ଭୁବନେଶ୍ବର:ଓଡିଶାରୁ ରାଜ୍ୟସଭା ଯିବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବିଜେପି କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଧାନସଭାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଭରିବା ସମୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ ।
୨୦୧୯ର ପୁରନାବୃତ୍ତି ହେବାକୁ ଯାଉଛି । ରାଜ୍ୟରେ ଖାଲି ହେଉଥିବା ୩ ରାଜ୍ୟସଭା ଆସନ ପାଇଁ ବିଜେଡି ଦୁଇଟି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ତୃତୀୟ ପ୍ରାର୍ଥୀକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । ଦେବିଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ ନାମାଙ୍କନ ଭରିଥିଲେ । ତେବେ ଗତକାଲି(ବୁଧବାର) ବିଜେପି ଅଶ୍ବିନୀଙ୍କ ନାମ ଘୋଷଣା କରି ଚର୍ଚ୍ଚାର ଅବସାନ ଘଟାଇଛି ।
ବିଜେପି ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ ନେଇ ଘୋଷଣା କରିଥିବା ବେଳେ ବିଜେଡି ମଧ୍ୟ ତାଙ୍କର ପ୍ରାର୍ଥୀତ୍ବକୁ ସମର୍ଥନ ଜଣାଇଥିଲା । ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ବିଜେଡି ସମର୍ଥନ ଦେଇଥିବା କଥା ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆସନ୍ତା 27 ତାରିଖରେ ରାଜ୍ୟସଭା ନିର୍ବାଚନ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଆଜି ପାର୍ଥ୍ରୀପତ୍ର ଦାଖଲ କରିବାର ଶେଷଦିନ ରହିଛି । ତେବେ ସଠିକ ସମୟରେ ବିଧାନସଭା ଯାଇ ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଗତ ୧୩ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଶୁଭାଶିଷ ଖୁଣ୍ଟିଆ ଏବଂ ଦେବାଶିଷ ସାମନ୍ତରାୟ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିଥିଲେ ।