯ୍ୟ ଆରମ୍ଭ ହେବ । ପ୍ରାଥମିକ ଭାବରେ ଚୂନ ପ୍ଲାଷ୍ଟରକୁ ଛଡାଯାଇ ଫାଟ ଥିବା ପଥରଗୁଡ଼ିକୁ କାନ୍ଥରୁ ବାହାର କରାଯିବ । ନୀଳଗିରିରୁ ଆସୁଥିବା ଉନ୍ନତ ମାନର ପଥରରେ ଏହି ମରାମତି କାର୍ଯ୍ୟ କରାଯିବ ।

  • ପ୍ରତ୍ୟେକ ଦିନ ମଧ୍ୟାହ୍ନରୁ ସଂଧ୍ୟା ଯାଏ ମରାମତି, ବାହାର କାଠରୁ ଦର୍ଶନ

ସୂଚନା ଅନୁଯାୟୀ ରତ୍ନଭଣ୍ଡାରର ମରାମତି ନେଇ ପୂର୍ବରୁ ଛତିଶା ନିଯୋଗ ବୈଠକର‌ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଦ୍ବିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ସବୁଦିନ ମରାମତି କାର୍ଯ୍ୟ ଆରମ୍ଭ ହେବ । ଦିନ ୧୨ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ମରାମତି କାର୍ଯ୍ୟ ଜାରି ରହିବ । ଏହି ସମୟରେ ଭକ୍ତମାନେ କେବଳ ବାହାର କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିବେ । ସେହିପରି ମହାପ୍ରଭୁଙ୍କ ନୀତିକାନ୍ତି ମଧ୍ୟ ଶୃଙ୍ଖଳିତ ଭାବେ କରାଯିବ । ତେବେ ତିନି ମାସ ମଧ୍ୟରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ କରିବା ପାଇଁ ‘ଏଏସଆଇ’ ସମୟ ମାଗିଥିବା ବେଳେ ଯଥାଶୀଘ୍ର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସଆଇକୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ - RATNA BHANDAR RESTORATION WORK
  • ମରାମତି ପରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରୁ ଅଣାଯିବ ଅଳଙ୍କାର :

ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବା ପରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରୁ ସମସ୍ତ ରତ୍ନ ଅଳଙ୍କାରଗୁଡ଼ିକୁ ରତ୍ନଭଣ୍ଡାର ଭିତରକୁ ଅଣାଯାଇ ଏହାର ଗଣତି-ମଣତି କରାଯିବ । ମହାପ୍ରଭୁଙ୍କ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଶୃଙ୍ଖଳିତ ନୀତିକାନ୍ତି ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ସେବାୟତ ଏବଂ ଭକ୍ତମାନଙ୍କର ସହଯୋଗ ଲୋଡିଛି ।

  • ବିଶେଷ ନୀତିକାନ୍ତି ଥିଲେ ମରାମତି କାମ ବନ୍ଦ

ଏହି ମରାମତି କାର୍ଯ୍ୟ କେତେକ ବିଶେଷ ଦିନରେ ବନ୍ଦ ରହିବ । ଡିସେମ୍ବର ୩୧, ଇଂରାଜୀ ନବବର୍ଷ, ଶନିବାର, ରବିବାର ଏବଂ ଭକ୍ତଙ୍କ ପ୍ରବଳ ଭିଡ ଥିଲେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ହୋଇଛି । ତେବେ ଆଜି(ବୁଧବାର) ଚତୁର୍ଦ୍ଧାମୂର୍ତ୍ତିଙ୍କର ‘ଦିବା ପହୁଡ଼ ନୀତି’ ଅନୁଷ୍ଠିତ ହେବାକୁ ଥିବାରୁ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ପୁରୀ

Last Updated : Dec 18, 2024, 9:18 AM IST

ABOUT THE AUTHOR

...view details