ଦେବଗଡ:ଆସନ୍ତା 25 ତାରିଖରେ ଦେବଗଡ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆରମ୍ଭ ହୋଇଛି ପ୍ରାର୍ଥୀପତ୍ର ଦାଖଲ । ତେବେ ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ସମୟ ପାଖେଇ ଆସୁଥିବା ବେଳେ ଦେବଗଡ଼ ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି । ପୂର୍ବରୁ ବାମଣ୍ଡା ରାଜ ପରିବାର ସଦଶ୍ୟ ତଥା ସମ୍ବଲପୁର ଲୋକସଭା ସାଂସଦ ନିତେସ ଗଙ୍ଗଦେଵଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀଙ୍କୁ ବିଜେଡି ଦେବଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ପୁଣି ଥରେ ଟିକଟ ଫେରାଇ ନେଇଛି ଦଳ । ପ୍ରାର୍ଥୀ ପରିବର୍ତ୍ତନ କରି ଅରୁନ୍ଧତୀଙ୍କ ସ୍ଥାନରେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଏହାକୁ ନେଇ ରାଜନୈତିକ ମହଲ ଅଧିକ ସରଗରମ ହୋଇ ଉଠିଛି ।
ଗତ 16 ତାରିଖରେ ମିଳିଥିଲା ଟିକଟ: ସୂଚନା ଅନୁସାରେ, ଗତ ମାର୍ଚ୍ଚ ମାସ 16 ତାରିଖ ଦିନ ଦେବଗଡ଼ ବିଧାନସଭା କ୍ଷେତ୍ର ପାଇଁ ବାମଣ୍ଡା ରାଜ ପରିବାର ସଦଶ୍ୟ ତଥା ସମ୍ବଲପୁର ଲୋକସଭା ସାଂସଦ ନିତେସ ଗଙ୍ଗଦେଵଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି । ପ୍ରାର୍ଥୀ ଘୋଷଣା ପରେ ଅରୁନ୍ଧତୀ ଦେବୀ ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ନିଜ ନିର୍ବାଚନ ପ୍ରଚାର କରି ଆସୁଥିଲେ । ମାତ୍ର ତାଙ୍କ ସ୍ବାମୀ ଗଙ୍ଗଦେଵ ବିଜେପିରେ ରହିଥିବା ବେଳେ ସେ ବିଜେଡି ପାଇଁ ପ୍ରଚାର କରିବାରୁ ତାଙ୍କୁ ଅନେକ ଅଞ୍ଚଳରେ ପ୍ରଶ୍ନର ସାମ୍ନା କରିବାକୁ ପଡିଥିଲା ।
ଏହି କାରଣ ପାଇଁ କଟିଲା ଟିକଟ:ଗୋଟିଏ ପରିବାରର ସ୍ୱାମୀ ସ୍ତ୍ରୀ ଦୁଇଟି ରାଜନୈତିକ ଦଳରେ ରହି ପରସ୍ପର ବିରୁଦ୍ଧରେ ପ୍ରଚାର କରିବା ଭୋଟରଙ୍କୁ ମଧ୍ୟ ଦ୍ଵନ୍ଦରେ ପକାଇଥିଲା । ଯାହାକି ତାଙ୍କର ବିଜୟ ସମ୍ଭାବନାକୁ ବହୁ ମାତ୍ରାରେ ପ୍ରଭାବିତ କରିଥିଲା । ଅପରପକ୍ଷେ, ନିଜ ଧର୍ମପତ୍ନୀଙ୍କୁ ସହଯୋଗ କରିବା ପାଇଁ ସ୍ବାମୀ ଗଙ୍ଗଦେବ ବିଜେପି ଛାଡି ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ସମୟ ପାଖେଇ ଆସୁଥିଲେ ସୁଦ୍ଧା ସେ ବିଜେପି ଛାଡିବାର କୌଣସି ସଙ୍କେତ ଦେଖାଯାଇ ନଥିଲା ।