ଭୁବନେଶ୍ବର: ଓଡ଼ିଶାର ଆଇଟି ଭିତ୍ତିଭୂମିକୁ ଆଉ ଏକ ସଫଳତା ମିଳିଛି । ଭୁବନେଶ୍ୱରରେ ବିଶ୍ୱର ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ ସଂସ୍ଥା ‘ଆକ୍ସେଞ୍ଚର’ର ଅତ୍ୟାଧୁନିକ ବୈଷୟିକ ଗବେଷଣା କେନ୍ଦ୍ର ଆଜି ଉଦଘାଟିତ ହୋଇଛି । ଆକ୍ସେଞ୍ଚରର ଅତ୍ୟାଧୁନିକ ବୈଷୟିକ ଗବେଷଣା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରରେ ଉଦଘାଟନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,‘‘ଓଡ଼ିଶା ବର୍ଷ ବର୍ଷ ଧରି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଚାଲିଛି । ଆକ୍ସେଞ୍ଚର ଓଡ଼ିଶାର ପ୍ରଗତି ଯାତ୍ରାର ଆଉ ଏକ ସଫଳ କାହାଣୀ । ଖୁସିର ବିଷୟ ଯେ, ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ ଆକ୍ସେଞ୍ଚର ଏବେ ରାଜ୍ୟର କ୍ରମବର୍ଦ୍ଧମାନ ଅର୍ଥନୀତି ଦ୍ଵାରା ପ୍ରଭାବିତ ହୋଇଛି । ଭୁବନେଶ୍ବରରେ ନିଜର ନିଜର ବୈଷୟିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଛି । ଆମ ରାଜ୍ୟ ନୂତନ ଚିନ୍ତାଧାରା, ଉଦ୍ଭାବନ ଏବଂ ନୂତନ ଉଦ୍ୟୋଗକୁ ପ୍ରୋତ୍ସାହନ ଦେଇ ଦୃଢ଼ ଆତ୍ମବିଶ୍ୱାସର ସହ ଆଗକୁ ଆଗେଇ ଚାଲିଛି । ମୋର ଦୃଢବିଶ୍ଵାସ ନୂତନ ଉଦ୍ୟୋଗ, ବୈଷୟିକ ଉଦ୍ଭାବନକୁ ପ୍ରୋତ୍ସାହିତ କରି ଓଡ଼ିଶାର ବିକାଶ ଯାତ୍ରାରେ ଅଗ୍ରସର ହେବ । ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାର ସେ ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଶାରେ ଆକ୍ସେଞ୍ଚରର ଏହି ନୂତନ କେନ୍ଦ୍ର ରାଜ୍ୟ ସରକାରଙ୍କ ନିରନ୍ତର ପ୍ରଗତିଶୀଳ ପ୍ରୟାସର ଅନ୍ୟତମ ପ୍ରତିଫଳ ।’’
ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ଓଡ଼ିଶା ପ୍ରଯୁକ୍ତିବିଦ୍ୟା, ଇଲେକ୍ଟ୍ରୋନିକ୍ସ, ଅତ୍ୟାଧୁନିକ ବୈଷୟିକ ଗବେଷଣା ଏବଂ କନସଲଟିଂ କମ୍ପାନିମାନଙ୍କ ପାଇଁ ନିବେଶ ନିମନ୍ତେ ଏକ ଆକର୍ଷଣୀୟ ରାଜ୍ୟ ପାଲଟିଛି । ଆକ୍ସେଞ୍ଚରର ଅତ୍ୟାଧୁନିକ ବୈଷୟିକ ଗବେଷଣା ସେଣ୍ଟର ପ୍ରତିଷ୍ଠା ଦ୍ୱାରା ରାଜ୍ୟର ଯୁବବର୍ଗଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ସହ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ।
ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର କହିଛନ୍ତି ଯେ, ଭୁବନେଶ୍ୱରରେ ଆକ୍ସେଞ୍ଚରର ଅତ୍ୟାଧୁନିକ ବୈଷୟିକ ଗବେଷଣାର କାର୍ଯ୍ୟାଳୟ ପ୍ରତିଷ୍ଠା ଆମ ରାଜ୍ୟର ସାମର୍ଥ୍ୟ ଉପରେ ନିବେଶକଙ୍କ ବିଶ୍ୱାସକୁ ସୂଚିତ କରୁଛି । ଭୁବନେଶ୍ୱରରେ ଆକ୍ସେଞ୍ଚରର ଅତ୍ୟାଧୁନିକ ବୈଷୟିକ ଗବେଷଣା କେନ୍ଦ୍ର ରାଜ୍ୟର ଆଇ.ଟି ଇକୋ-ସିଷ୍ଟମକୁ ଆହୁରି ସୁଦୃଢ଼ କରିବ । ଓଡ଼ିଶାର ଯୁବକ-ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିପାରିବ ।
ଆକ୍ସେଞ୍ଚରର ପ୍ରମୁଖ ରଣନୀତି ଅଧିକାରୀ ଡ. ଭାସ୍କର ଘୋଷ କହିଛନ୍ତି ଯେ, ଓଡ଼ିଶାରେ ଏହି ନୂତନ ବୈଷୟିକ କେନ୍ଦ୍ରକୁ ପ୍ରତିଷ୍ଠା କରି ଆମେ ଖୁବ ଉତ୍ସାହିତ । ଓଡ଼ିଶା ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ଦକ୍ଷ ପ୍ରତିଭାରେ ସମୃଦ୍ଧ । ରାଜ୍ୟର ସୁବ୍ୟବସ୍ଥିତ ପ୍ରଯୁକ୍ତିବିଦ୍ୟା ନୀତି, ସୁଦୃଢ଼ ଭିତ୍ତିଭୂମି ଏବଂ ରାଜ୍ୟ ସରକାରଙ୍କ ସହଯୋଗୀ ମନୋଭାବ ପାଇଁ ଆମେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ମୋର ଦୃଢ ବିଶ୍ୱାସଯେ ଖୁବ ଶୀଘ୍ର ବିଶ୍ଵର ଅନ୍ୟତମ ପ୍ରତିଷ୍ଠିତ ଟେକ-ସିଟି ଭାବରେ ଓଡ଼ିଶା ପରିଗଣିତ ହେବ । ଏହା ବ୍ୟତୀତ ଭାରତରେ ଆମର ସଂପ୍ରସାରଣ ତଥା ଉପସ୍ଥିତି ବିସ୍ତାର କରିବାର ପ୍ରତିବଦ୍ଧତାକୁ ଆମେ ଏହି କେନ୍ଦ୍ର ପ୍ରତିଷ୍ଠାଦ୍ଵାରା ସଫଳ ମଧ୍ୟ କରିପାରିଛୁ । ଭୁବନେଶ୍ୱରରେ ଆମର ଏହି ନୂତନ ବୈଷୟିକ କେନ୍ଦ୍ର କ୍ଲାଉଡ କମ୍ପୁଟିଙ୍ଗ, ଡାଟା ଏନାଲିଟିକ୍ସ ଏବଂ ଏଆଇ ଇତ୍ୟାଦି ବ୍ୟବହାର କରି ଗ୍ରାହକମାନଙ୍କୁ ଅନନ୍ୟ ସେବା ଯୋଗାଇ ପାରିବ । ରାଜ୍ୟର ଅଭିବୃଦ୍ଧି କାହାଣୀରେ ଯୋଡି ହେବା ସହିତ ନୂତନ ଉଦ୍ଭାବନ ଏବଂ ବିକାଶରେ ଯୋଗଦାନ କରିବାର ସୁଯୋଗକୁ ନେଇ ଆମେ ଉତ୍ସାହିତ ।