ଅନୁଗୋଳ: ପାଖେଇ ଆସୁଛି ନିର୍ବାଚନ । ଆଉ ନିର୍ବାଚନ ପୂର୍ବରୁ ପୋଲିସକୁ ଘାରିଛି ସୁରକ୍ଷା ଚିନ୍ତା । ନିର୍ବାଚନ କିଭଳି ଶୃଙ୍ଖଳିତ ହେବ ସେଥିପାଇଁ ଅନୁଗୋଳ ଜିଲ୍ଲା ପୋଲିସ ଆରମ୍ଭ କରିଦେଇଛି କସରତ । ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ଯାହାର ସୂଚନା ସାମ୍ବାଦିକ ସମ୍ମିଳନୀ ଯୋଗେ ଅନୁଗୋଳ ଏସପି ଉମାଶଙ୍କର ଦାସ ଦେଇଛନ୍ତି ।
ଅନୁଗୋଳ ଜିଲ୍ଲାର ପାଞ୍ଚଟି ନିର୍ବାଚନ ମଣ୍ଡଳୀ ଛେଣ୍ଡିପଦା, ଅନୁଗୋଳ, ତାଳଚେର, ପାଲଲହଡା ଓ ଆଠମଲ୍ଲିକରେ କିଭଳି ଶୃଙ୍ଖଳିତ ନିର୍ବାଚନ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ସହ ମିଶି ପୋଲିସ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ବିଭିନ୍ନ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଭାବେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଯେପରି କୌଣସି ଅସାମାଜିକ କାର୍ଯ୍ୟ ନହୁଏ କିମ୍ବା ଅସାମାଜିକ କାର୍ଯ୍ୟକୁ ପ୍ରୋତ୍ସାହନ ନମିଳେ ସେଥିପାଇଁ ଜିଲ୍ଲାର ପାଞ୍ଚଟି ଯାକ ନିର୍ବାଚନ ମଣ୍ଡଳୀ ସୀମାରେ ନାକାବନ୍ଦୀ କରାଯାଉଛି । ବିଭିନ୍ନ ସ୍ଥାନରେ ଗାଡିମଟର ଯାଞ୍ଚ ସହ ଅସାମାଜିକ କାର୍ଯ୍ୟ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି । ଅନ୍ୟପଟେ ଫ୍ଲାଗ ମାର୍ଚ୍ଚ ବେଳେ CRPF ଯବାନଙ୍କ ସହ BSF ଓ ସ୍ୱତନ୍ତ୍ର ପୋଲିସ ଫୋର୍ସ ମୁତୟନ କରାଯାଇଛି । ନିର୍ବାଚନ ସମୟରେ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ଗୁଡ଼ିକ ଉପରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ନଜର ରହିବ ବୋଲି ଉମାଶଙ୍କର କହିଛନ୍ତି ।